• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚଣ୍ଡିଗଡ଼ ୟୁନିଭର୍ସିଟି ଭିଡିଓ ଲିକ୍ ଘଟଣାରେ ୩ ଗିରଫ । ଏମାନଙ୍କ ମଧ୍ୟରେ ଅଛନ୍ତି ଭିଡିଓ ଭାଇରାଲ କରିଥିବା ହଷ୍ଟେଲ ଛାତ୍ରୀ, ହିମାଚଳ ପ୍ରଦେଶରେ ରହୁଥିବା ତାଙ୍କ ବୟଫ୍ରେଣ୍ଡ ଏବଂ ଆଉ ଜଣେ ୩୧ ବର୍ଷୀୟ ଯୁବକ । ହଷ୍ଟେଲର ୬୦ରୁ ଅଧିକ ଛାତ୍ରୀଙ୍କ ବାଥୁରମ ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେବଳ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଥିବା କହୁଛନ୍ତି । ପଂଜାବ ସରକାର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଗତକାଲି ୩ ଜଣିଆ ସଦସ୍ୟ ବିଶିଷ୍ଟ ଏସ୍ଆଇଟି ଗଠନ ହୋଇଛି ।

ଦୁଇ ଦିନ ପୂର୍ବରୁ ବିଳମ୍ବିତ ରାତି ଯାଏଁ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗି ରହିଥିଲା ଉତ୍ତେଜନା । ତେଜିଥିଲା ଛାତ୍ର ଅସନ୍ତୋଷ । ଶହ ଶହ ଛାତ୍ରଛାତ୍ରୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୟୁନିଭର୍ସିଟି ହଷ୍ଟେଲରେ ରହୁଥିବା କିଛି ଛାତ୍ରୀଙ୍କ ବ୍ୟକ୍ତିଗତ ଭିଡିଓ ଭାଇରାଲ୍ ହେବା ଘଟଣାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କ୍ଷମାପ୍ରାର୍ଥନା ଦାବିରେ ଅଡ଼ି ବସିଥିଲେ ସେମାନେ । ସେହିପରି ଗତରାତିର ଭିଡ଼ ହଟିଥିବା ବେଳେ, ସକାଳୁ ଛାତ୍ରଛାତ୍ରୀମାନେ ବ୍ୟାଗପତ୍ର ଧରି କ୍ୟାମ୍ପସ୍ ଛାଡ଼ୁଥିବା ଦେଖିବାକୁ ମିଳିଛି ।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆନ୍ଦୋଳନରତ ଛାତ୍ରଗୋଷ୍ଠୀଙ୍କ ସବୁ ଦାବି ମାନି ନେଇଥିବା ସୂଚନା ମିଳିଛି । ସ୍ଥିତିକୁ ଦେଖି ଆସନ୍ତା ୬ ଦିନ ପାଇଁ ଅର୍ଥାତ୍ ୨୪ ତାରିଖ ଯାଏଁ କ୍ଲାସ୍ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଭାବେ ୨ ଜଣ ହଷ୍ଟେଲ୍ ଓ୍ୱାର୍ଡେନଙ୍କୁ ନିଲମ୍ବନ କରାଯାଇଥିବା ବେଳେ ସବୁ ହଷ୍ଟେଲ୍ ଓ୍ୱାର୍ଡେନଙ୍କ ବଦଳି କରାଯାଇଛି ଏବଂ ହଷ୍ଟେଲ୍ ଟାଇମିଂ ବଦଳାଇ ଦିଆଯାଇଛି ।

ପୋଲିସ ବି ଏହି ମାମଲାର ଖୋଳତାଡ଼ ଜାରି ରଖିଛି । ୩ ମହିଳା ପୋଲିସ ଅଧିକାରୀଙ୍କୁ ନେଇ ଏସ୍ଆଇଟି ବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି ବୋଲି ପଞ୍ଜାବ ଡିଜିପି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନଙ୍କ ନିର୍ଦେଶକ୍ରମେ ଗଠିତ ଏହି ଏସ୍ଆଇଟିର ନେତୃତ୍ୱ ନେବେ ବରିଷ୍ଠ ଆଇପିଏସ୍ ଅଧିକାରୀ ଗୁରୁପ୍ରୀତ ଦେଓ । ଲେଡିଜ୍ ହଷ୍ଟେଲର କିଛି ଅନ୍ତେବାସୀଙ୍କ ଭିଡିଓକୁ ସେହି ହଷ୍ଟେଲର ଆଉ ଜଣେ ଅନ୍ତେବାସୀ ଭାଇରାଲ୍ କରିଦେଇଥିବା ଅଭିଯୋଗ ହୋଇଥିଲା ।

ସେ ଶିମଲାର ନିଜ ପୁରୁଷ ବନ୍ଧୁଙ୍କୁ ଭିଡିଓ ପଠାଇଥିବା ଏବଂ ସେ ଏହାକୁ ଇଣ୍ଟରନେଟରେ ଛାଡ଼ିଥିବା ଅଭିଯୋଗ ହେବା ପରେ, ପୋଲିସ ଏବେସୁଦ୍ଧା ଏହି ମାମଲାରେ ସମ୍ପୃକ୍ତ ଛାତ୍ରୀଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି । ଶିମଲା ଜିଲ୍ଲା ରୋହରୁରୁ ଗିରଫ ହୋଇଥିବା ଯୁବକଙ୍କ ନାଁ ସନି ମେହେତା । ତା ବିରୋଧରେ ଆଇପିସି ଧାରା ୩୫୪-ସି, ୬୬-ଇ ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇଛି ।

ପଞ୍ଜାବ ମୋହାଲି ସ୍ଥିତ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଲେଡିଜ୍ ହଷ୍ଟେଲର ୬୦ ଜଣ ଅନ୍ତେବାସୀଙ୍କ ଗାଧୁଆ ବେଳର ଭିଡିଓ ଲିକ୍ ହୋଇଥିବା ଅଭିଯୋଗ ହେବା ପରେ ୟୁନିଭର୍ସିଟି ପରିବେଶ ଅଶାନ୍ତ ରହିଛି । ଛାତ୍ରୀମାନେ ନିଜ ସୁରକ୍ଷା ଓ ନିରାପତ୍ତାକୁ ନେଇ ପ୍ରଶ୍ନ ଉଠାଇବା ସହିତ ହଷ୍ଟେଲ୍ ଓ୍ୱାର୍ଡେନ୍ ବଦଳାଇବାକୁ ଏବଂ ହଷ୍ଟେଲ୍ ଏଣ୍ଟ୍ରି ଟାଇମିଂ କୋହଳ କରିବାକୁ ଦାବି ରଖିଛନ୍ତି । ତେବେ ପୋଲିସ କହିଛି, କେବଳ ଜଣେ ଛାତ୍ରୀ ନିଜର କିଛି ଫଟୋ ଓ ଭିଡିଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଠାଇଥିଲେ । ଆଉ କାହାର ଭିଡିଓ ମିଳିନାହିଁ । ଏଥିସହ କିଛି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚାକୁ ମଧ୍ୟ ପୋଲିସ ଖଣ୍ଡନ କରିଛି । ତେବେ ଏହି ମାମଲାକୁ ଧ୍ୟାନକୁ ନେଇଛନ୍ତି ପଞ୍ଜାବ ରାଜ୍ୟ ମହିଳା କମିଶନ ।