/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698942569.jpg)
Range Rover Car
ରାଜଧାନୀରେ ଦୁର୍ଘଟଣା ଘଟାଇଥିବା ଦାମୀ ରେଞ୍ଜ ରୋଭର ଗାଡ଼ିଟି କାହାର। ଏହି ଘଟଣାରେ ପୋଲିସ ଗାଡ଼ିର ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ସାମ୍ନାକୁ ଆସିଛି ବଡ଼ ତଥ୍ୟ। ଏ ଗାଡ଼ିଟି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ନିର୍ଦ୍ଦେଶକ ଥିବା ଏକ ସଂସ୍ଥା ନାଁରେ ଅଛି। ଯାହାକୁ ପୂର୍ବରୁ ବିଶାଳ, ବ୍ୟବହାର କରୁଥିବାର ଚିତ୍ର ବି ସାମ୍ନାକୁ ଆସୁଛି। ତେଣୁ ପ୍ରେସ ରିଲିଜରେ ଜବତ ଗାଡ଼ିର ପୋଲିସ ଗୋଟିଏ ନମ୍ବର ଦେଇ ପରେ କାହିଁକି ଆଉ ଗୋଟିଏ ନମ୍ବର ଦେଲା ତାକୁ ନେଇ ଉଠିଛି ପ୍ରଶ୍ନ। ସେପଟେ ଦୁର୍ଘଟଣାରେ ଆହତ ଦୁଇଜଣଙ୍କର ଅବସ୍ଥା ଏବେ ବି ଗୁରୁତର ରହିଛି।
ଭୁବନେଶ୍ୱର ରେଞ୍ଜ ରୋଭର ବେପରୱା ଡ୍ରାଇଭିଂ ଘଟଣା ପଛରେ ଅଛନ୍ତି କେଉଁ ପ୍ରଭାବଶାଳୀ। ଘଟଣାକୁ ନେଇ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭର ଗାଡ଼ିର ନମ୍ବରକୁ ନେଇ ଏବେ ଚର୍ଚ୍ଚା। ଫେବ୍ରୁଆରୀ ୫ ତାରିଖରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ସମାନ ନମ୍ବର ଗାଡ଼ିରୁ ଓହ୍ଲାଇବାରର ଦୃଶ୍ୟ ଦେଖିବାକୁ ମିଳିଥିଲା।
ଖାଲି ସେତିକି ନୁହେଁ ଝାରସୁଗୁଡ଼ୁା ଆରଟିଓରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗାଡ଼ିଟି ଆର୍ମର୍ସ ରେ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡର। କର୍ପୋରେଟ ଆଫାୟାର୍ସ ମନ୍ତ୍ରାଳୟ ୱେବସାଇଟର ତଥ୍ୟ ଦର୍ଶାଉଛି ଏଇ କଂପାନିର ଅନ୍ୟତମ ନିର୍ଦ୍ଦେଶକ ଅଛନ୍ତି ବିଶାଳ ଦାସ। ତେବେ ଘଟଣା ଘଟିବା ଦିନ ନବ ଦାସଙ୍କ ପୁଅ ବିଶାଳ ଦାସ ଗାଡ଼ିରେ ବସିଛନ୍ତି କି ନାହିଁ। ଘଟଣା ସଂପର୍କରେ ସେ ଜାଣିଛନ୍ତି କି ନାହିିଁ। ଏସବୁ ନେଇ ତାଙ୍କୁ ବିଭିନ୍ନ ମାଧ୍ୟମରେ ଯୋଗା ଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।
ସେପଟେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭର ଗାଡ଼ିର ନମ୍ବର ନେଇ ପୋଲିସ୍ ଦେଇଥିଲା ଦୁଇ ଦୁଇଟି ନମ୍ବର। ମଙ୍ଗଳବାର ଅପରାହ୍ନରେ ପାୱାର ହାଉସ ଛକରେ ଘଟିଥିବା ଦୁର୍ଘଟଣା ବାବଦରେ କମିଶନରେଟ୍ ପୋଲିସର ପ୍ରେସ ରିଲିଜରେ ଗାଡ଼ି ନମ୍ବର OD-33-AF-6726 ଲେଖା ଥିଲା। ହେଲେ ତାର ଅଢ଼େଇ ଘଣ୍ଟା ପରେ ଗାଡ଼ି ନମ୍ବରରେ ସଂଶୋଧନ କରି OD-23-K-0006 ନମ୍ବର ଜାରି କରାଗଲା।
ତେଣୁ ଏଠି ପ୍ରଶ୍ନ ଉଠୁଛି, ଭୁଲ ବଶତଃ ପୋଲିସ ପ୍ରଥମେ ଭୁଲ ନମ୍ବର ଦେଇଥିଲା ନା ୟା ପଛରେ ଚାପ କାମ କରିଥିଲା। କେବଳ ସେତିକି ନୁହେଁ, ଗିରଫ ହୋଇଥିବା ସୌଭାଗ୍ୟ କୁମାର ବାଗ୍ ପ୍ରକୃତରେ ଦୁର୍ଘଟଣା ଦିନ ଗାଡି ଚଳାଉଥିଲେ ନା ଗାଡ଼ିରେ ଥିବା ଆଉ କେହି ଦ୍ୱିତୀୟ ବ୍ୟକ୍ତି ଗାଡ଼ି ଚଳାଉଥିଲେ। କାରଣ ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭରର ଆଗ ପଟରେ ଥିବା ଦୁଇଟି ଯାକ ବେଲୁନ ଫାଟିଥିବାରୁ କାରରେ ଦୁଇଜଣ ବ୍ୟକ୍ତି ଥିବା ସ୍ପଷ୍ଟ ହେଉଛି।
ତେବେ ସେ ଦ୍ୱିତୀୟ ବ୍ୟକ୍ତି କିଏ? ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ କିଛି ଉଦ୍ୟମ କାମ କରୁ ନଥିଲା ତ ? ସବୁଠୁ ବଡ଼ କଥା ହେଉଛି କମିଶନରେଟ୍ ପୋଲିସର କାର୍ଯ୍ୟାଳୟଠୁ ମାତ୍ର ୫୦ ମିଟର ଦୂରରେ ଏଇ ଦୁର୍ଘଟଣା ଘଟିଥିବାରୁ ସିସିଟିଭିରେ ନିଶ୍ଚୟ ଦୁର୍ଘଟଣା ସମୟର ଫୁଟେଜ୍ କଏଦ୍ ହୋଇଥିବ। ହେଲେ ପୋଲିସ, ଡ୍ରାଇଭର ସୌଭାଗ୍ୟ ନିଜ ଦୋଷ ସ୍ୱୀକାର କରିଥିବା କହୁଥିବା ବେଳେ ସତ କଣ କ୍ୟାମେରା ଆଗରେ କିନ୍ତୁ ମୁହଁ ଖୋଲିବାକୁ ନାରାଜ। ଯାହାକୁ ନେଇ ବଢ଼ିଛି ସନ୍ଦେହ।
ସେପଟେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଜୀବନ ସହ ଜୁଝୁଛନ୍ତି ଅବସରପ୍ରାପ୍ତ ସିଆଇଏସଏଫ୍ ଯବାନ କାହ୍ନୁଚରଣ ନାୟକ। ଘଟଣା ଦିନ ତାଙ୍କ ସହ ବାଇକରେ ଥିବା ସଂପର୍କୀୟା ଲୋପାମୁଦ୍ରା ସାହୁଙ୍କର ତିନି ଦିନ ହେବ ଚେତା ଫେରୁନି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାହ୍ନୁଚରଣଙ୍କ ଚିକିତ୍ସା ଚାଲିଥିଲା ବେଳେ କଟକର ଏକ ଘରୋଇ ହସ୍ପିଟାଲରେ ଲୋପାମୁଦ୍ରାଙ୍କର ଚିକିତ୍ସା ଚାଲିଛି। ଉଭୟଙ୍କ ଜୀବନ ବଞ୍ଚାଇବାକୁ ପ୍ରଚୁର ଅର୍ଥର ଆବଶ୍ୟକତା ଥିବାରୁ ରେଞ୍ଜ ରୋଭର ଭଳି ଗାଡ଼ି ଚଢ଼ୁଥିବା ଦାମୀ ମଣିଷ ଅନ୍ତତଃ ମାନବିକତା ଦେଖାଇ ସାହାଯ୍ୟ କରିବାକୁ ଅପିଲ କରିଛନ୍ତି କାହ୍ନୁଚରଣଙ୍କ ଭାଇ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)