/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695741831.jpg)
Capital Hospital
ପୁଅ ଜନ୍ମ ହେଇଛି କହିଲେ । ହେଲେ ଦେଲା ବେଳକୁ ଝିଅ ଧରେଇ ଦେଲେ । ରାଜ୍ୟର ଅନ୍ୟତମ ପ୍ରମୁଖ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ଏଭଳି ଶିଶୁ ଅଦଳବଦଳର ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳ । ପ୍ରାଣକୃଷ୍ଣଙ୍କ କହିବାନୁସାରେ- ଗତକାଲି ତାଙ୍କ ପତ୍ନୀଙ୍କ ଗର୍ଭ ଯନ୍ତ୍ରଣା ବଢ଼ିବାରୁ ଅପରାହ୍ନ ସାଢ଼େ ୪ଟା ବେଳେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ନର୍ମାଲ ଡେଲିଭରି ହେବ ବୋଲି ଆଗେ ଡାକ୍ତର କହିଥିଲେ ବି ପରେ କିନ୍ତୁ ଅସ୍ତ୍ରୋପଚାର କରାଗଲା। ଏହାପରେ ତାଙ୍କର ପୁଅଟିଏ ହୋଇଥିବା କହି ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କଠାରୁ ଦସ୍ତଖତ ମାଗିଲେ, କିନ୍ତୁ ଯେଉଁ ଛୁଆ ଦେଇଥିଲେ ତାହା ପୁଅ ନୁହେଁ ଝିଅ ଜାଣି ପ୍ରାଣକୃଷ୍ଣ ଆପତ୍ତି ଉଠାଇଥିଲେ। ତୁରନ୍ତ ଏ ସମ୍ପର୍କରେ ଡ୍ୟୁଟିରେ ଥିବା ମହିଳା ଡାକ୍ତରଙ୍କୁ ଜଣାଇଲେ। ହେଲେ ସଂପୃକ୍ତ ଡାକ୍ତର ପୁଅ ତାଙ୍କର ନୁହେଁ ଅନ୍ୟ ପ୍ରସୂତୀଙ୍କର ବୋଲି କହିଥିଲେ। ଏଥିସହ ଯେଉଁ ପ୍ରସୂତୀଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଛି, ସେ ତାଙ୍କ ସଂପର୍କୀୟ ବୋଲି ବି କହିବାରୁ ପ୍ରାଣକୃଷ୍ଣଙ୍କ ସନ୍ଦେହ ଅଧିକ ବଢ଼ିଥିଲା ।
ତାଙ୍କ ଛୁଆ ଅଦଳବଦଳ କରାଯାଇଥିବା ଆଶଙ୍କା କରି ସେ ହସ୍ପିଟାଲ ନିର୍ଦ୍ଦେଶକ ଓ ସ୍ଥାନୀୟ ପୋଲିସରେ ଅଭିଯୋଗ କରିଛନ୍ତି । ଏମିତିକି ଡିଏନଏ ଟେଷ୍ଟ ରିପୋର୍ଟ ନଆସିବା ଯାଏଁ, ସେ ମେଡିକାଲ ଛାଡ଼ି ଯିବେ ନାହିଁ କି ଶିଶୁକନ୍ୟାକୁ ନେବେନି ବୋଲି ସଫା ସଫା ଶୁଣାଇଛନ୍ତି ପ୍ରାଣକୃଷ୍ଣ । ସେପଟେ ଶିଶୁ ଅଦଳବଦଳ ସନ୍ଦେହକୁ ଆସିଥିବା ଅନ୍ୟ ଜଣେ ପ୍ରସୂତୀଙ୍କ ସ୍ୱାମୀ ମଧ୍ୟ ଡିଏନଏ ଟେଷ୍ଟ ଦାବିକୁ ସ୍ୱାଗତ କରିଛନ୍ତି।
ଘଟଣା ଯଦି ସତ ହୋଇଥିବ ତାହାଲେ ସାଂଘାତିକ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ। ଏଥିପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ପାଇଁ ସୁପରିଣ୍ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ଦରକାର ପଡ଼ିଲେ DNA ଟେଷ୍ଟ କରାଯିବ ବୋଲି କହିଛନ୍ତି ନିର୍ଦ୍ଦେଶକ ।
ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଶିଶୁ ବଦଳ ଅଭିଯୋଗ ନୂଆ ନୁହେଁ। ପୂର୍ବରୁ କଟକ ବଡ଼ ମେଡିକାଲରେ ଏପ୍ରିଲ ୨୦୧୨ରେ ନିଶ୍ଚିନ୍ତକୋଇଲି ଅଞ୍ଚଳର ଏକ ଦଂପତି ସେମାନଙ୍କ ନବଜାତ ପୁତ୍ର ସନ୍ତାନ ବଦଳ ହୋଇଥିବା ଅଭିଯୋଗ ଆଣିଥିବାବେଳେ ଏପ୍ରିଲ ୧୮- ୨୦୧୩ରେ ଯାଜପୁର ଅଞ୍ଚଳର ଏକ ଦଂପତି ବି ସମାନ ଅଭିଯୋଗ ଆଣିଥିଲେ। ସେହିପରି ୨୩ ମେ ୨୦୧୬ରେ ବୁର୍ଲା ମେଡିକାଲରେ ବି ଏକ ଶିଶୁ ବଦଳ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା ଏବଂ ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ମାମଲା ଥଣ୍ଡା ପଡ଼ିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)