• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

୫ ମାସ ଧରି ଭୁବନେଶ୍ବରିଆଙ୍କ ନିଦ ହଜାଉଥିଲେ । ଆପାର୍ଟମେଣ୍ଟରେ ପଶି ବେଧଡ଼କ ଲୁଟପାଟ୍ କରୁଥିଲେ ପାର୍ବଣ ପରଠୁ। କେଉଁ ଫ୍ଲାଟରୁ ସୁନା ଗହଣା ତ ଆଉ କେଉଁ ଫ୍ଲାଟରୁ ଟଙ୍କା ଲୁଟି ଖସିଯାଉଥିଲେ। ହେଲେ ଆଉ ଚାଲିଲାନି ବେଶୀ ଦିନ। ଶେଷରେ ୫ ମାସର କସରତ କରି କମିଶନରେଟ୍ ପୋଲିସ ଧରିଛି ନଅ ନଅ ଜଣ ଆପାର୍ଟମେଣ୍ଟ ଲୁଟେରାଙ୍କୁ। ତା’ସହ ବିପୁଳ ପରିଣାମର ଅଳଙ୍କାର ଏବଂ ନଗଦ ୩ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିବାବେଳେ ଏହି ଲୁଟେରା ଗ୍ୟାଙ୍ଗ ଏତିକି ନା ଆହୁରି ବି ଅଛନ୍ତି, ସେନେଇ ଉଠିଛି ନାନା ପ୍ରଶ୍ନ।

ଏହି କୁଖ୍ୟାତ ଲୁଟେରାଙ୍କ ମଧ୍ୟରୁ କାହାକୁ ହେଲାଣି ପ୍ରାୟ ୬୦ ବର୍ଷ ତ ଆଉ କାହାର ବୟସ ୨୦। ହୁଏତ, ଆପଣଙ୍କ ଆପାର୍ଟମେଣ୍ଟରେ ବି ଲୁଟପାଟ୍ କରିଥିବେ ଏମାନେ, ଆପଣଙ୍କ ଘରେ ଲାଗିଥିବା ସିସିଟିଭିରେ ହୁଏତ କଏଦ୍ ହୋଇଥାଇପାରେ ଏମାନଙ୍କ ଚେହେରା । କାରଣ ଏମାନେ ହେଉଛନ୍ତି ସେହି ବଦମାସ୍, ଯେଉଁମାନେ ରାଜଧାନୀର ଆପାର୍ଟମେଣ୍ଟରେ ପଶି ବୁଲାଇଛନ୍ତି କଳାକନା । ମାସେ କି ଦୁଇ ମାସ ନୁହଁ, ଗତ ପାର୍ବଣ ପରଠୁ ଭୁବନେଶ୍ବରର ୮ଟି ଆପାର୍ଟମେଣ୍ଟର ୧୭ଟି ଫ୍ଲାଟରେ ପଶି ଲୁଟିଛନ୍ତି ସୁନା, ରୂପା ସହ ଲକ୍ଷ ଲକ୍ଷ ଟଙ୍କା। ଯେଉଁମାନଙ୍କ ଶେଷରେ ବାନ୍ଧିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । 

 କୁହାଯାଉଛି, ଏହି ଗ୍ୟାଙ୍ଗର ସଦସ୍ୟ ସଂଖ୍ୟା ୧୬ । ସମସ୍ତେ ପ୍ରାୟତଃ ଓଡ଼ିଆ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହେଉଛି, ୪୫ ବର୍ଷିୟ ଗିରିଶ ନାୟକ ଓରଫ୍ ଦାଦା । ଯିଏ ପାହାଳର ଏକ ଆପାର୍ଟମେଣ୍ଟରେ ଭଡ଼ାରେ ରହି ତିଆରି କରୁଥିଲା ଲୁଟପାଟର ବ୍ଲୁପ୍ରିଣ୍ଟ । ଡିସେମ୍ବର ୧୧ ତାରିଖ ମଧ୍ୟରାତ୍ରୀରେ ଗାଡ଼କଣର ସ୍ପେଶ୍ ଟାଉନ୍ ଆପାର୍ଟମେଣ୍ଟରେ ଗୋଟିଏ ରାତିରେ ୫ଟି ଫ୍ଲାଟରେ କଳାକନା ବୁଲାଇଥିଲେ ଏମାନେ। ସେପଟେମ୍ବର ୨। ପଟିଆ ଷ୍ଟେସନ ପାଖ ଏକ ଅଳଙ୍କାର ଦୋକାନରୁ ଲୁଟିନେଇଥିଲେ ୧୫ ଲକ୍ଷର ସୁନା ଗହଣା । ଏଭଳି ୮ଟି ଆପାର୍ଟମେଣ୍ଟ ସହ ଏକାଧିକ ଅଳଙ୍କାର ଦୋକାନରେ ପଶି ଲୁଟତରାଜ କରିଥିବାବେଳେ ସେସବୁ ଜାଗାକୁ ନେଇ ଆଜି ଏଭଳି ଭାବେ କ୍ରାଇମସିନ୍ 
ରିକ୍ରିଏସନ୍ କରିଛି କମିଶନରେଟ୍ ପୋଲିସ । 

