• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ଘଟଣାରେ ୪ ଗିରଫ ହୋଇଛନ୍ତି । ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସଙ୍କୁ ସିବିଆଇ ଗିରଫ କରିଛି । ଏହାସହ OSLର ଠିକା କର୍ମଚାରୀ ଠିକାଦାର ସୁମନ୍ତ ରାଉତଙ୍କ ସହ କେସିଟି ଗ୍ରୁପ୍ ପୋର୍ଟ ଅପରେସନ ମ୍ୟାନେଜର ଶଂଖଶୁଭ୍ର ମିତ୍ର ଏବଂ OSL ଅପରେସନ ଡିଜିଏମ୍ ସୂର୍ଯ୍ୟନାରାୟଣ ସାହୁ ଗିରଫ ହୋଇଥିବା ସୂଚନା ମିଳିଛି ।

ଏପଟେ ଶିଳ୍ପପତି ମହିମା ମିଶ୍ର ଆଜି ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ତେବେ ହାଜର ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମହିମା କହିଛନ୍ତି, ‘ସିବିଆଇ ମୋତେ ନୋଟିସ କରିଥିଲା । ହେଲେ କାହିଁକି ଡାକିଛି ମୁଁ ଜାଣିନି।’ ଆଇନ ଉପରେ ଶତ ପ୍ରତିଶତ ଭରସା ଅଛି ବୋଲି ମଧ୍ୟ କହିଛନ୍ତି ମହିମା ମିଶ୍ର ।

ସୂଚନା ଅନୁସାରେ, ଗତକାଲି ମଧ୍ୟ ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ସିବିଆଇ ପଚରାଉଚରା କରିଥିଲା । ମହିମାଙ୍କୁ ଗତକାଲି ପାରାଦୀପ ବନ୍ଦର ଗେଷ୍ଟ ହାଉସ୍‌ରେ ୬ ଘଣ୍ଟା ଧରି ଜେରା ହୋଇଥିଲା । ସେହିପରି ଭୁବନେଶ୍ୱର ସିବିଆଇ ଅଫିସ୍‌ରେ ସାଢ଼େ ତିନି ଘଣ୍ଟାରୁ ଅଧିକ ସମୟ ଧରି ସିବିଆଇ ଚନ୍ଦନଙ୍କୁ ପଚରାଉଚରା କରିଥିଲା ।

ତେବେ ଉଭୟଙ୍କୁ ୨୫ ଲକ୍ଷ ଟଙ୍କା ଲିଙ୍କ୍‌କୁ ନେଇ ଜେରା ହୋଇଥିବା ଅନୁମାନ କରାଯାଉଛି । ଗତକାଲି ସକାଳୁ ସିବିଆଇ ଟିମ୍ ମହିମାଙ୍କୁ କଟକ ଘର, ଅଫିସ୍ ଓ ପାରାଦୀପ ଅଫିସ୍‌ରେ ରେଡ୍ କରିଥିଲା । ଏହାସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିଅର ସରୋଜ ଦାସ ଏବଂ OSLର ଠିକା କର୍ମଚାରୀ ସୁମନ୍ତ ରାଉତଙ୍କୁ ବି ପାରାଦୀପରୁ ଉଠାଇ ନେଇ ସିବିଆଇ ପଚରାଉଚରା କରିଥିଲା । କୋଲ୍ ମାଇନିଂ କମ୍ପାନି KCT ସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିଅର ସରୋଜ ଦାସଙ୍କ ବିବାଦ ଥିଲା । ଏହାକୁ ସମାଧାନ କରିବାକୁ KCTର କୋଲ୍ ହାଣ୍ଡଲିଂ ଏଜେଣ୍ଟ OSL ୨୫ ଲକ୍ଷ ଟଙ୍କା ସରୋଜଙ୍କୁ ଦେଇଥିବା ଚର୍ଚ୍ଚା ହେଉଛି । OSL ଠିକା କର୍ମଚାରୀ ସୁମନ୍ତ ରାଉତ ଜରିଆରେ ଏହି ଲାଞ୍ଚ ଟଙ୍କା ନେଇଥିବା କୁହାଯାଉଛି । ଘଟଣାକୁ ନେଇ ସିବିଆଇ, ଓଏସ୍ଏଲ୍, KCT କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।