ଲାଞ୍ଚ ନେଇ ଧରାପଡ଼ିଲେ ହରଭଙ୍ଗା ଥାନା IIC। ବୌଦ୍ଧ ହରଭଙ୍ଗା ଥାନା IIC ପୁଷ୍ପଲତା ରାଉତରାୟଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ଟିମ୍। ଜବତ ବାଲି ଗାଡ଼ି ଛାଡିବାକୁ ସେ ଲାଞ୍ଚ ନେଉଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ ଶରତ ବେହେରା ନାମକ ଜଣେ ବ୍ୟକ୍ତି ହରଭଙ୍ଗାର ବାଲିଘାଟ ଠିକା ନେଇଥିଲେ। ତାଙ୍କର ଏକ ବାଲି ଗାଡ଼ିକୁ କୌଣସି କାରଣରୁ ପୋଲିସ୍ ଧରିଥିଲା ଓ ତାକୁ ଜବତ କରି ହରଭଙ୍ଗା ଥାନାରେ ରଖାଯାଇଥିଲା। ସେହି ଗାଡ଼ିକୁ ଛାଡ଼ିବା ପାଇଁ ଆଇଆଇସି ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ।
ଆଜି ଶରତଙ୍କଠୁ IIC ପୁଷ୍ପଲତା ରାଉତରାୟ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ବ୍ରହ୍ମପୁର ଓ ବୌଦ୍ଧର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ ବୋଲି ଜଣାପଡ଼ିଛି। ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଭିଜିଲାନ୍ସ କର୍ମଚାରୀମାନେ ଫୁଲବାଣୀ ନେଇଛନ୍ତି। ସେଠାରେ ତାଙ୍କୁ ଅଧିକ ଜେରା କରାଯାଇପାରେ ବୋଲି ସୂଚନା ରହିଛି।