Advertisment

୧୪ ବର୍ଷ ପରେ ବି ରହସ୍ୟାବୃତ୍ତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା

ନାଇଡୁ କମିଶନ୍ ରିପୋର୍ଟ ସରକାର ଚାପିବାକୁ ନେଇ ଘେରିଲେ ବିରୋଧୀ । ମୁଖ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ ଅସନ୍ତୋଷ ଝାଡ଼ିଲେ ଆଶ୍ରମ ଅନ୍ତେବାସୀ ।

author-image
Satyendu Shekher Mishra
undefined

Lakhmanananda Saraswati

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପଛର ପ୍ରକୃତ ସତ କଣ ? କାହିଁକି ଓ କେଉଁ ଉଦ୍ଦେଶ୍ୟରେ ସ୍ୱାମୀଜୀଙ୍କୁ ହତ୍ୟା କରାଯାଇଥିଲା ? ତଦନ୍ତ କମିଶନ୍ ରିପୋର୍ଟକୁ କାହଁକି ଚାପି ରଖିଛନ୍ତି ରାଜ୍ୟ ସରକାର ? ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ୧୫ ବର୍ଷ ପୂରିଲା, ତଥାପି ଏବେ ବି ସବୁ କିଛି ରହସ୍ୟ ଘେରରେ ।

Advertisment

୨୦୦୮ ଠିକ୍ ଆଜିର ତିଥିରେ ଅର୍ଥାତ ଜନ୍ମାଷ୍ଟମୀ ଉତ୍ସବ ପାଳନ ବେଳେ ସ୍ୱାମୀଜୀଙ୍କୁ ହତ୍ୟା କରାଯାଇଥିଲା । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧସ୍ଥିତ ଜଳେଶପଟ୍ଟା ଆଶ୍ରମକୁ AK-47 ସହ ପଶି ଆସିଥିଲେ ୨୦ରୁ ୩୦ ଆତତାୟୀ । ସେମାନଙ୍କ ଆଖି ବୁଜା ଗୁଳିମାଡରେ ଟଳି ପଡିଥିଲେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ । ତାଙ୍କ ସହ ଅନ୍ୟ ୪ ଆଶ୍ରମ ଅନ୍ତେବାସୀଙ୍କର ମଧ୍ୟ ଜୀବନ ଯାଇଥିଲା। ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପରେ ଓଡିଶା ଦେଖିଥିଲା ସବୁଠୁ ବଡ଼ ଦଙ୍ଗା। ଜୀବନ ହରାଇଥିଲେ ୪୦ରୁ ଅଧିକ ଲୋକ।

ଆଜି ଜନ୍ମାଷ୍ଟମୀ ତିଥିରେ ଉଭୟ ଜଳେଶପଟ୍ଟା ଓ ଚକାପାଦ ଆଶ୍ରମରେ ସ୍ୱାମୀଜୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଛି। କିନ୍ତୁ ଆଜି ଯାଏଁ ସ୍ୱାମୀଜୀଙ୍କ ମୁଖ୍ୟ ହତ୍ୟାକାରୀ ଧରା ନପଡିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆଶ୍ରମ ଅଧ୍ୟକ୍ଷ ଓ ଅନ୍ତେବାସୀ। 

Advertisment

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ଓ ଏହା ପରବର୍ତ୍ତୀ ଦଙ୍ଗା ନେଇ ସରକାର ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମେ ଜଷ୍ଟିସ୍ ଶରତ ମହାପାତ୍ର କମିଶନ୍ ତଦନ୍ତ କରିଥିଲେ। ୨୦୧୨ରେ ତାଙ୍କ ମୃତ୍ୟୁ ପରେ ଜଷ୍ଟିସ୍ ନାଇଡୁ କମିଶନ୍ ତଦନ୍ତ କରି ୨୦୧୫ରେ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ହେଲେ ବିଡମ୍ବନାର ବିଷୟ ହେଲା ଏ ରିପୋର୍ଟ ଏବେ ବି ସାର୍ବଜନୀନ ହୋଇନାହିଁ। ପ୍ରଶ୍ନ ଉଠୁଛି କାହିଁକି ରିପୋର୍ଟକୁ ଚାପି ରଖିଛନ୍ତି ସରକାର ? ରିପୋର୍ଟ ପଦାକୁ ଆସିଲେ ସରକାରଙ୍କ ଗୁମର ଖୋଲିଯିବାର ଭୟ ରହିଛି କି ? କାହିଁକି ନା ସ୍ୱାମୀଜୀଙ୍କ ସୁରକ୍ଷାରେ ଅବହେଳାକୁ ନେଇ ସେତେବେଳେ ବିବାଦରେ ଛନ୍ଦି ହୋଇଥିଲେ ରାଜ୍ୟ ସରକାର।

ବଡ଼ କଥା ହେଉଛି ହତ୍ୟାକାଣ୍ଡ ଦିନ ସ୍ୱାମୀଜୀଙ୍କ ସୁରକ୍ଷା କର୍ମୀ ଛୁଟିରେ ରହିବା ସେତେବେଳେ ସବୁଠୁ ବଡ ବିବାଦ ସୃଷ୍ଟି କରିଥିଲା। ଏସବୁ ଭିତରେ ୮ ବର୍ଷ ହେଲା ରିପୋର୍ଟ ସାର୍ବଜନୀନ ନକରିବାକୁ ନେଇ ତେଜିଛି ରାଜନୀତି। ବିଜେପି ଅଭିଯୋଗ କରିଛି, ସରକାରଙ୍କ ବ୍ୟାକଡୋର ଏଜେଣ୍ଡା ରହିଛି। କଂଗ୍ରେସର ଅଭିଯୋଗ ସରକାର ଡରୁଛନ୍ତି। ଜବାବରେ ବିଜେଡି କହିଛି ସରକାରଙ୍କ ଦୋଷ ଦୁର୍ବଳତା ନାହିଁ ଯଥା ସମୟରେ କାର୍ଯ୍ୟାନୁଷ୍ଠାନ ହେବ।

୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପଛରେ କନ୍ଧମାଳ ଦଙ୍ଗା କାରଣ ବୋଲି ଚର୍ଚ୍ଚା ହୁଏ। ଆଜି ଯାଏଁ ଘଟଣାରେ ୭ ଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ କିନ୍ତୁ କିଏ ଜଣାପଡିନାହିଁ । ଘଟଣା ପଛରେ ମାଓବାଦୀଙ୍କ ହାତ ଥିବା କୁହାଯାଉଥିବା ବେଳେ ଏଯାଏଁ ତାହା ମଧ୍ୟ ସ୍ପଷ୍ଟ କରିପାରିଲେନି ସରକାର। ଏବେ ଦେଖିବାର କଥା ତଦନ୍ତ ରିପୋର୍ଟକୁ ସରକାର କେବେ ସାର୍ବଜନୀନ କରୁଛନ୍ତି ।

Advertisment
Advertisment