• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମାଟ୍ରିମୋନି ସାଇଟ୍ ଏବେ ପାଲଟିଛି ସାଇବର ଲୁଟେରାଙ୍କ ନୂଆ ଅସ୍ତ୍ର । ପ୍ରସ୍ତାବଟିଏ ପାଇଁ ଚାରିଆଡୁ ଆଶା ଭରସା ତୁଟିବା ପରେ ଏହି ସାଇଟ୍ ଜରିଆରେ ଜୀବନ ସାଥୀ ଖୋଜୁଥିବା ବ୍ୟକ୍ତିଙ୍କୁ ଚୁନା ଲଗାଉଛନ୍ତି ସାଇବର୍ ଠକ । ମିଛ ପ୍ରୋଫାଇଲ୍, ମିଛିମିଛିକା ଫଟୋ ଅପଲୋଡ୍ କରି ଏମିତି ଚକମା ଦେଖାଉଛନ୍ତି ଯେ, ଆଚ୍ଛା ଆଚ୍ଛା ଲୋକ ବି ବନିଯାଉଛନ୍ତି ବଲିକା ବକରା । ଏମିତି ଏକ ରାକେଟର ଆଜି ଖୁଲାସା କରିଛି କମିଶନରେଟ୍ ପୋଲିସ ।

ମାଟ୍ରିମୋନି ସାଇଟରେ ଖୋଜୁଛନ୍ତି କି ଜୀବନ ସାଥୀ ? କୌଣସି ଯୁବତୀ କିମ୍ବା ଯୁବକଙ୍କ ସୁନ୍ଦର ଚେହେରା ଆଉ ଲମ୍ବା ଚଉଡ଼ା ପ୍ରୋଫାଇଲ୍ ଦେଖି ଭଳି ଯାଉନାହାଁନ୍ତି ତ ? ସୁନ୍ଦରୀ ତରୁଣୀଙ୍କ ପାଇଁ ଚାଲିଛି ବରଖୋଜା । ଯାହା ନାଁ ଦୀପାବଳି ପ୍ରଧାନ । ଘର ପୁରୀ ସଦର ଥାନା ଅଞ୍ଚଳରେ । ବର ଯେମିତି ବି ହେଉ ଚଳିବ। କେବଳ ଯାହା ଭଲ ରୋଜଗାର କରୁଥିବା ଦରକାର । ଏପରିକି ବିବାହ ଛାଡ଼ପତ୍ର ପାଇଥିଲେ ବି ଆପତ୍ତି ନାହିଁ ।

ଏତିକି ଜାଣିବା ପରେ ଯେ କୌଣସି ବ୍ୟକ୍ତି ତାଙ୍କ ହାତ ଧରିବାକୁ ଇଛୁକ ଥିବେ ନିଶ୍ଚୟ । ଯେମିତି ମାନସ ରଞ୍ଜନ ପଣ୍ଡା ନାମକ ଜଣେ ଯୁବକଙ୍କ ଇଚ୍ଛା ଥିଲା । ହେଲେ ମାନସଙ୍କ ସହ ଯାହା ଘଟିଲା ଆଜି ସେ ଅଖା ଧୋଉଛନ୍ତି, ଗୁଣ ଗାଉଛନ୍ତି । ଦୀପାବଳି ପ୍ରଧାନ ନାଁରେ ଏହି ଅଜଣା ଯୁବତୀଙ୍କ ଫଟୋ ରଖି ମାନସଙ୍କୁ ଲୁଟେରା ଲୁଟିଛନ୍ତି ୩ ଲକ୍ଷ ୧୮ ହଜାର ଟଙ୍କା । ପୁରୀ ସଦର ଥାନା ଅଞ୍ଚଳର ନୃସିଂହ ବିଶ୍ୱାଳ ମାନସଙ୍କୁ ଲଗାଇଛି ଚୁନା । ଯାହାକୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ନବମ ପଢୁଆ ନୃସିଂହ ହିଁ ମ୍ୟାଟ୍ରିମୋନି ସାଇଟରେ ଲଗାଇଥିଲା ଅଜଣା ଯୁବତୀଙ୍କ ଏହି ଫଟୋ । ଆଉ ତାକୁ ନାଁ ଦେଇଥିଲା ଦୀପାବଳି ପ୍ରଧାନ । କିନ୍ତୁ ଫଟୋ ସହ ପ୍ରୋଫାଇଲ୍ ଦେଖି ଭଳିଯାଇଥିଲେ ମାନସ ରଞ୍ଜନ । ଏପରିକି ବାହାଘର ପାଇଁ ଡିଲ୍ ବି ଫାଇନାଲ୍ ହୋଇଗଲା । ତା ପରେ ଚାଟିଂ ସହ ଜଣେ ମହିଳା ଦୀପା ନାଁରେ କଥା ହେଉଥିଲେ ଫୋନ କଲରେ । ଆଉ ବିଶ୍ୱାସ ଜନ୍ମିବା ପରେ ଆରମ୍ଭ ହୋଇଥିଲା ଚୁନାଲଗା ପର୍ବ । ବାପା ଅସୁସ୍ଥ ଦର୍ଶାଇ ଅନଲାଇନରେ ଆଦାୟ କରିଥିଲା ୩ ଲକ୍ଷ ୧୮ ହଜାର ଟଙ୍କା ।

