• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜାଙ୍କ ଘରେ ରକ୍ତର ଛିଟା । ପଡ଼ିଛି ମୃତଦେହ । ରକ୍ତାକ୍ତ ଅବସ୍ଥାରେ ପ୍ରାଣ ହରାଇଛନ୍ତି ରାଜବଂଶର ବୋହୂ । ହତ୍ୟା କରାଯାଇଛି କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ୍ କୁମାରୀ ଭଞ୍ଜଦେଓଙ୍କୁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ୭୫ ବର୍ଷ ବୟସ୍କ ଏହି ବୃଦ୍ଧାଙ୍କ ହତ୍ୟାକାରୀ ଆଉ କେହି ନୁହେଁ, ବରଂ ତାଙ୍କ ନିଜ ପୁଅ । ଯାହାଙ୍କ ନାଁ ସୌମେନ୍ଦ୍ର ନାରାୟଣ ଭଞ୍ଜଦେଓ । ସୌମେନ୍ଦ୍ର ଏକ କଟୁରୀରେ ହାଣି ନିଜ ଜନ୍ମ କଲା ମାଆର ଜୀବନ ନେଇଥିବା ଅଭିଯୋଗ ଆଣିଛନ୍ତି ଖୋଦ୍‌ ସୌମେନ୍ଦ୍ରଙ୍କ ପତ୍ନୀ ଓ ଭଉଣୀ ।

କଟକ ତୁଳସୀପୁର ଶ୍ରୀବିହାର କଲୋନୀସ୍ଥିତ ଘର, ଉପର ମହଲାରେ ଝିଅ ଜୟନ୍ତୀ ସାମନ୍ତରାୟଙ୍କ ସହ ରହୁଥିଲେ ମାଆ ପରେଶ କୁମାରୀ । ତଳ ମହଲାରେ ରହୁଥିଲେ ଅଭିଯୁକ୍ତ ପୁଅ ସୌମେନ୍ଦ୍ର । ହେଲେ ହଠାତ୍‌ ଆଜି ସକାଳେ ହାତରେ କଟୁରୀ ଧରି ସୌମେନ୍ଦ୍ର ଯାଇଥିଲେ ଉପର ମହଲାକୁ । ଆଉ ଘରେ ପଶି ମାଆଙ୍କୁ ବୀଭତ୍ସ ଭାବେ ହାଣିଥିଲେ ବୋଲି କହିଛନ୍ତି ଜୟନ୍ତୀ । ଉପର ମହଲାର ଅନ୍ୟ ଏକ ରୁମ୍‌ରେ ଥାଇ ଏହିସବୁ ଦୃଶ୍ୟକୁ ସିସିଟିଭିରେ ଦେଖୁଥିଲେ ଜୟନ୍ତି । ଏହାଦେଖି ସେ ଅତ୍ୟନ୍ତ ଭୟଭୀତ ହୋଇ ପୋଲିସକୁ ଜଣାଇଥିଲେ । ତାଙ୍କ କହିବା କଥା, ପାରିବାରିକ ବିବାଦରୁ ଘଟିଛି ଏହି ହତ୍ୟାକାଣ୍ଡ ।

କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ପୁଅ ହେଉଛନ୍ତି ସୁରେନ୍ଦ୍ର ନାରାୟଣ ଭଞ୍ଜଦେଓ । ସେହି ରାଜବଂଶର ଅନ୍ୟତମ ଦାୟାଦ ଥିଲେ ସୁରେନ୍ଦ୍ରଙ୍କ ପୁଅ ସୌମେନ୍ଦ୍ର । ବିବାହ କରିଥିଲେ ୩ ଜଣ ମହିଳାଙ୍କୁ । କିନ୍ତୁ ପ୍ରଥମ ପତ୍ନୀଙ୍କ ବିୟୋଗ ପରେ ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରିଥିଲେ । ତାଙ୍କ ସହ ବି ତିଷ୍ଠିଲାନି ଦାମ୍ପତ୍ୟ ଜୀବନ । ବିବାହ ବିଚ୍ଛେଦ ପରେ ଏକମାତ୍ର ଝିଅକୁ ଧରି ଦିଲ୍ଲୀରେ ରହୁଛନ୍ତି ଦ୍ୱିତୀୟ ପତ୍ନୀ । ଆଉ ସୌମେନ୍ଦ୍ରଙ୍କ ତୃତୀୟ ପତ୍ନୀ ବବିତା ଭଞ୍ଜଦେଓ ।

ପାରିବାରିକ ବିବାଦ ଯୋଗୁ ସେ ବି ରହୁନାହାଁନ୍ତି ସୌମେନ୍ଦ୍ରଙ୍କ ସହ । ଏପରିକି ତାଙ୍କ ଔରସରୁ ସନ୍ତାନଟିଏ ବି ନାହିଁ । ତେବେ ସମ୍ପତ୍ତିବାଡ଼ି ଓ ପାରିବାରିକ ବିବାଦକୁ ନେଇ ସବୁବେଳେ ବିଧବା ମାଆ ସହ ଗଣ୍ଡଗୋଳ କରୁଥିଲେ ପୁଅ ସୌମେନ୍ଦ୍ର । ଏହି ଗଣ୍ଡଗୋଳ ଆଜି ଚରମ ସୀମାରେ ପହଞ୍ଚିଥିଲା । ଆଉ ସେଥିରେ ଉତ୍ତ୍ୟକ୍ତ ହୋଇ ମାଆଙ୍କୁ ହତ୍ୟା କରିଥିବା କହିଛନ୍ତି ସୌମେନ୍ଦ୍ରଙ୍କ ପତ୍ନୀ ବବିତା ।

ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଖସିଯାଇଥିବା ଅଭିଯୁକ୍ତ ସୌମେନ୍ଦ୍ରଙ୍କୁ ଧରିଛି ବିଡାନାସୀ ପୋଲିସ । ତେବେ ନିର୍ଦ୍ଧିଷ୍ଟ ଭାବେ କେଉଁ ବିବାଦରୁ ସଂଘଟିତ ହୋଇଛି ଏଭଳି ଜଘନ୍ୟ ଅପରାଧ ? ସାଇଣ୍ଟିଫିକ ଟିମ୍ ସହାୟତାରେ ସମସ୍ତ ଦିଗକୁ ଧରି ତଦନ୍ତ କରୁଛି କମିଶନରେଟ୍ ପୋଲିସ ।

ଗତ ସେପଟେମ୍ବର ମାସରେ ସ୍ୱାମୀ ସୁରେନ୍ଦ୍ରଙ୍କ ବିୟୋଗ ହୋଇଥିଲା । ଆଉ ଆଜି ୫ ମାସର ବ୍ୟବଧାନ ପରେ ପୁଅ ହାତରେ ମାଆଙ୍କର ହେଲା ପ୍ରାଣନାଶ । ଏକ ରାଜ ପରିବାରରେ ଏଭଳି ଅପରାଧକୁ ନେଇ ସାରା କଟକରେ ଖେଳିଯାଇଛି ଚାଞ୍ଚଲ୍ୟ ।