/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745834467.jpg)
ହତ୍ୟାର କାରଣ ସଂପତ୍ତି ବିବାଦ
ଦିନ ଥିଲା କର୍ଣ୍ଣାଟକର ତତ୍କାଳୀନ ପୁଲିସ ବିଭାଗର ଡିଜିପି ଓମ୍ ପ୍ରକାଶଙ୍କ ନିର୍ଦ୍ଦେଶରେ ଥରହର ହେଉଥିଲା ପୁଲିସ ବିଭାଗ। ଭୟରେ କମ୍ପୁଥିଲେ ପୁଲିସ ବିଭାଗର ଅଧସ୍ତନ କର୍ମଚାରୀ। ଏବେ ସେହି ଓମ୍ ପ୍ରକାଶଙ୍କୁ ଯେଭଳି ଭାବେ ନିର୍ମମ ହତ୍ୟା କରାଯାଇଛି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ରକ୍ତରେ ଲେଖା ତାଙ୍କର ଏ ହତ୍ୟା କାହାଣୀ ଶୁଣିଲେ ଲୋମ ମୂଳ ଟାଙ୍କୁରି ଉଠିବ। ତାଙ୍କ ଦେହରେ ଟକମକ ଫୁଟୁଥିବା ତେଲକୁ ଢାଳିଦିଆଗଲା। ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗାଗଲା। ଶେଷରେ ପରିବା କଟା ଛୁରୀ ଓ କାଚ ବୋତଲରେ ବାରମ୍ବାର ଭୁଷି ତାଙ୍କୁ ବିଭତ୍ସ ହତ୍ୟା କରାଗଲା। ଏସବୁ ବିଭତ୍ସ କାଣ୍ଡ ତାଙ୍କ ଘର ଭିତରେ ଘଟିଛି। ହତ୍ୟାକାଣ୍ଡ ପଛର ମାଷ୍ଟରମାଇଣ୍ଡ ଥିଲେ ତାଙ୍କ ପତ୍ନୀ। ତେବେ ପତ୍ନୀ ଏତେ ନିଷ୍ଠୁର କାହିଁକି ହେଲେ- ଏହା ପଛରେ ଏକ ବଡ଼ କାହାଣୀ ଲୁଚି ରହିଛି। ଯାହା ଜାଣିଲେ କେହି ବି ଚକିତ ହୋଇଯିବ।
ରକ୍ତର ଗନ୍ଧ ଥିଲା ଉତ୍କଟ
୨୦୨୫ ଏପ୍ରିଲ୍ ୨୦ ରବିବାର। ବେଙ୍ଗାଲୁରୁର ଏଚଏସଆର ଲେଆଉଟ୍ସ୍ଥିତ ବାସଭବନରେ କର୍ଣ୍ଣାଟକର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଓମ୍ ପ୍ରକାଶ (୬୮)ଙ୍କ ନିର୍ମମ ହତ୍ୟା ହୋଇଥିଲା। ଏହି ହତ୍ୟାକାଣ୍ଡ ସାରା ରାଜ୍ୟରେ ଚହଳ ପକାଇଥିଲା। ୧୯୮୧ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଓମ୍ ପ୍ରକାଶଙ୍କ ମୃତଦେହ ତାଙ୍କ ତିନି ମହଲା ଘରର ଡ୍ରଇଂ ରୁମରୁ ମିଳିଥିଲା। ଖବର ପାଇ ପୁଲିସ ପହଞ୍ଚିବା ପରେ ପୁଲିସ ବି ଅସହଜ ମନେ କରିଥିଲା। ଘର ସାରା ରକ୍ତ ଛିଟିକି ପଡ଼ିଥିଲା। ଏମିତି ଏକ ଉତ୍କଟ ଗନ୍ଧ ଘର ଭିତରୁ ଆସୁଥିଲା ଯେ ତଦନ୍ତକାରୀ ଅଧିକାରୀ ଏମିତି ପରିସ୍ଥିତିର ସାମନା ବି କରିପାରୁନଥିଲେ। ପୁଲିସ ଏହି ହତ୍ୟା ମାମଲାରେ ପତ୍ନୀ ପଲ୍ଲବୀଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଲା। ଝିଅ କୃତିଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି।
କିଏ ଏହି ଓମ୍ ପ୍ରକାଶ ?
