• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା । ଜଣେ ଆଞ୍ଚଳିକ ବିଜେପି ନେତାଙ୍କୁ ନକ୍ସଲ ମାନେ ଗୁଳି କରି ହତ୍ୟା କରିଥିବା ନେଇ ଖବର ସାମ୍ନାକୁ ଆସିଛି । ଏହି ଘଟଣା ଶୁକ୍ରବାର ରାତିରେ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଘଟିଛି ।

ମୃତ ବିଜେପି ନେତା ହେଉଛନ୍ତି ସାଗର ସାହୁ । ଯିଏ ନାରାୟଣପୁର ଜିଲ୍ଲା ବିଜେପି ଉପସଭାପତି ଦାୟିତ୍ୱରେ ରହିଥିଲେ । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା । ଅର୍ଥାତ ସପ୍ତାହ ମଧ୍ୟରେ ଦୁଇ ଜଣ ବିଜେପି ନେତାଙ୍କୁ ନକ୍ସଲ ମାନେ ଗୁଳି କରି ହତ୍ୟା କରିଛନ୍ତି । ତେବେ ସାଗର ସାହୁଙ୍କୁ ତାଙ୍କ ପରିବାର ଲୋକଙ୍କ ସାମ୍ନାରେ ନକ୍ସଲମାନେ ଗୁଳି କରିଥିବା କୁହାଯାଉଛି । ଛୋଟେଡୋଙ୍ଗାର ସ୍ଥିତ ନିଜ ବାସଭବନରେ ସାଗର ଯେତେବେଳେ ଘରେ ବସିଥିଲେ ସେତେବେଳେ ଦୁଇ ଜଣ ଅଜଣା ଲୋକ ତାଙ୍କ ଘରେ ପହଞ୍ଚି ଗୁଳି କରିଥିଲେ । ସମୟ ରାତି ପ୍ରାୟ ୯ଟା ହେବ । ଗୁଳି କରିବା ପରେ ଦୁଇ ଜଣ ଯାକ ଅଜଣା ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ପରିବାର ଲୋକ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରି ନାରାୟଣପୁର ଜିଲ୍ଲା ମେଡିକାଲକୁ ପଠାଇଥିଲେ । କାରଣ ସେ ବେଳକୁ ବେଳ ଅଧିକ ଗୁରୁତର ହେଉଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା । ମେଡିକାଲରେ ପହଞ୍ଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ମାଓବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଥିବା ବେଳେ କୌଣସି ମାଓ ସଂଗଠନ ଏନେଇ ମୁହଁ ଖୋଲି ନାହିଁ । ଏହି ହତ୍ୟାକାଣ୍ଡ ପଛରେ ମାଓ ସଂଗଠନର ହାତ ଥିବା ନେଇ ମଧ୍ୟ କିଛି ଠୋସ୍ ସୂଚନା ନାହିଁ । ଏମିତିକି ହତ୍ୟାକାଣ୍ଡ ସ୍ଥାନରେ ମାଓବାଦୀମାନେ କୌଣସି ପୋଷ୍ଟର କିମ୍ବା ବ୍ୟାନର ମଧ୍ୟ ଛାଡ଼ି ନାହାନ୍ତି । ତେବେ ପୋଲିସର କହିବାନୁଯାୟୀ ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି । ଖୁବ୍‌ଶୀଘ୍ର ସତ୍ୟାସତ୍ୟ ସାମ୍ନାକୁ ଆସିବ । ମାଓବାଦୀଙ୍କୁ ଧରିବା ପାଇଁ ବାଷ୍ଟର ରେଞ୍ଜରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି ।