ଟେଣ୍ଡର ପାଇଁ ୧୦ ଲକ୍ଷ ଟଙ୍କା କାରବାର ବେଳେ ତାରକା ହୋଟେଲ ଆଗରୁ ୨ କଣ୍ଟ୍ରାକ୍ଟର ସହ ବ୍ରିଜ ଆଣ୍ଡ ରୁଫ୍ ଗ୍ରୁପ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି ସିବିଆଇ । ସେପଟେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇ ସୁପର୍ କ୍ଲାସ୍ କଣ୍ଟ୍ରାକ୍ଟର ତଥା ଏହି ଲାଞ୍ଚ କାରବାରର ମଧ୍ୟସ୍ଥି ସାଜିଥିବା ଦେବଦତ୍ତ ମହାପାତ୍ରଙ୍କ ଘର ଓ ଅଫିସରେ ମଧ୍ୟ ସିବିଆଇ ରେଡ୍ କରିଛି । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଲକ୍ଷାଧିକ ନଗଦ ଟଙ୍କା ଜବତ କରିଛି ।
ଏହାପରେ ଦେବଦତ୍ତଙ୍କ ADIPL ଅଫିସ ସିଲ୍ କରିଛି ସିବିଆଇ । ପାହାଳ ସ୍ଥିତ ଆଦିତ୍ୟ ଦେବ ଇନ୍ଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ ସିଲ ହୋଇଛି । ଅଫିସ କର୍ମଚାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି ସିବିଆଇ । ଗତ ଶନିବାର ରାତିରେ ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ କଂପାନୀ ଉପରେ ମେଗା ରେଡ୍ ହୋଇଥିଲା ।
Also Read
ଅଧିକ ପଢନ୍ତୁ: ଛେଚି ଦେଇ ଗଲେ ବିଧା-ଗୋଇଠା, କଲେଜ୍ କ୍ୟାମ୍ପସ୍ ପାଲଟିଲା ରଣକ୍ଷେତ୍ର
ରାଜଧାନୀର ଛାତି ଉପରେ ରାତିରେ ହୋଇଥିଲା ଚଢ଼ାଉ । ବ୍ରିଜ୍ ଆଣ୍ଡ୍ ରୁଫ୍ କଂପାନୀର ଓଡ଼ିଶା ମୁଖ୍ୟ ତଥା ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ, ଭୁବନେଶ୍ୱରସ୍ଥିତ ପେଣ୍ଟା-ଏ ଷ୍ଟୁଡିଓର ନିର୍ଦ୍ଦେଶକ ସନ୍ତୋଷ ମହାରଣା, ଏବଂ ସୁପର କ୍ଲାସ୍ କଣ୍ଟ୍ରାକ୍ଟର ତଥା ମିଡିଲମ୍ୟାନ୍ ଦେବଦତ୍ତ ମହାପାତ୍ର । ୧୨ ଘଣ୍ଟାର ନନଷ୍ଟପ୍ ଛାନଭିନ୍ ପରେ ଏହି ୩ ଜଣଙ୍କୁ ଗିରଫ କରିଥିଲା ସିବିଆଇ ।
କେବଳ ଏତିକି ନୁହେଁ, ଚଢ଼ାଉ ବେଳେ ଦେବଦତ୍ତଙ୍କ ଘରୁ ଜବତ ହୋଇଥିଲା ବିପୁଳ ଟଙ୍କା ଆଉ ସୁନା ଅଳଙ୍କାର । ମିଳିଥିଲା ଲକର୍ ସହ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ । ଭୁବନେଶ୍ୱରର ୨ଟି, କଟକ, ଭଦ୍ରକ ଏବଂ ଗଞ୍ଜାମ ଛତ୍ରପୁରର ଗୋଟିଏ ଲେଖାଏଁ ସ୍ଥାନରେ ସିବିଆଇ ଆକସ୍ମିକ ଛାପା ମାରିଥିଲା । କେବଳ ଓଡ଼ିଶା ନୁହେଁ, ଦିଲ୍ଲୀ ଓ କୋଲକାତା ସହ ଦେଶର ମୋଟ ୧୧ଟି ସ୍ଥାନରେ ହୋଇଥିଲା ମେଗା ରେଡ୍ ।
ସୂଚନାଯୋଗ୍ୟ, କାର୍ ବନେଟ୍ ଉପରେ ଟଙ୍କାକୁ ଥୋଇ ଗଣିବା ପରେ ଜଣାପଡ଼ିଲା, କାରରେ ଥିଲା ପ୍ରାୟ ୧୦ ଲକ୍ଷ ଟଙ୍କା । ଏହାପରେ ଗାଡ଼ିରେ ଥିବା ୪ ଜଣଙ୍କୁ ହେପାଜତକୁ ନେଇ ଖୋଳତାଡ଼ କରିଥିଲା ସିବିଆଇ । ତେବେ ଏଠି ପ୍ରଶ୍ନ, କେନ୍ଦ୍ର ସରକାରଙ୍କ ଭାରିଶିଳ୍ପ ମନ୍ତ୍ରାଳୟ ଅଧିନରେ ଆସୁଥିବା ବ୍ରିଜ୍ ଆଣ୍ଡ୍ ରୁଫ୍ କୋ ଲିମିଟେଡ୍ ଅଫିସ ଏବଂ ତା’ଲିଙ୍କରେ ଥିବା ବ୍ୟକ୍ତିଙ୍କ ଉପରେ କାହିଁକି ଜାରି ରହିଛି ଏତେ ବଡ଼ ଧରପଗଡ଼ ? ରେଡ୍ ପଛର ରହସ୍ୟ କ’ଣ? ବଡ଼ଧରଣର ଟେଣ୍ଡର ଫିକ୍ସିଂ ପାଇଁ ଚାଲିଥିଲା କି ମହାଡିଲ୍ ?
ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀର ଓଡିଶା ମୁଖ୍ୟ ତଥା GGM ଚଞ୍ଚଲ୍ ମୁଖାର୍ଜୀଙ୍କ ସହ ଗତକାଲି ଚାଲିଥିଲା କୋଟିଏ ଟଙ୍କାର ଟେଣ୍ଡର୍ ଡିଲ୍ । ଏଥିପାଇଁ ଦିଆଯାଉଥିଲା ୧୦ ଲକ୍ଷ ଟଙ୍କାର ଅଗ୍ରୀମ ଲାଞ୍ଚ । ଠିକ୍ ଏହି ସମୟରେ ଆଗୁଆ ସୂଚନା ପାଇଥିବା ସିବିଆଇ ଟିମ୍ ମାଡ଼ିବସିଲା ହୋଟେଲ୍ ସାମ୍ନାରେ । କାରଣ କୋଟି କୋଟି ଟଙ୍କାର ହେରଫେର୍ ଓ ଟେଣ୍ଡର ଫିକ୍ସିଂ ନେଇ କମ୍ପାନୀ ବିରୋଧରେ ଦିଲ୍ଲୀ ସିବିଆଇ ପାଖରେ ଆଗରୁ ଏକ ମାମଲା ରୁଜୁ ହୋଇଥିଲା ।