ବିହାରର ଚମ୍ପାରଣ ଜିଲ୍ଲାର ମୂଳ ବାସିନ୍ଦା ଓମ ପ୍ରକାଶ। ଭୂତତ୍ତ୍ୱରେ ଏମ.ଏସ.ସି. ଡିଗ୍ରୀ ହାସଲ କରିଥିଲେ। ୧୯୮୧ ମସିହାରେ ୟୁପିଏସସି ପରୀକ୍ଷାରେ ପାସ୍ କରିବା ପରେ ସେ ଭାରତୀୟ ପୁଲିସ ସେବାରେ ଯୋଗ ଦେଇଥିଲେ। ପୁଲିସ ବିଭାଗରେ ତାଙ୍କର ଭଲ କାଟତି ଥାଏ। ସେ କର୍ଣ୍ଣାଟକର ବିଭିନ୍ନ ଜିଲ୍ଲାରେ ପୁଲିସ ଅଧିକ୍ଷକ ଭାବରେ କାର୍ଯ୍ୟ କରିଥିଲେ। ୨୦୧୫ ମାର୍ଚ୍ଚ ୧ ରେ କର୍ଣ୍ଣାଟକର ଡିଜିପି ଭାବରେ ନିଯୁକ୍ତ ହୋଇଥିଲେ। ୨୦୧୭ରେ ଅବସର ନେବା ପରେ ସେ ତାଙ୍କ ପତ୍ନୀ ଏବଂ ଦୁଇ ପୁଅ-ଝିଅଙ୍କ ସହିତ ବେଙ୍ଗାଲୁରୁରେ ରହୁଥିଲେ। ତାଙ୍କ ପାଇଁ ଭାଗ୍ୟ ଏମିତି ଏକ ବିଭତ୍ସ କାହାଣୀ ଲେଖିଥିଲା ଏକଥା ସେ କେବେ କଳ୍ପନାରେ ବି ସୁଦ୍ଧା ଚିନ୍ତା କରିନଥିବେ।
ଭିଡିଓ କଲରେ ସ୍ବାମୀଙ୍କ ହତ୍ୟାର ଲାଇଭ୍
ଓମ ପ୍ରକାଶଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଥିଲା। ବିଶେଷକରି ତାଙ୍କ ପେଟ ଏବଂ ଛାତିରେ ଅନେକ ଥର ଛୁରୀ ଭୁଷାଯାଇଥିଲା। ତାଙ୍କୁ ହତ୍ୟା ପୂର୍ବରୁ ତାଙ୍କ ସ୍ତ୍ରୀ ତାଙ୍କ ଉପରେ ଲଙ୍କା ଗୁଣ୍ଡ ଫିଙ୍ଗି ଦେଇଥିଲେ। ପରେ ତାଙ୍କୁ ଘର ଭିତରେ ବାନ୍ଧି ଦେଇଥିଲେ। ତା'ପରେ ତାଙ୍କୁ ଆକ୍ରମଣ କରିଥିଲେ। ଶରୀରର ସବୁ ଅଙ୍ଗକୁ ଭୁଷି ଚାଲିଥିଲେ। ଲାଗୁଥିଲା ଯେମିତି ଦୀର୍ଘ ଦିନର ଗୋଟିଏ ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ। ଓମ୍ ପ୍ରକାଶ ଘର ଭିତରେ ଛଟପଟ୍ ହେଇ ପ୍ରାଣବାୟୁ ଛାଡ଼ିଥିଲେ। ହତ୍ୟା ପରେ ପଲ୍ଲବୀ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ପତ୍ନୀଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏହା ସହିତ ତାଙ୍କୁ ଭିଡିଓ କଲ୍ କରି ସ୍ବାମୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଦେଖାଇଥିଲେ। ସେ ଜଣେ ରାକ୍ଷସକୁ ମାରିଦେଇଥିବା କହିଥିଲେ। ଭିଡିଓ କଲରେ ଏସବୁ ଦେଖୁଥିବା ଉକ୍ତ ମହିଳ ଜଣକ ବି ଭୟରେ ଥରି ଉଠିଥିଲେ। ତୁରନ୍ତ ପୁଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ।
ସବୁ ସେହି ସମ୍ପତ୍ତି ପାଇଁ
ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କଲା। ପ୍ରାଥମିକ ତଦନ୍ତରୁ ସମ୍ପତ୍ତି ବିବାଦକୁ ହତ୍ୟାର ମୁଖ୍ୟ କାରଣ ବୋଲି ସ୍ପଷ୍ଟ ହେଲା। ଓମ ପ୍ରକାଶ ତାଙ୍କ ପୁଅକୁ ସମ୍ପତ୍ତି ହସ୍ତାନ୍ତର କରିବାକୁ ଚାହୁଁଥିଲେ। ପତ୍ନୀ ପଲ୍ଲବୀ ଏହାକୁ ଗ୍ରହଣ କରିପାରୁନଥିଲେ। ଏହି ଘଟଣାକୁ ନେଇ ସେ ରାଗି ଯାଇଥିଲେ। ଗଲା ଗୋଟିଏ ସପ୍ତାହ ଧରି ଘରେ ଝଗଡା ଲାଗି ରହିଥିଲା। ଓମ୍ ପ୍ରକାଶ ତାଙ୍କ ପତ୍ନୀ ଏବଂ ଝିଅକୁ ଗୁଳି କରିବାକୁ ବାରମ୍ବାର ଧମକ ଦେଉଥିଲେ। ଏପ୍ରିଲ ୨୦ ସକାଳଠାରୁ ଅନେକ କଥାକୁ ନେଇ ଯୁକ୍ତିତର୍କ ଚାଲିଥିଲା। ଅପରାହ୍ନ ସୁଦ୍ଧା ଏହା ଉଗ୍ର ରୂପ ନେଇଥିଲା। ପ୍ରଥମେ ଓମ୍ ପ୍ରକାଶ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। କୌଣସି ପ୍ରକାରେ ସେ ତାଙ୍କ ଜୀବନ ବଞ୍ଚାଇ ପାରିଥିଲେ। ଶେଷରେ ସ୍ବାମୀଙ୍କୁ ବିଭତ୍ସ ଭାବେ ମାରିଦେଲେ। ଏମିତି ମାରିଲେ ଯେ ଘର ସାରା ରକ୍ତ ଛିଟିକି ପଡ଼ିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)