Advertisment

‘ଜଗା କେବେ ଏସବୁ କାମ ଏକା କରିପାରିବନି, ଏଥିରେ...’

ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାରେ ଆଜି ଜଗା ଘରକୁ ଯାଇ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ କରିଛି। ଚିତ୍ତଙ୍କ ମୃତ୍ୟୁ ଘଟଣାର ପୂର୍ବ ରାତିରେ ଭୋଜି ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Chittaranjan Wife

Chittaranjan Wife

ଭୁବନେଶ୍ୱର: ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାରେ ଆଜି ଜଗା ଘରକୁ ଯାଇ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ କରିଛି। ଚିତ୍ତଙ୍କ ମୃତ୍ୟୁ ଘଟଣାର ପୂର୍ବ ରାତିରେ ଚିତ୍ତଙ୍କ ସହ ସଞ୍ଜୟ ଦାସବର୍ମାଙ୍କ PSO ସର୍ବେଶ୍ୱର ଜେନା, ଚିତ୍ତଙ୍କ ପୁତୁରା ଦିଲ୍ଲୀପ ପଲେଇ ଭୋଜି କରିଥିଲେ। ଏଥିରେ ଉମାକାନ୍ତ ପାଇକରାୟ, ସୂର୍ଯ୍ୟ ପ୍ରସାଦ ମିଶ୍ର ଓ ଜଗନ୍ନାଥ ଷଡ଼ଙ୍ଗୀ ସାମିଲ ଥିଲେ। ଜଗନ୍ନାଥ ଓରଫ ଜଗା ହେଉଛନ୍ତି ଚିତ୍ତଙ୍କ ସାଙ୍ଗ। 

Advertisment

ତେଣୁ ତଦନ୍ତର ଦ୍ୱିତୀୟ ଦିନରେ ପୁରୀ ମାଟିଆପଡ଼ା ସ୍ଥିତ ଘର ଯେଉଁଠି ଭୋଜି ହୋଇଥିଲା, ସେଠାକୁ ଯାଇ  କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଖୋଳତାଡ଼ କରିଛି। ଏହାସହ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଜଗାର ସାହି ପଡ଼ୋଶୀ ଲୋକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଜଗା କେତେ ବର୍ଷ ଧରି ଏଠି ଥିଲେ ? ସେ ଦିନ ରାତିରେ କିଏ କିଏ ଥିଲେ ? ସେ ଦିଗକୁ ବି ତଦନ୍ତ ପରିସରକୁ ନିଆଯାଇଛି। 

ଚିତ୍ତ ରଞ୍ଜନଙ୍କ ପତ୍ନୀ ସୁଭଦ୍ରା କହିଛନ୍ତି, ‘ଘଟଣାକୁ ନେଇ ରାଜନୀତି ନକରାଯାଉ। ପୋଲିସ୍‌ ଓ କ୍ରାଇମ୍‌ବ୍ରାଞ୍ଚ ଉପରେ ଭରସା ଅଛି। ସେମାନଙ୍କୁ ସେମାନଙ୍କ କାମ କରିବାକୁ ଦିଆଯାଉ। ମୁଁ ଜାଣିଛି ମୋ ସ୍ୱାମୀଙ୍କୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ। ଜଗା କେବେ ଏସବୁ କାମ ଏକା କରିପାରିବନି। ଏଥିରେ ଆଉ କିଛି ଲୋକ ମଧ୍ୟ ସାମିଲ ଅଛନ୍ତି।’ ସେପଟେ ‘ତଦନ୍ତ ଠିକ୍‌ ଭାବେ ଚାଲୁ, ଦୋଷୀ ଦଣ୍ଡ ପାଉ’ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି।

Advertisment

ଅନ୍ୟପକ୍ଷେ, ଚିତ୍ତ ରଞ୍ଜନ ମୃତ୍ୟୁ ମାମଲାକୁ ନେଇ ବିଜେପି ରାଜ ରାସ୍ତାକୁ ଓହ୍ଲାଇଛି। ଚିତ୍ତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ପାଇଁ ସିବିଆଇ ତଦନ୍ତ ହେଉ। କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ସତ ପଦାକୁ ଆସିବନି ବୋଲି ବିଜେପି କହିଛି। ଆଜି ବ୍ରହ୍ମଗିରିରେ ବିଜେପି ନେତା ବିଶାଳ ରାଲି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବ୍ରହ୍ମଗିରି ଓ ପୁରୀର ବିଧାୟକଙ୍କ ସମେତ ବରିଷ୍ଠ ବିଜେପି ନେତା ଓ ବହୁ ସଂଖ୍ୟାରେ ବିଜେପି କର୍ମୀ ଏଥିରେ ଯୋଗ ଦେଇଥିଲେ। 

ମିଳିଥିବା ସୂଚନା ଅନୁସାରେ ଚିତ୍ତ ମୃତ୍ୟୁ ମାମଲାରେ ପୁରୀ ଚକ୍ରପଡ଼ାର ଜଣେ ମହିଳାଙ୍କୁ ତଦନ୍ତକାରୀ ସଂସ୍ଥା ପଚରାଉଚରା କରିବ। ସମ୍ପୃକ୍ତ ମହିଳାଙ୍କ ଘରକୁ ମୃତ ଚିତ୍ତ ଓ ଜଗନ୍ନାଥ ଯା’ଆସ କରୁଥିଲେ। ତେଣୁ ଚିତ୍ତଙ୍କ ମୃତ୍ୟୁ ସମ୍ପର୍କରେ ସେ କଣ ଜାଣିଛନ୍ତି ସେ ସମ୍ପର୍କରେ ଜେରା କରାଯିବ। ଏହାପୂର୍ବରୁ ସର୍ବେଶ୍ୱର, ଦିଲ୍ଲୀପଙ୍କୁ ମଧ୍ୟ ପଚରାଉଚରା କରାଯାଇଛି।

ଗତ ୧୩ ତାରିଖରେ ପୁରୀ ନୂଆନଈ ନିକଟରେ ଚିତ୍ତ ରଞ୍ଜନଙ୍କ ମୃତଦେହ ମିଳିଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସଦର ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତେବେ ମାମଲାରେ ବିଜେଡି ନେତା ସଞ୍ଜୟ ଦାସ ବର୍ମାଙ୍କ ସମ୍ପୃକ୍ତି ନେଇ ପରିବାର ଲୋକେ ଅଭିଯୋଗ ଆଣିବା ପରେ ସଞ୍ଜୟଙ୍କ ଅଡ଼ୁଆ ବଢିଛି। 

Crime Branch Chittaranjan Palai Death Sanjay Dasburma
Advertisment
Advertisment