• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର ଚାଲିଛି ଖୋଳତାଡ଼ । ତାଙ୍କର ରହସ୍ୟଜନକ ମୃତ୍ୟୁର ମୂକସାକ୍ଷୀ କୁହାଯାଉଥିବା ଦୁଇ ଦୁଇଟି ମୋବାଇଲ୍‌କୁ ନେଇ ଏବେ ଜୋରଦାର୍ ଚର୍ଚ୍ଚା । କାରଣ ସୋସିଆଲ୍ ମିଡିଆରେ ପୂର୍ବରୁ ଏକ ପୋଷ୍ଟ କରି ଧର୍ମେନ୍ଦ୍ର କହିଥିଲେ ଯେ, ୨ଟି ମୋବାଇଲରେ ଥିବା ଭିଡ଼ିଓକୁ ସାମ୍ନାକୁ ଆଣିଲେ ସବୁ ପଦାକୁ ଆସିବ । ହେଲେ ସେହି ଭିଡିଓଟି ଲୋକଲୋଚନକୁ ଆସିବା ଆଗରୁ ଝୁଲନ୍ତା ଅବସ୍ଥାରେ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଗଲା ।

ତେବେ ତାଙ୍କ ମୋବାଇଲକୁ ଏବେ ପୋଲିସ ଜବତ କରିଛି । ଆଉ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଇଛି । ଏଠି ପ୍ରଶ୍ନ, ସେହି ୨ଟି ମୋବାଇଲ୍‌ରେ କି ଭିଡିଓ ରହିଛି ? କାହାର ଭିଡିଓ ରହିଛି ? ମୋବାଇଲ୍‌ରେ ଲୁଚି ରହିଛି କି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟ ? କେଉଁ ପ୍ରଭାବଶାଳୀ ନେତାଙ୍କ ରହିଛି କି ଗୁପ୍ତ ତଥ୍ୟ ? ଏବେ ସେହି ମୋବାଇଲ୍‌ରେ ଥିବା ଭିଡିଓ ସବୁ ସୁରକ୍ଷିତ ଅଛି ତ ? ମୋବାଇଲ୍‌ରୁ କେତେ ସତ ବାହାର କରିବ ପୋଲିସ ? ସେନେଇ ଲୋକଙ୍କ ମନରେ ଏବେ ନାନା ପ୍ରଶ୍ନ ଉଙ୍କି ମାରୁଛି ।

ଅନ୍ୟପଟେ ଏହି ଘଟଣାରେ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ । ନିରପେକ୍ଷ ତଦନ୍ତ ସହ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ନେଇ ଖୁଲାସା କରିବା ପାଇଁ ଡିସିପିଙ୍କ ଆଗରେ ଦାବି ରଖିଛି ଦଳ । ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ତଥ୍ୟ ଅନୁସାରେ ସମସ୍ତ ପ୍ରମାଣ ତାଙ୍କ ମୋବାଇଲରେ ରହିଛି । ମୋବାଇଲକୁ ସମ୍ପୂର୍ଣ୍ଣ ଯାଞ୍ଚ କରିବା ସହ ତଥ୍ୟ ବାହାର କରି ନିରପେକ୍ଷ ତଦନ୍ତ କରିବା ସହ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ଦାବି କରିଛି ।

ମୋବାଇଲ ସହ ଘଟଣା ସ୍ଥଳରୁ ସିସିଟିଭ ଡିଭାଇସ ମଧ୍ୟ ଜବତ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର DCP । ଏହି ଘଟଣାରେ ଅପମୃତ୍ୟୁ ମାମଲା କରି ତଦନ୍ତ କରୁଛି ପୋଲିସ । ଜବତ ହୋଇଥିବା ମୋବାଇଲ୍‌ରେ ବିବାଦୀୟ ତଥ୍ୟ ଏବଂ କିଛି ଭିଡ଼ିଓ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଯାହାକୁ ଲୋକଲୋଚନକୁ ଆଣିବେ ବୋଲି ମୃତ୍ୟୁ ଆଗରୁ କହିଥିଲେ ଧର୍ମେନ୍ଦ୍ର ସାହୁ । ଏହି ୨ଟି ମୋବାଇଲ୍ ଭୁବନେଶ୍ୱର ଘର ନିକଟ ଏକ ପ୍ଲଟରୁ ମିଳିଥିଲା ।

ସନ୍ଧାନୀ କୁକୁର ସହାୟତାରେ ପୋଲିସ ମୋବାଇଲ୍‌କୁ ଠାବ କରିଥିଲା । ମୋବାଇଲ୍‌ଟି ଘଟଣାଦିନ ରାତି ୨ଟା ୪୩ ମିନିଟ୍‌ରୁ ସ୍ୱିଚ୍ ଅଫ୍ ଥିବା ପୋଲିସ ସୂଚନା ଦେଇଛି । ତେବେ ଏହି ମୋବାଇଲ୍‌ରେ କିି ତଥ୍ୟ ରହିଛି ? ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଏସବୁ ଭିତରେ ଧର୍ମେନ୍ଦ୍ରଙ୍କ ରୋଷେୟା ଏବଂ ତାଙ୍କ ପରିବାରକୁ ପୋଲିସ ସ୍କାନରରେ ରଖିଛି । ଧର୍ମେନ୍ଦ୍ରଙ୍କ ରୋଷେୟା ଘର ଉପର ଫ୍ଲୋରରେ ରହୁଥିଲେ ।