• Astrospeak
  • Live TV
  • Read In English

BMC Official Allegedly Assaulted: ଓଏସ ଅଧିକାରୀଙ୍କୁ ଘୋଷାଡ଼ି ଆଣି ବିଧା, ଗୋଇଠା ମାରିଲେ ଦୁର୍ବୃତ୍ତ; କାହିଁକି ? 

ବର୍ବର, ଅମାନୁଷିକ। ରାଜଧାନୀର ଛାତି ଉପରେ, ବିଏମ୍‌ସି ଅଫିସ୍ ଭିତରେ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ।

BMC Official Allegedly Assaulted
BMC Official Allegedly Assaulted

ରାଜଧାନୀରେ ଚାଞ୍ଚଲ୍ୟ। BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ତାଙ୍କ ଚାମ୍ବର ଭିତରେ ମରାଣାନ୍ତକ ଆକ୍ରମଣ। BMC ଅଫିସ୍ ଭିତରେ ଆଜି ଜନଶୁଣାଣି ଚାଲିଥିବା ବେଳେ ୬ରୁ ୭ ଜଣ ଦୁର୍ବୃତ୍ତ ଅତି ଅମାନୁଷିକ ଭାବେ ଅତିରିକ୍ତ କମିଶନରଙ୍କୁ ପିଟିଥିଲେ। ତାଙ୍କୁ ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ନେବା ସହ ବିଧା ଗୋଇଠା ମାରିବାକୁ ପଛାଇନଥିଲେ। ଏପଟେ ଘଟଣା ପରେ ରତ୍ନାକର ସାହୁ ଥାନାରେ ଏତଲା ଦେଇଛନ୍ତି। ଖାରବେଳ ନଗର ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରି ଘଟଣାର ଅନୁସଂଧାନ କରୁଛି।

ବର୍ବର, ଅମାନୁଷିକ। ରାଜଧାନୀର ଛାତି ଉପରେ, ବିଏମ୍‌ସି ଅଫିସ୍ ଭିତରେ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ। ସମୟ ଦିନ ପ୍ରାୟ ସାଢ଼େ ୧୧ଟା। ଭୁବନେଶ୍ବର ସତ୍ୟନଗର ସ୍ଥିତ ବିଏମସି ଅଫିସ ଭିତରେ ଚାଲିଥିଲା ଜନଶୁଣାଣି। ଏହି ସମୟରେ ହଠାତ ଅଫିସ ଭିତରକୁ ପଶିଆସି ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ୫ରୁ ୬ ଜଣ ଦୁର୍ବୃତ୍ତ। ଧଳା ସାର୍ଟ୍ ପିନ୍ଧା ଯୁବକମାନେ ସଂଘବଦ୍ଧ ଆକ୍ରମଣ ବେଳେ ଏତେ ହିଂସ୍ର ହୋଇ ପଡ଼ିଥିଲେ ଯେ, ଜଣେ ଓଏଏସ୍ ଅଧିକାରୀଙ୍କୁ ତଳେ ପକାଇ ତାଙ୍କ ମୁହଁକୁ ଗୋଇଠା ମାରିବାକୁ ବି ପଛାଇ ନଥିଲେ। ଲୋକସେବା ଭବନଠୁ ଅଳ୍ପ ଦୂର ଆଉ ଖାରବେଳ ନଗର ଥାନାଠୁ ମାତ୍ର କେଇ ମିଟର ଦୂରରେ ଥିବା ବିଏମସି ଅଫିସ ଭିତରେ ସବୁ ହିତାହିତ ଜ୍ଞାନ ଭୁଲି ଜଣେ ସରକାରୀ ଅଧିକାରୀଙ୍କୁ ଅମଣିଷ ଭଳି ପିଟି ଚାଲିଥିଲେ।

ଅଧିକ ପଢ଼ନ୍ତୁ : ଭୟଙ୍କର ଘଟଣା: ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ...

ଘଟଣା ପରେ ଥାନାରେ ଏତଲା ଦେଇଛନ୍ତି ଅତିରିକ୍ତ କମିଶନର ରତ୍ନାକର ସାହୁ। ଦର୍ଶାଇଛନ୍ତି, ୬ରୁ ୭ ଜଣ ଅଜଣା ବ୍ୟକ୍ତି ହଠାତ୍ ଅଫିସ୍ ଭିତରକୁ ପଶିଆସି, ଜଗନ୍ନାଥ ପ୍ରଧାନଙ୍କ ସହ କଥା ହୋଇଥିଲେ କି ବୋଲି ବଡ଼ ପାଟିରେ ପଚାରିଥିଲେ। ସେ ଟେଲିଫୋନ୍‌ରେ କଥା ହୋଇଥିବା କହିବା ପରେ, ହଠାତ୍ ସେମାନେ ତାଙ୍କୁ ପିଟିବା ଆରମ୍ଭ କରିଥିଲେ। ୨୯ ନମ୍ବର ୱାର୍ଡର କର୍ପୋରେଟର ଜୀବନ ରାଉତଙ୍କ ସାମ୍ନାରେ ସେମାନେ ତାଙ୍କୁ ପିଟିଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ଯୁବକମାନେ ତାଙ୍କୁ ଜୋରଜବରଦସ୍ତ ଟାଣି ନେଇ ଜଗନ୍ନାଥ ପ୍ରଧାନଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରୁଥିଲେ ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ତେବେ ଜୀବନ ସେଠାରେ ଉପସ୍ଥିତ ନଥିବା ଓଟିଭିକୁ ଜଣାଇଥିବା ବେଳେ ଜଗନ୍ନାଥ ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଅତିରିକ୍ତ କମିଶନରଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଏମସି କର୍ମଚାରୀ। ଯେ ପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ସେପର୍ଯ୍ୟନ୍ତ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଘଟଣାକୁ ନିନ୍ଦା କରିବା ସହ ସୁରକ୍ଷା ଦାବି କରିଛନ୍ତି। ସେପଟେ ସ୍ଥିତିକୁ ଦେଖି ବିଏମସି ଅଫିସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

କ୍ୟାପିଟାଲରେ ଏକ ଗୁରୁତ୍ବପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନରେ ଏତେ ନିର୍ଭୟ ହୋଇ ଆକ୍ରମଣ କରିଥିବା ଏ ଯୁବକମାନେ କିଏ ? ଦାୟିତ୍ବରେ ଥିବା ଜଣେ ଓଏସ ଅଧିକାରୀଙ୍କୁ ଏମାନେ କାହିଁକି ଏଭଳି ଆକ୍ରମଣ କଲେ ? କାହା ବଳରେ ବଳୀୟାନ ଏ ଅସାମାଜିକ ଯୁବକମାନେ? ଏମାନଙ୍କ ଏଭଳି ଆସ୍ପର୍ଦ୍ଧା ପଛରେ କିଏ ରହିଛି ?