ଏମାନେ କେଉଁ କେଉଁ ଜାଗାରୁ କେମିତି ଲୁଟ କରିବେ, ୫ ଦିନ ପୂର୍ବରୁ ଧାର୍ଯ୍ୟ କରୁଥିଲେ ଏବଂ ରେକି ପରେ ୧୫ ଦିନ ଭିତରେ ସାରୁଥିଲେ ଅପରେସନ ଲୁଟକୁ । ଯେଉଁଠି ଢିଲା ସିକ୍ୟୁରିଟି ବ୍ୟବସ୍ଥା ତଥା ସୁଦୃଢ଼ ପାଚେରୀ ରହୁନଥିଲା, ବିଳମ୍ବିତ ରାତିରେ ସେହି ଆପାର୍ଟମେଣ୍ଟକୁ ଟାର୍ଗେଟ୍ କରୁଥିଲେ। ଆଉ ଲୁଟ୍ କରି ଖସିଯାଉଥିଲେ ବିଶାଖାପାଟଣା, ଛତିଶଗଡ ଓ ମୁମ୍ବାଇକୁ। ପରେ ପୋଲିସର ଗତିବିଧି ଦେଖି ପୁଣି ଭୁବନେଶ୍ବର ଫେରି ଆରମ୍ଭ କରୁଥିଲେ ମିଶନ। 

ଏହି ଗ୍ୟାଙ୍ଗ ବିରୋଧରେ ଲକ୍ଷ୍ମୀସାଗର, ଭରତପୁର, ଏୟାରଫିଲଡ, ମଞ୍ଚେଶ୍ବର ଓ ଇନଫୋସିଟି ଥାନାରେ ଅନେକ ମାମଲା ରୁଜୁ ରହିଛି । କେବଳ ଏତିକି ନୁହେଁ, ବିଶାଖାପାଟଣା ଏବଂ ମଛଲିପଟନମରେ ରହିଛି ମାମଲା। ତେବେ ଗତ ୫ ମାସ ଧରି ଭୁବନେଶ୍ବରର ଆପାର୍ଟମେଣ୍ଟ ଗୁଡ଼ିକରେ ଲୁଟତରାଜ ଆତଙ୍କ ପଛରେ କେବଳ ଏହି ଗୋଟିଏ ଗ୍ୟାଙ୍ଗ ନା ଆହୁରି ବି ଅଛନ୍ତି ? ନିର୍ଭୟରେ ଆପାର୍ଟମେଣ୍ଟରେ ପଶୁଥିବା ଏହି ଲୁଟେରା ମାନଙ୍କୁ କିଏ ଦେଉଥିଲା ଅଭୟ ବର ? ଏମାନଙ୍କ ଲିଙ୍କରେ ରହୁଥିଲେ କି ଆପାର୍ଟମେଣ୍ଟ ଗୁଡ଼ିକରେ ସୁରକ୍ଷା କିମ୍ବା ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀ ? ଏସବୁ ତଥ୍ୟ ସାମ୍ନାକୁ ଆଣିବ ତ କମିଶନରେଟ୍ ପୋଲିସ ? ଯାହା ଅନ୍ୟ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ପାଇଁ ଶିକ୍ଷଣୀୟ ହେବ । ସବୁଠୁ ଗୁରୁତ୍ବପୂର୍ଣ୍ଣ ଏହି ୯ ଜଣଙ୍କୁ ବାନ୍ଧିଦେଲେ ରାଜଧାନୀରେ ହ୍ରାସ ପାଇବ ତ ଲୁଟପାଟ୍ ? 

ଏବେ ଅପେକ୍ଷା, ରାଜଧାନୀରୁ ଲୁଟ, ଡକାୟତି, ରାହାଯାନୀ ବିରୋଧରେ କମିଶନରେଟ୍ ପୋଲିସ ଆଗକୁ ଆଉ କି ଆକ୍ସନ ନେଉଛି ଏବଂ ଏଭଳି ଅପରାଧକୁ ସମୂଳେନାଶ ପାଇଁ କେତେ ଦାୟିତ୍ବବାନ ହେଉଛି ।

 ଭୁବନେଶ୍ବରରୁ ଅତୁଲ୍ୟ ବାଉତ ଏବଂ ଚନ୍ଦନ ପାଇକରାୟଙ୍କ ରିପୋର୍ଟ, ଓଟିଭି