• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବନ୍ଧା ହେଲା ହାଇଫାଇ ଲୁଟେରା । ସ୍ପଷ୍ଟ ଦିବାଲୋକରେ ଲୋକଙ୍କୁ ଚକମା ଦେଇ ଭୁଆଁ ବୁଲାଉଥିବା ଅପରାଧୀ ସଂଜୟ ନିଶାଙ୍କ ଏବେ କମିଶନରେଟ୍‌ ପୋଲିସ୍‌ ପଞ୍ଝାରେ ପଡ଼ିଛି । ସେ ଲୋକଙ୍କ ଘରୁ କେବଳ ସୁନା ଗହଣା ଚୋରି କରୁ ନଥିଲା, ମହିଳାଙ୍କ ଅନ୍ତବସ୍ତ୍ର ଚୋରି କରି ଛୁ ମାରୁଥିଲା । ବିବିଏ ପାଠ ପଢିଥିବା ନିଶାଙ୍କ ଏକ ଘରୋଇ କଂପାନୀରେ କାମ କରୁଥିବା ଜଣାପଡିଛି । ସେ ପୂର୍ବରୁ ନିଜ ଗାର୍ଲଫ୍ରେଣ୍ଡକୁ ଖୁସି କରିବା ପାଇଁ ସୁନା ଗହଣା ଲୁଟ କରୁଥିଲା, ଆଉ ଏବେ ନିଜର ବାହାଘର ପାଇଁ ଲୋକଙ୍କ ଘରୁ ସୁନା ଗହଣା ସହ ମହିଳାଙ୍କ ଅନ୍ତଃବସ୍ତ୍ର ଲୁଟ କରୁଥିଲା ।

ପୋଲିସ ସଂଜୟ ଠାରୁ ୪୫୦ ଗ୍ରାମର ସୁନା ଓ ୬୫୦ ଗ୍ରାମରୂପା ଅଳଙ୍କାର ଜବତ କରିଛି । ଜବତ ଅଳଙ୍କାରର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ । ସେହିପରି ସଂଜୟ ପାଖରୁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ୨୫୦ଟି ଜିନ୍ସ ମିଳିଛି । ବିଭିନ୍ନ ଥାନାରେ ରୁଜୁ ୫ଟି ମାମଲାରେ ତାଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ଯୁବକର ଘର ଖୋର୍ଦ୍ଧାର ଅଟ୍ରୀ ଅଞ୍ଚଳରେ । ବିବିଏ କରିଥିବା ସଞ୍ଜୟ ୨୦୧୮ରେ ଚନ୍ଦ୍ରଶେଖରପୁର ପୋଲିସ୍‌ ଦ୍ୱାରା ପ୍ରଥମେ ଗିରଫ ହୋଇଥିଲା । ଏବେ ସେ ବାହା ହୋଇଥାଆନ୍ତା । ଏଥିପାଇଁ ସେ ନିଜ ଭାବୀ ପତ୍ନୀଙ୍କ ପାଇଁ ସୁନା ଗହଣା ଚୋରି କରୁଥିବା ପୋଲିସ କହିଛି । ସେହିପରି ଆଉ କିଛି ଚୋରି ଗହଣା ବିକି ସଞ୍ଜୟ ବାପାମା’ଙ୍କ ଚିକିତ୍ସା ବି କରିଛି।

ତେବେ ଚୋରି ପୂର୍ବରୁ ପ୍ଲାନିଂପ୍ଲଟିଂ କରୁଥିଲା ଅଭିଯୁକ୍ତ । ଦିନ ବେଳେ ସେ ବିଭିନ୍ନ ସ୍ଥାନରେ ବୁଲି ତାଲା ପଡ଼ୁଥିବା ଘରକୁ ଚିହ୍ନଟ କରୁଥିଲା । ଆଉ ତା’ପରେ ଘରେ ତାଲା ଭାଙ୍ଗି ପଶିବା ସହ ସୁନା ଗହଣା ଓ ଟଙ୍କା ଲୁଟ କରୁଥିଲା । ଶେଷ ୨/୩ ମାସ ମଧ୍ୟରେ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ସମାନ ଷ୍ଟାଇଲରେ ଚୋରି ହୋଇଥିଲା । ପୂର୍ବରୁ ମଧ୍ୟ ନିଜ ଗାର୍ଲଫ୍ରେଣ୍ଡ ପାଇଁ ସୁନା ଗହଣା ଚୋରି କରି ପୋଲିସ ହାତରେ ଧରାପଡ଼ିଥିଲା ସଂଜୟ ।