• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଡ଼ ଲେଉଟାଉଛି କି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଂଜନ ପଲେଇ ହତ୍ୟା ମାମଲା ? ରାଜନୈତିକ ଚାପରେ ଚେପା ହେବାରେ ଲାଗିଛି କି ଅଭିଯୋଗର ରୂପରେଖ ? କାରଣ ସ୍ୱାମୀ ଚିତ୍ତରଂଜନଙ୍କ ମୃତ୍ୟୁ ଖବର ପରେ ଏଭଳି ଚିତ୍କାର କରି ସଞ୍ଜୟ ଦାସବର୍ମାଙ୍କ ନାଁ ନେଇଥିଲେ ପତ୍ନୀ ସୁଭଦ୍ରା । ରାହାଧରି କାନ୍ଦି କାନ୍ଦି ଜଗନ୍ନାଥ ଷଡ଼ଙ୍ଗୀ ଓରଫ୍ ଜଗାକୁ ଦର୍ଶାଇଥିଲେ ହତ୍ୟାକାରୀ ।

କେବଳ ପତ୍ନୀ ନୁହଁନ୍ତି, ସମ୍ପର୍କୀୟ ମଧ୍ୟ କ୍ଷୁବ୍ଧ ହୋଇଉଠିଥିଲେ । ହେଲେ ସେଦିନର ସେହି ବୁକୁ ଫଟା ଚିତ୍କାର ଆଜି କିନ୍ତୁ ନରମିଗଲା ଭଳି ମନେହେଉଛି । କାରଣ ସ୍ୱର ବଦଳାଇ ମାମଲାରେ ରାଜନୀତି ନକରିବାକୁ ନିବେଦନ କରୁଛନ୍ତି ପତ୍ନୀ । ତଦନ୍ତ ଉପରେ ଭରସା କଥା ବି କହିଛନ୍ତି ଗଣମାଧ୍ୟମ ଆଗରେ । କିନ୍ତୁ ସ୍ୱାମୀଙ୍କୁ ହତ୍ୟା ପଛରେ ଜଗା ସହ କିଛି ବ୍ୟକ୍ତିଙ୍କ ସଂପୃକ୍ତି ଥିବା କହି ସମସ୍ତଙ୍କୁ ଖୋଜି ବାହାର କରିବାକୁ ପତ୍ନୀ ସୁଭଦ୍ରା ଦାବି ବି କରିଛନ୍ତି ।

ତେବେ ରାଜନୀତି ନ କରିବାକୁ ଏଭଳି ନିବେଦନର ଅସଲ ଉଦ୍ଦେଶ୍ୟ କଣ ? ୩ ଦିନ ମଧ୍ୟରେ ଚିତ୍ତଙ୍କ ପତ୍ନୀ ସୁଭଦ୍ରା ଓ ପରିବାରକୁ ମ୍ୟାନେଜ୍ କରିଦେଲେ କି କୌଣସି ପ୍ରଭାବଶାଳୀ ବ୍ୟକ୍ତି ? ଏଭଳି ନାନା ପ୍ରଶ୍ନ ଭିତରେ ତଦନ୍ତର ତୃତୀୟ ଦିନରେ ପୁରୀ ମାଟିଆପଡ଼ାରେ ଜଗନ୍ନାଥ ଷଡ଼ଙ୍ଗୀ ଓରଫ୍ ଜଗାଙ୍କ ଭଡ଼ା ଘରେ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ । କାରଣ ଚିତ୍ତଙ୍କ ନିଖୋଜ ରାତିରେ ସେଠାରେ ଜମିଥିଲା ଭୋଜିଭାତର ଆସର ।

ତେଣୁ ପଡ଼ୋଶୀଙ୍କଠୁ ତଥ୍ୟ ଆଦାୟ କରିଛି ତଦନ୍ତକାରୀ ସଂସ୍ଥା । ଏସବୁ ଭିତରେ ହତ୍ୟା ପଛରେ ଜଣେ ରହସ୍ୟମୟୀ ମହିଳାଙ୍କ ନାଁ ଉଠୁଛି । ତେବେ କିଏ ଏହି ମହିଳା ? ହତ୍ୟା ପଛରେ କଣ ତାଙ୍କ ଭୂମିକା ? ସେନେଇ ସଂପୃକ୍ତ ମହିଳାଙ୍କୁ ଧରି କ୍ରାଇମବ୍ରାଞ୍ଚ ଜେରା କରୁଛି । ତାସହ ନିଖୋଜ ପୂର୍ବରୁ ଶନିବାର ବିଳମ୍ବିତ ରାତିରେ ଚିତ୍ତଙ୍କ ମୋବାଇଲରୁ ଦାସବର୍ମାଙ୍କ ପିଏସ୍ଓ ସର୍ବେଶ୍ୱର ଜେନାଙ୍କ ମୋବାଇଲ୍‌କୁ କଲ୍ ଯାଇଥିବା କୁହାଯାଉଛି । ତେବେ କିଏ ଓ କାହିଁକି କରିଥିଲା ଫୋନ୍ କଲ ? ଏସବୁ ଦିଗକୁ ନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । 

ଗତ ଶନିବାର ରାତିରେ ଭୋଜିସ୍ଥଳରୁ ଚିତ୍ତ ସହ ଜଗା ବାହାରିଥିଲେ ବାଇକ୍‌ରେ । ଜଗାଙ୍କ କହିବା କଥା, ପ୍ରାୟ ୨୦ କିଲୋମିଟର ଦୂର ଜମାରସୁଆଁରେ ଦୁର୍ଘଟଣା ଘଟିଥିଲା । ଅକ୍ଷତ ଅବସ୍ଥାରେ ଚେତାଶୂନ୍ୟ ହୋଇପଡ଼ିଥିଲେ ଜଗା । ଏହି ଖବର ପାଇ ପୋଲିସ ଜଗାଙ୍କୁ ଉଦ୍ଧାର କରିଥିଲା ସତ, ହେଲେ ଚିତ୍ତଙ୍କ ମିଳିନଥିଲା ପତ୍ତା । ଏହାର ୨ ଦିନ ପରେ ନୂଆନଈ ଗଡ଼ମୃଗଶିରା ବ୍ରିଜ୍ ତଳୁ ମିଳିଥିଲା ମୃତଦେହ ।

ଇତିମଧ୍ୟରେ ଘଟଣାକୁ ସପ୍ତାହେ ପୁରିବାକୁ ବସିଲାଣି । ୩ ଦିନ ହେଲା କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଅଥଚ ହତ୍ୟାର କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ହୋଇନଥିବାରୁ ଆଜି ବ୍ରହ୍ମଗିରିରେ ଗର୍ଜିଛି ବିଜେପି । ସିବିଆଇ ତଦନ୍ତ ଦାବିରେ ବିଶାଳ ରାଲି ସହ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ସେପଟେ କଂଗ୍ରେସ ହାଇକୋର୍ଟର ବିଚାରପତିଙ୍କ ତତ୍ତ୍ୱାବଧାନରେ SIT ଗଠନ କରି ତଦନ୍ତ କରାଇବା ସହ ସଞ୍ଜୟ ଦାସବର୍ମାଙ୍କ ଗିରଫ ଦାବି କରିଛି । ସେପଟେ ସଞ୍ଜୟ ଦାସବର୍ମା କହିଛନ୍ତି କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି, ସତ ପଦାକୁ ଆସିବ ।