• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଧ୍ୟପ୍ରଦେଶର ବେତୁଲରେ ଜଣେ ଯୁବତୀଙ୍କ ଗଳା କାଟି ହତ୍ୟା କରାଯାଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ପୋଲିସର କହିବାନୁଯାୟୀ, ଉଭୟ ଯୁବକ ଏବଂ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ମୃତ ଯୁବତୀ ଜଣକ ଭିଡିଓ ପ୍ରସ୍ତୁତ କରି ଯୁବକଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ । ଏହାସହ ଯୁବକଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଉଥିଲେ ଯୁବତୀ । ଯାହାଫଳରେ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହେଉଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି ମାମଲାର ତଦନ୍ତ ଆରମ୍ଭ କରିଛି ।

ବୁଧବାର ବିଳମ୍ବିତ ରାତିରେ ବେତୁଲର ମୁଲତାଇ ପୋଲିସ ଥାନା ଅନ୍ତର୍ଗତ ଗାନ୍ଧୀ ୱାର୍ଡରେ ଜଣେ ଯୁବତୀଙ୍କୁ ଛୁରୀରେ ଗଳା କାଟି ହତ୍ୟା କରାଯାଇଛି । ମୃତକ ଜଣକ ହେଉଛନ୍ତି ୨୬ ବର୍ଷିୟ ସିମରନ ଖାନ । ସେ ମୁଲତାଇର ବାସିନ୍ଦା । ପୋଲିସ କହିଛି ଯେ, ୨୫ ବର୍ଷିୟ ସାନିଫ ମଲିକ ସହ ସିମରନ୍‌ଙ୍କ ପ୍ରେମ ସମ୍ପର୍କ ରହିଥିଲା । ଏହି ଘଟଣା ସମ୍ପର୍କରେ ପୋଲିସ ଅଧୀକ୍ଷକ ସିଦ୍ଧାର୍ଥ ଚୌଧୁରୀ କହିଛନ୍ତି ଯେ, ଯୁବତୀ ଜଣକ ଯୁବକଙ୍କ ଉପରେ ବିଭିନ୍ନ ସମୟରେ ମାନସିକ ଚାପ ପକାଉଥିଲେ । ଏହାସହ ଯୁବକଙ୍କୁ ହଇରାଣ କରୁଥିଲେ । ଉଭୟଙ୍କ ବନ୍ଧୁତା ପ୍ରାୟ ଏକ ବର୍ଷ ପୂର୍ବରୁ ସୋସିଆଲ ମିଡିଆ ଜରିଆରେ ଆରମ୍ଭ ହୋଇଥିଲା । ଯୁବତୀ ଜଣକର ଅନେକ ଲୋକଙ୍କ ସହ ସମ୍ପର୍କ ଥିଲା । ଯୁବତୀ ଜଣକ ସବୁବେଳେ ଯୁବକଙ୍କୁ ଫୋନ୍ କରି ତାଙ୍କର ଫଟୋ ଏବଂ ଭିଡିଓ ରଖିଥିବା କଥା କହୁଥିଲେ । 

ଫଟୋ ଏବଂ ଭିଡିଓ କଥା କହି ଯୁବତୀ ଜଣକ ଯୁବକଙ୍କଠାରୁ ଅନେକ ଟଙ୍କା ହଡ଼ପ କରିଛନ୍ତି । ଗତକାଲି ମଧ୍ୟ ଯୁବତୀ ଜଣକ ଯୁବକଙ୍କ ଦୋକାନକୁ ଟଙ୍କା ମାଗିବା ପାଇଁ ଯାଇଥିଲେ । ଯୁବକଙ୍କ ଦୋକାନ ସାମ୍ନାରେ ସେ ହଙ୍ଗାମା କରିଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ଗାଳିଗୁଲଜ ମଧ୍ୟ ଆରମ୍ଭ ହୋଇଥିଲା । ଏଥିରେ ଯୁବକ ଜଣକ ରାଗିଯାଇ ପାଖରେ ଥିବା ଅଣ୍ଡା ଦୋକାନରୁ ଛୁରି ଆଣି ଯୁବତୀଙ୍କ ଗଳା କାଟି ଦେଇଥିଲେ ।

ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି । ମୃତ ଯୁବତୀଙ୍କ ମୋବାଇଲକୁ ପୋଲିସ ଉଦ୍ଧାର କରିଛି । ଯାହାକୁ ଯୁବକ ଜଣକ ରାଗିକି ଭାଙ୍ଗି ଦେଇଥିଲେ । ସେହି ମୋବାଇଲରେ ଯୁବକଙ୍କ ଫଟୋ ଥିବା କଥା କୁହାଯାଉଥିଲା । ତଦନ୍ତ ବେଳେ ପୋଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ, ମୃତ ଯୁବତୀ ଜଣକ ମଦ୍ୟ ପାନ କରି ନିଶାରେ ଥିଲେ । ଆଉ ଯୁବକଙ୍କ ଦୋକାନ ଆଗରେ ଆସି ହଙ୍ଗାମା କରୁଥିଲେ ।

ଅନ୍ୟପଟେ ଏହା ମଧ୍ୟ ସୂଚନା ରହିଛି ଯେ, କିଛି ଦିନ ପୂର୍ବରୁ ଅନ୍ୟ ଏକ ଯୁବତୀଙ୍କ ସହ ଉକ୍ତ ଯୁବକଙ୍କ ନିର୍ବନ୍ଧ ସରିଥିଲା । ଯୁବକଙ୍କ ବିବାହ ସ୍ଥିର ହୋଇଛି ଜାଣିବା ପରେ ମୃତ ଯୁବତୀ ଜଣଙ୍କ ବ୍ଲାକ୍‌ମେଲ୍‌ କରି ଟଙ୍କା ହଡ଼ପ କରିବାକୁ ଲାଗିଥିଲେ ।