ତେବେ ଟଙ୍କା ପାଇବା ପରେ ନା ଫୋନ୍ ଲାଗିଲା ନା ଆଉ ଯୋଗାଯୋଗ ସମ୍ଭବ ହେଲା । ଶେଷରେ ସାଇବର ଥାନାରେ ଅଭିଯୋଗ ପରେ ତଦନ୍ତ କରି କମିଶନରେଟ୍ ପୋଲିସ ପୁରୀ ଭାତକୁଡି ଗାଁର ନୃସିଂହକୁ ଗିରଫ କରିଛି । ତା ସହ ଲକ୍ଷେ ୬୧ ହଜାର ଟଙ୍କା, ୫ଟି ଏଟିଏମ କାର୍ଡ, ୨ଟି ସିମ୍ ଏବଂ ୩ଟି ମୋବାଇଲ୍ ଜବତ କରିଛି ।

ମାଟ୍ରିମୋନି ସାଇଟକୁ ଅସ୍ତ୍ର କରି ଏଭଳି ଠକେଇ କରିବା ନୂଆ ନୁହେଁ । ମାଲକାନଗିରିର ଜଣେ ମହିଳାଙ୍କୁ ବିବାହ ନାଁରେ ୬ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିଲା ଅନୁଗୁଳ ଜିଲ୍ଲାର ଲକ୍ଷ୍ମୀକାନ୍ତ ନାଥ । ସେହିପରି ସମ୍ବଲପୁରର ରାହୁଲ ଦୀକ୍ଷିତ ଜଣେ ବଙ୍ଗୀୟ ଯୁବତୀଙ୍କଠାରୁ ୬୪ ଲକ୍ଷ ଚୁନା ଲଗାଇଥିବା ଅଭିଯୋଗ ହୋଇଥିଲା । ଏଭଳି ସ୍ଥିତିରେ ସାଇବର୍ ଲୁଟେରାଙ୍କ ଠାରୁ ବର୍ତ୍ତିବେ କେମିତି, ସାଇବର ଏକ୍ସପର୍ଟ ବତାଇଛନ୍ତି ବାଟ ।

ମାଟ୍ରିମୋନି ସାଇଟରେ ପ୍ରୋଫାଇଲ୍ ମ୍ୟାଚ୍ ପରେ ସମ୍ପର୍କ ବଢ଼ାଇବା ପୂର୍ବରୁ ପ୍ରଥମେ ବ୍ୟକ୍ତିଗତ ଭାବେ ଘରକୁ ଯାଇ ସମସ୍ତଙ୍କ ସହ ସାମ୍ନାସାମ୍ନି କଥାବାର୍ତ୍ତା କରନ୍ତୁ । ସଠିକ୍ ତଥ୍ୟ ନ ମିଳିବା ଯାଏଁ କୌଣସି ବ୍ୟକ୍ତିଗତ ଚାଟ୍ କିମ୍ବା କଲ୍ କରନ୍ତୁୁନି । ଟଙ୍କା ଦେଣନେଣ କିମ୍ବା ବ୍ୟାଙ୍କ ଆକାଉଣ୍ଟ ସଂପର୍କିତ ତଥ୍ୟ ସେୟାର କରିବା ଅନୁଚିତ ।

  • Reported by:
  • CHANDAN PAIKRAY