• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ୍ ମିଡିଆରେ ଭାଇରାଲ୍ ବଲାଙ୍ଗିରର ପୂର୍ବତନ ସବ୍ରେଜିଷ୍ଟ୍ରାରଙ୍କ ଘୋଟାଲା ଗାଥା । ଟିକେ ସଂକୋଚ ନାହିଁ ତିଳେ ମାତ୍ର ଭୟ ନାହିଁ । ସବ୍ ରେଜିଷ୍ଟ୍ରାର ସିଟ୍‌ରେ ବସି କି ବାହାଦୁରୀ ?ପଦ୍ମନାଭ ପୁରୋହିତ ସାଧାରଣ କିରାଣୀରୁ ଏବେ ପ୍ରଶାସନିକ ଅଧିକାରୀ ପଦ୍ମନାଭ ପୁରୋହିତ । ଯେଉଁ ଜମି ଦୁର୍ନୀତି ମାମଲାରେ, ବଲାଙ୍ଗିର ତହସିଲଦାର ମଘବାନ ବାଗ ଓ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତ ନିଲମ୍ବିତ ହୋଇଛନ୍ତି, ଅଭିଯୋଗ ହେଉଛି ସେହି ଘଟଣାର ମୂଳ ସୂତ୍ରଧର ପଦ୍ମନାଭ ପୁରୋହିତ ।

ରେଜିଷ୍ଟ୍ରି କାର୍ଯ୍ୟାଳୟରେ ନକଲି କାଗଜପତ୍ର ଚିହ୍ନଟ କରିବାର ସବୁ ସୁବିଧା ଥିଲେ ବି, ନକଲି ଲୋକଙ୍କୁ ଅସଲି ସଜାଇ, ପ୍ରଥମେ ରେଜିଷ୍ଟ୍ରି କରାଇଥିଲେ ପଦ୍ମନାଭ ପୁରୋହିତ । ତାପରେ ପାଦଟିଏ ଆଗକୁ ଯାଇ ତହସିଲଦାର, ରେଜିଷ୍ଟ୍ରି ହୋଇଥିବା ଜମି ଠାରୁ ଅଧିକ ପରିମାଣର ଜମିର ପଟ୍ଟା କରିଦେଲେ । ନକଲି କ୍ରେତା ଓ ବିକ୍ରେତାଙ୍କୁ ନେଇ ଏମିତି ଅନେକ ଜମିର ରେଜିଷ୍ଟ୍ରି କରାଇଥିବାର ଅଭିଯୋଗ, ପଦ୍ମନାଭଙ୍କ ନାଁରେ । ବର୍ତ୍ତମାନ ବଲାଙ୍ଗିର ଡିଏସ୍‌ଆରଙ୍କ କହିବା କଥା କାର୍ଯ୍ୟାଳୟରେ ନକଲି ଚିହ୍ନଟ ପାଇଁ ସବୁ ବ୍ୟବସ୍ଥା ଅଛି । ତାସତ୍ତ୍ୱେ ବି ନକଲି କାରବାର କରୁଥିଲେ ପଦ୍ମନାଭ । ସବୁଠୁ ବଡ଼ କଥା ହେଉଛି ପଦ୍ମନାଭଙ୍କ ଅଧିନରେ କାମ କରୁଥିବା କିରାଣୀ ଦୀପକ ବାଗଙ୍କୁ ଗିରଫ କରାଯାଇଛି । ହେଲେ ତାଙ୍କୁ ଯେମିତି ଛୁଟ୍ ଦେଇ ଦିଆଯାଇଛି ।

ଏପଟେ ଏବେ ବରଗଡର ସବ୍ ରେଜିଷ୍ଟ୍ରାର ଥିବା ପଦ୍ମନାଭଙ୍କ ପ୍ରତିକ୍ରିୟା ଲାଗି ତାଙ୍କ ସହ ବାରମ୍ବାର ଯୋଗାଯୋଗ ପାଇଁ ଆମେ ଉଦ୍ୟମ କରିଥିଲେ ବି ତାଙ୍କ ଫୋନ୍ ସୁଇଚ୍ ଅଫ୍ ରହୁଛି । ଏମିତିକି କିଛି ଦିନ ହେବ ସେ ଅଫିସ୍ ଆସୁନଥିବା ସୂଚନା ମିଳିଛି ।

ଏବେ ବଲାଙ୍ଗିର ତହସିଲ ଅଫିସରେ ହୋଇଥିବା ଜମି କେଳେଙ୍କାରୀକୁ ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ଚିଠି ଲେଖିଛି । ଧୂମାମରା ଜମି ଦୁର୍ନୀତିରେ ପୂର୍ବତନ ଡି.ଏସ.ଆର ପଦ୍ମନାଭ ପୁରୋହିତଙ୍କ ସବୁ ପ୍ରକାର ସଂପୃକ୍ତିର ସମ୍ଭାବନା ଥିବା ନେଇ ଚିଠିରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏହାସହ ତାଙ୍କ ବିରୋଧରେ ତଦନ୍ତ କରି ରିପୋର୍ଟ ଦେବାକୁ ଚିଠିରେ ନିର୍ଦେଶ ରହିଛି ।

 

ଏପରିକି ରେକର୍ଡ କିପର ମକରଧ୍ୱଜ କାଲସାଏ ଓ ଡାଟା ଏଣ୍ଟ୍ରି ଅପରେଟର ସନ୍ତୋଷ କୁମାର ସ୍ୱାଇଁଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେବାକୁ ଜିଲ୍ଳା ପ୍ରଶାସନକୁ ରାଜ୍ୟ ସରକାରଙ୍କ ନିର୍ଦେଶ ରହିଛି । କିନ୍ତୁ ଏହା ଭିତରେ କେବଳ ରେକର୍ଡ କିପର ମକରଧ୍ୱଜ ଗିରଫ ହୋଇଥିଲା ବେଳେ ପଦ୍ମନାଭ ଓ ଅନ୍ୟ ମାନଙ୍କ ବିରୋଧରେ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ । ଅପରପକ୍ଷେ ଧୂମାମରା ଜମି ଦୁର୍ନୀତି ମାମଲାରେ ଆଜି ଜମି ମାଫିଆ ଟିମନ କୁମ୍ଭାରକୁ ଗିରଫ କରାଯାଇଥିଲା ବେଳେ ପୂରା କେଳେଙ୍କାରୀରେ ଗିରଫଦାରୀ ସଂଖ୍ୟା ଏପର୍ଯ୍ୟନ୍ତ ୬ରେ ପହଞ୍ଚିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now