• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୋଲିସକୁ ଆଉ ଏକ ସଫଳତା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇକୁ ଧରିଲା ପୋଲିସ । ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରଙ୍କୁ କବ୍‌ଜାକୁ ନେଇଛି ପୋଲିସ । ପରମେଶ୍ୱର ରାଉତଙ୍କୁ ବିଜୟୱାଡ଼ାରୁ ଧରିଛି ପୋଲିସ । ପରାମେଶ୍ୱର ବିଜୟୱାଡ଼ାରେ ରହି ଶର୍ମିଷ୍ଠାଙ୍କ ଫେରାର୍ ହେବା ନେଇ ପ୍ଲାନ କରିଥିଲେ । ଶର୍ମିଷ୍ଠା କେମିତି ଖସିଯାଇପାରିବେ, ସେନେଇ ପ୍ଲାନ୍ କରିଥିଲେ ପରମେଶ୍ୱର । ତେବେ ଶର୍ମିଷ୍ଠା କିନ୍ତୁ ବିଜୟୱାଡ଼ା ଯାଇନଥିବା ସୂଚନା ମିଳିଛି । ଶର୍ମିଷ୍ଠା ଏବେ କେଉଁଠି, ସେନେଇ ପୋଲିସ ସ୍ପଷ୍ଟ ହୋଇପାରିନି । ପରମେଶ୍ୱରଙ୍କୁ ଜେରା ବେଳେ ଶର୍ମିଷ୍ଠାଙ୍କ ଅବସ୍ଥିତି ଜଣାପଡ଼ିବା ନେଇ ଆଶା ରଖିଛି ପୋଲିସ ।

ସେପଟେ ଭଦ୍ରକ ପୋଲିସ ଖୋଳତାଡ଼ ଜାରି ରଖିଛି । ଓଡ଼ିଶା ବାହାରେ ତିିନିଟି ଟିମ୍ ଏବଂ ରାଜ୍ୟ ଭିତରେ ଶର୍ମିଷ୍ଠାଙ୍କୁ ଧରିବାକୁ ଟିମ୍‌ କାମରେ ଲାଗିଛି । ପୋଲିସ୍ କାହାରି ଚାପରେ ନାହିଁ, ତଦନ୍ତ ନିରପକ୍ଷ ଭାବେ ହେଉଛି ବୋଲି ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା କହିଥିଲେ । ପୂର୍ବରୁ ଦୁଇ ଥର ପୋଲିସ୍ ଶର୍ମିଷ୍ଠାଙ୍କୁ ଡାକି ପଚରାଉଚରା ପରେ ଛାଡ଼ି ଦେଇଥିଲା । ଏସମ୍ପର୍କରେ ବି ପ୍ରତିକ୍ରିୟା ରଖିଛନ୍ତି ଏସ୍‌ପି । ପ୍ରାଥମିକ ତଦନ୍ତ ପରେ ପୋଲିସ୍ ହାତରେ ପ୍ରମାଣ ଲାଗିଥିଲା । ଏହାପରେ ତାଙ୍କୁ ଖୋଜା ହେଉଛି ଏବଂ ତଦନ୍ତକୁ ଆଗକୁ ବଢ଼ାଇଥିବା ସେ ଦୋହରାଇଛନ୍ତି। 

ଏହି ମାମଲାରେ ମୁଖ୍ୟ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି । ଅପରପକ୍ଷେ ଗିରଫ ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ ଓ ଅନ୍ୟ ଅଭିଯୁକ୍ତ ରାଜ ନାୟକଙ୍କୁ ଏବେ ରିମାଣ୍ଡରେ ନେବନି ଭଦ୍ରକ ପୋଲିସ୍। ଅତିରିକ୍ତ ଏସ୍‌ପିଙ୍କ ସହ ଶର୍ମିଷ୍ଠାଙ୍କ ଫଟୋକୁ ନେଇ ସେ କହିଛନ୍ତି ଯେ ଫଟୋ ବାବଦରେ କିଛି ଜାଣିନି, ତଦନ୍ତ କରିବୁ ଓ କାର୍ଯ୍ୟାନୁଷ୍ଠାନ ନେବୁ ।

ସେପଟେ ଏହି ହତ୍ୟା ମାମଲାରେ ଗିରଫ OIS ନିରଞ୍ଜନ ସେଠୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । କଲ୍ ଡିଟେଲ ଲୋକେସନ ଆନାଲିସିସ୍‌ରୁ ରୋଚକ ତଥ୍ୟ ମିଳିଛି । ମାନସ ନିଖୋଜ ପରଠୁ ନିରଞ୍ଜନ ୨୦ରୁ ୩୦ ଥର ଶର୍ମିଷ୍ଠାଙ୍କୁ ଫୋନ୍ କରୁଥିଲେ । ଏପରିକି ଦିନେ ଶର୍ମିଷ୍ଠାଙ୍କୁ ୩୦ ଥର ଫୋନ୍ କରିଥିଲେ ନିରଞ୍ଜନ । ଅପହରଣ ଦିନ ମାନସ ସାଢ଼େ ୩ ଘଣ୍ଟା ଆଶ୍ରମରେ ଥିବା ସୂଚନା ମିଳିଛି। ସେହିପରି ନିରଞ୍ଜନ ବାରମ୍ବାର ଆଶ୍ରମକୁ ଆସୁଥିଲେ ବୋଲି ଅନ୍ତେବାସୀ କହିଛନ୍ତି । ଏନେଇ ତଦନ୍ତକାରୀ ଅଧିକାରୀ ଚାନ୍ଦବାଲି ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି।