• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସରକାରୀ ଡିଲର ଦୋକାନ ସାମ୍ନାରେ ପାଟିତୁଣ୍ଡ, ହୋହାଲ୍ଲା...ସମସ୍ତଙ୍କ ହାତରେ ରାସନକାର୍ଡ଼ । ସମସ୍ତଙ୍କର ପୁଣି ସମାନ ଅଭିଯୋଗ । ଆମକୁ ଚାଉଳ ମିଳୁନି, ଆମେ ଖାଇବୁ କଣ? ବଞ୍ଚିବୁ କେମିତି? ସଠିକ୍‌ ସମୟରେ ଚାଉଳ ପାଇନଥିବାରୁ ଏକାଠି ହୋଇ ଡିଲରଙ୍କ ଘର ସାମ୍ନାରେ ପାଟିତୁଣ୍ଡ କରିଥିଲେ ହିତାଧିକାରୀ । 

ଭଦ୍ରକ ବାସୁଦେବପୁର ବ୍ଲକ ନାୟକାଣୀଡିହି ଗ୍ରାମ ପଞ୍ଚାୟତର ମଲ୍ଲିକଦେଇପୁରର ଗାଁ ଲୋକେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ନୂଆ ବହି ଦେବେ କହି ଲୋକଙ୍କଠାରୁ ରାସନ ବହି ନେଇଗଲେ ଡିଲର। କିନ୍ତୁ ନୂଆ ବହି ଦେବା ବେଳକୁ ଡିସେମ୍ବର ମାସର ଚାଉଳ ଆମକୁ ନଦେଇ ଆମ ଖାତାରେ ଡିସେମ୍ବର ମାସର ରାସନ ଦେଇଥିବାର ଲେଖିଦେଲେ । ଅଭିଯୋଗ ଏତିକିରେ ସରିନି ବରଂ ଫେବୃଆରୀ ମାସର ଚାଉଳ ଦେଲେ କିନ୍ତୁ ଖାତାରେ ଡିସେମ୍ବର ଲେଖିଦେଲେ । ଏମିତି କାହିଁକି କରୁଛ ବୋଲି ପଚାରିବାରୁ ତୁମେ ପୂର୍ବରୁ ଚାଉଳ ନେଇ ସାରିଛ ଆଉ ମିଳିବ ନାହିଁ ବୋଲି କହିଲେ ଡିଲର ।

ଚାଉଳ ପାଇନାହାନ୍ତି ହିତାଧିକାରୀ । କିନ୍ତୁ ଖାତାରେ ନା ପକାଇ ଦେଇଛନ୍ତି ଡିଲର । କିଛି ଏମିତି ଅଭିଯୋଗ ଆଣି ଏବେ ଗର୍ଜିଛନ୍ତି ଲୋକେ । ଖାଲି ଗର୍ଜିଛନ୍ତି ତାହା ନୁହେଁ ବରଂ ନିଜର ପ୍ରାପ୍ୟ ଚାଉଳ ପାଇବାକୁ ଦାବି ବି କରିଛନ୍ତି । ସେପଟେ ଉତ୍ୟକ୍ତ ଲୋକଙ୍କର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ସଂପୃକ୍ତ ଡିଲର । କହିଛନ୍ତି, ଆମେ ପ୍ରତିମାସ ଚାଉଳ ଦେଇଛୁ । ସେମାନଙ୍କ ପ୍ରାପ୍ୟ ସେମାନଙ୍କୁ ମିଳିଛି ।

ତେବେ ଚାଉଳ ବାଟମାରଣା ନେଇ ଗୋଟିଏ ପଟେ ଗାଁ ଲୋକେ ଅଭିଯୋଗ କରୁଥିବା ପରେ ଡିଲର କିନ୍ତୁ ଏହାକୁ ସ୍ୱୀକାର କରିନାହାନ୍ତି । ହେଲେ ପ୍ରକୃତ ଘଟଣା କଣ ତାହା ତଦନ୍ତ ହେଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

 

  • Reported by:
  • Suryadoya Biswal