• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନର ପିଶାଚ ସଜାଇଦେଲା ଧନୀ ହେବାର ଲୋଭ । ନରଭକ୍ଷୀ କଲା ଚିରଯୌବନ ପାଇବାର ମୋହ । କଳାଯାଦୁ ପାଇଁ କେରଳରେ ଦୁଇ ଦୁଇଟି ନରବଳି ।
ଏହି ଘଟଣାରେ ଗିରଫ ୩ ଅଭିଯୁକ୍ତ ହେଲେ ସ୍ଥାନୀୟ ମସାଜ୍ ଥେରାପିଷ୍ଟ୍ ଭଗବଲ ସିଂହ, ତାଙ୍କ ପତ୍ନୀ ଲୈଲା ଏବଂ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶାଫି ଓରଫ୍ ରସିଦ୍ । ଆଉ ହତ୍ୟାର ଶିକାର ହୋଇଛନ୍ତି ଏର୍ଣ୍ଣାକୁଲମ ଜିଲ୍ଲା ପନ୍ନୁରୁନିର ପଦ୍ମା ଏବଂ ଅଙ୍ଗମାଲି ନିକଟ କଲାଡ଼ିର ରୋଜ୍‌ଲି ।

ଜଣଙ୍କୁ ସେପ୍ଟେମ୍ବରରେ ଏବଂ ଆଉ ଜଣଙ୍କୁ ଗତ ଜୁନ୍‌ରେ ବଳି ଦିଆଯାଇଥିଲା । ପୋଲିସର ସୂଚନା ଅନୁସାରେ, ଭଗବଲ ଓ ଲୈଲାଙ୍କୁ ରାତାରାତି ଧନୀ ହେବାର ଲୋଭ ଦେଖାଇ, ନରବଳି ପାଇଁ ମୁଣ୍ଡ ଯୋଗାଇ ଦେବାକୁ ୧୦ ଲକ୍ଷ ଟଙ୍କା ନେଇଥିଲା ଶାଫି । ଅନ୍ୟପଟେ ଲଟେରି ଟିକେଟ୍ ବିକୁଥିବା ପଦ୍ମା ଓ ରୋଜଲିଙ୍କୁ ଅଶ୍ଳୀଳ ଫିଲ୍ମରେ ଅଭିନୟର ସୁଯୋଗ ଦେବ କହି ପ୍ରଲୋଭିତ କରିଥିଲା ।

ଅଧିକ ପଢ଼ନ୍ତୁ: ରାତାରାତି ଧନୀ ହେବା ପାଇଁ ମଣିଷ ବଳି ଦେଇଦେଲେ ଦମ୍ପତି

ପରେ ଅପହରଣ କରି ଭଗବଲଙ୍କ ଘରକୁ ନେଇଆସିଥିଲା । ସେଠାରେ କଳାଯାଦୁ ପୂଜାପାଠ ପରେ ସେମାନଙ୍କୁ ହତ୍ୟା କରାଯାଇଥିଲା ।୧ ଏହି ନରବଳି ଘଟଣା ଯେତିକି ଜଘନ୍ୟ, ଏହାର ପ୍ରକ୍ରିୟା ଥିଲା ସେତିକି ବିଭତ୍ସ । ପୋଲିସ ଆଶଙ୍କା କରୁଛି ଯେ, ପଦ୍ମା ଓ ରୋଜ୍‌ଲିଙ୍କୁ ହତ୍ୟା କରାଯିବା ପୂର୍ବରୁ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା, ନୃଶଂସ ଭାବେ ମୁଣ୍ଡ କାଟି ହତ୍ୟା କରାଯାଇଥିଲା, ମୃତଦେହକୁ ଟିକ୍‌ଟିକ୍ କରି କଟାଯାଇଥିଲା ଏବଂ ଘରକାନ୍ଥରେ ରକ୍ତ ଛିଟା ଦିଆଯାଇଥିଲା । ଗୋଟିଏ ମୃତଦେହକୁ ୫୬ ଖଣ୍ଡରେ କଟାଯାଇଥିବା ଚର୍ଚ୍ଚା ହେଉଛି । କେବଳ ଏତିକି ନୁହେଁ, ଚିରଯୌବନ ପାଇବାକୁ କିଛି କଟା ମାଂସକୁ ଅଭିଯୁକ୍ତ ଦଂପତି ରାନ୍ଧି ଖାଇଥିବା ମଧ୍ୟ ଅନୁମାନ କରୁଛି ପୋଲିସ । ଆଉ ଭଗବଲଙ୍କ ଘର ବାଡ଼ିପଟେ ୩ଟି ଗର୍ତ୍ତରେ ପୋତାଯାଇଥିଲା ଦେହାବଶେଷ । ଯାହାକୁ ଜବତ କରିଛି ପୋଲିସ । 

ଘଟଣାର ମାଷ୍ଟରମାଇଣ୍ଡ ଶାଫି ଜଣେ ସାଇକୋପାଥ୍ ଓ ସ୍ୟାଡିଷ୍ଟ୍ ବୋଲି କହିଛି ପୋଲିସ । ଅର୍ଥାତ୍ ସେ ଯୌନ ବିକାରଗସ୍ତ ଥିଲା ଏବଂ ମହିଳାମାନଙ୍କୁ ମରିବା ଯାଏଁ ଶାରିରୀକ ନିର୍ଯାତନା ଓ ଯୌନ ଉତ୍ପୀଡ଼ନ ଦେଇ ସୁଖ ପାଉଥିଲା । ତେବେ ସିଧାସଳଖ ନିଜେ ଶିକାର କରୁନଥିଲା ଶାଫି । ଫେସ୍‌ବୁକରେ ସେ ଭଗବଲ ଓ ଲୈଲାଙ୍କ ଭଳି ଅନ୍ଧବିଶ୍ୱାସୀଙ୍କୁ ଖୋଜୁଥିଲା, ଯେଉଁମାନେ ଧନୀ ହେବା ପାଇଁ ନରବଳି ଦେବାକୁ ବି ପ୍ରସ୍ତୁତ । ପୋଲିସ କହିଛି, ଶାଫି ନିଜ ପତ୍ନୀଙ୍କ ଅଗୋଚରରେ ତାଙ୍କ ମୋବାଇଲ୍‌ରେ ଫେସ୍‌ବୁକ ବ୍ୟବହାର କରୁଥିଲା ।

୨୦୨୦ରେ ଶାଫି ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରିବା ସହିତ ଗୁପ୍ତାଙ୍ଗରେ ଗଭୀର କ୍ଷତ ସୃଷ୍ଟି କରିଥିଲା । ଚାଞ୍ଚଲ୍ୟକର କଥା ହେଉଛି, ନରବଳିର ଶିକାର ହୋଇଥିବା ୨ ମହିଳାଙ୍କ ପ୍ରାଇଭେଟ୍ ପାର୍ଟରେ ମଧ୍ୟ ସମାନ ପ୍ରକାର କ୍ଷତ ଚିହ୍ନ ଠାବ ହୋଇଛି । ନରବଳି ମାମଲାକୁ ଛାଡ଼ି ଶାଫି ବିରୋଧରେ ଆହୁରି ୮ଟି ମାମଲା ରୁଜୁ କରିଛି ପୋଲିସ ।

ପଦ୍ମା ଭଗବଲଙ୍କ ଘରକୁ ଯାଉଥିବା ସିସିଟିଭି ଫୁଟେଜ୍ ପାଇବା ପରେ, ଧିରେ ଧିରେ ପୂରା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଗିରଫଦାରୀ ପରେ ୩ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।