• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେପି ନେତାଙ୍କୁ ଗୁଳି । ତାହା ପୁଣି ତାଙ୍କ ଘର ସାମ୍ନାରେ । ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସିଲେ । ଆଉ ବିଜେପି କୁଷକ ମୋର୍ଚ୍ଚା ନେତାଙ୍କୁ ଗୁଳି କରି ଚାଲିଗଲେ । ଗୁଳିମାଡ଼ ଖାଇ ଘଟଣାସ୍ଥଳରେ ହିଁ ଟଳିପଡ଼ିଲେ ବିଜେପି ନେତା । ତଳେ ପଡ଼ି ଛଟପଟ ହୋଇ ସେହିଠାରେ ହିଁ ଚାଲିଗଲା ତାଙ୍କର ଜୀବନ । ଗୁଳି ଶବ୍ଦ ଶୁଣି ପରିବାର ଲୋକ ଧାଇଁ ଆସିଥିଲେ, ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ଡାକ୍ତର ପରୀକ୍ଷା ନିରିକ୍ଷା କରିବା ପରେ ନେତାଙ୍କୁ ମୃତ ଘୋଷଣା କରିଥିଲେ ।

ଗୁରୁବାର ସନ୍ଧ୍ୟାରେ ଏଭଳି ଏକ ସାଂଘାତିକ ଘଟଣା ଘଟିଛି ଉତ୍ତର ପ୍ରଦେଶର ମଜହୋଲା ଅଞ୍ଚଳରେ । ପୁରା ଘଟଣାର ସିସିଟିଭି ଫୁଟେଜ୍‌ ମଧ୍ୟ ରହିଛି । ଯାହାକୁ ପୋଲିସ ନିଜ ହେଫାଜତକୁ ନେଇଛି । 

ଗୁଳିମାଡ଼ରେ ଜୀବନ ହରାଇଥିବା ଏହି ବିଜେପି କୃଷକ ନେତା ହେଉଛନ୍ତି ଅନୁଜ ଚୌଧୁରୀ । ସେ ଚାଲିବା ପାଇଁ ଘରୁ ପାର୍କ ଆଡ଼କୁ ଯାଉଥିଲେ । ସାଙ୍ଗରେ ତାଙ୍କର ଭାଇ ମଧ୍ୟ ଥିଲେ । ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସିଲେ ଆଉ ତାଙ୍କୁ ଗୁଳି କରି ଚାଲିଗଲେ । ଥରେ ନୁହେଁ ଏକାଧିକ ଥର ତାଙ୍କୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । 

BJP Leader KilledBJP Leader Killed

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଡାକ୍ତରଖାନାରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମଧ୍ୟ ପଠାଇଛି । ସେପଟେ ଏହି ଘଟଣାରେ ଏକ ମାମଲା ରୁଜୁ କରି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ଖାଲି ସେତିକି ନୁହେଁ ପୁରା ପରିବାରକୁ ପଚରାଉଚରା କରିବା ସହ ଆଖପାଖ ଲୋକଙ୍କୁ ବି ପଚରାଉଚରା କରିଛି ପୋଲିସ । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।

ତେବେ ଏହି ହତ୍ୟାକାଣ୍ଡ ରାଜନୈତିକ ଶତ୍ରୁତା କାରଣରୁ ହୋଇଥିବା ପରିବାର ଲୋକ କହିଛନ୍ତି । ବିରୋଧୀ ଦଳର ନେତା ଲୋକ ଲଗେଇ ଏଭଳି ହତ୍ୟାକାଣ୍ଡ ଘଟାଇଥିବା କହିଛନ୍ତି ପରିବାର ଲୋକ ।

୨୦୨୧ ରେ ଅନୁଜ ବ୍ଲକ୍‌ ଚିଫ୍‌ ନିର୍ବାଚନ ଲଢ଼ିଥିଲେ । ସେଥିରେ ସେ ମାତ୍ର ୧୦ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ଜିତିଥିବା ବ୍ଲକ୍‌ ଚିଫ୍‌ ସନ୍ତୋଷୀ ଦେବୀଙ୍କ ବିରୋଧରେ ଏବେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସଜବାଜ ହେଉଥିଲେ ଅନୁଜ । ଏହି କାରଣରୁ ଉଭୟଙ୍କ ମଧ୍ୟରେ ଜୋରଦାର ଟକ୍କର ଚାଲିଥିଲା ।

ଏବେ ପୋଲିସ ସନ୍ତୋଷୀ ଦେବୀ ଓ ତାଙ୍କ ସ୍ୱାମୀ ପ୍ରଭାକରଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ତାଙ୍କ ପୁଅ ଅନିକେତ ଚୌଧୁରୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି । ପୂର୍ବରୁ ଏହି ପରିବାର ସହ ଅନୁଜ ଚୌଧରୀଙ୍କ ପାଟିତୁଣ୍ଡ ହୋଇଥିଲା ।