/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648001474.jpg)
କମେଣ୍ଟମରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷରୁ ହତ୍ୟା
ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା । ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଥାନା ପିତଳ ଛକରେ କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟି ବଡ଼ ଧରଣର ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ସମ୍ପର୍କରେ ସେମାନେ ଭାଇ ଓ ପୁତୁରା ହୋଇଥିବା ଜଣାପଡିଛି । ୩ ଜଣ ଭାଇ ଓ ଜଣେ ପୁତୁରାଙ୍କ ମୃତ୍ୟୁ ଘଟିଛି । ଆକ୍ରମଣ କରିଥିବା ଗୋଷ୍ଠୀର ଜଣେ ଆହତ ହୋଇ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି । ମୃତକମାନେ ହେଲେ ପିତଳ ନରେନ୍ଦ୍ରପୁର ଅଂଚଳର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ଶମ୍ଭୁ ସ୍ୱାଇଁ, ପାଣ୍ଡୁରା ସ୍ୱାଇଁ ଓ ରାଜା ସ୍ୱାଇଁଏବଂ ପୁତୁରା ଚନ୍ଦନ ସ୍ୱାଇଁ ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ଅଭିଯୁକ୍ତଙ୍କୁ ଗିରଫଦାରୀ ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ସ୍ଥାନୀୟ ଲୋକେ ପିତଳ ଛକରେ ବ୍ରହ୍ମପୁର- ଆସିକା ଏନ୍ଏଚ୍- ୫୯ ଅବରୋଧ କରି ଧାରଣାରେ ବସିଛନ୍ତି । ଯାହା ଦ୍ୱାରା ବ୍ରହ୍ମପୁରରୁ ଆସିକାରେ ଗାଡ଼ି ଚଳାଚଳରେ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ଅଘଟଣ ଘଟିଛି । ଏହି ୪ ଜଣ ପିତଳ ଛକରେ ଥିବା ନିଜ ଫାଷ୍ଟଫୁଡ୍ ଦୋକାନ ବନ୍ଦ କରିବାକୁ ଯାଇଥିବା ବେଳେ ରାମଚନ୍ଦ୍ରପୁରର ୬ଜଣ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ବିପକ୍ଷ ଗୋଷ୍ଠୀର ଯୁବକ ମାନେ ଏମାନଙ୍କୁ ଠେଙ୍ଗା ଓ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ଏଥିରେ ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ଶମ୍ଭୁ ସ୍ୱାଇଁ, ପାଣ୍ଡୁରା ସ୍ୱାଇଁ ଓ ରାଜା ସ୍ୱାଇଁଏବଂ ପୁତୁରା ଚନ୍ଦନ ସ୍ୱାଇଁ ଗୁରୁତର ଆହତ ହୋଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଛି ।
ଗତକାଲି ରାତି ୧୦ଟାରେ ଏକ ଗାଡି ଦୁର୍ଘଟଣା ଘଟିଥିଲା ଜଣେ ପୁରୁଷ ଓ ଜଣେ ମହିଳା ବାଇକରେ ଯାଉଥିବା ବେଳେ ହଠାତ ଏକ କୁକୁର ଆସିଯିବାରୁ ବାଇକରୁ ପଡ଼ି ସେମାନେ ଆହତ ହୋଇଥିଲେ । ଏହି ସମୟରେ ରାସ୍ତା କଡ଼ ଏକ ଦୋକାନରେ ଠିଆ ହୋଇଥିବା ଦୁଇ ଜଣ ଯୁବକ ଙ୍କ ମଧ୍ୟରୁ ଜଣେ ଯୁବକ ଆହତ ମହିଳାଙ୍କୁ ସହାୟତା କରିଥିଲେ ଏହି ସମୟରେ ପାଣ୍ଡୁରା ଓ ତାଙ୍କ ଭାଇ ଏହି ଘଟଣାକୁ ନେଇ କିଛି କମେଣ୍ଟ କରିଥିଲେ । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ପରେ ବିପକ୍ଷ ସେଠାରୁ ପଳାଇ ଯାଇଥିଲେ । ଏମାନେ ଦୋକାନ ବନ୍ଦ କରୁଥିବା ସମୟରେ ଦୁର୍ବୃତ୍ତମାନେ ଏକତ୍ରିତ ହୋଇ ଏମାନଙ୍କୁ ଆକ୍ରମଣ କରିଥିଲେ । ଏମାନେ ମଧ୍ୟ ପ୍ରତିଆକ୍ରମଣ କରିଥିଲେ । ଏଥିରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପକ୍ଷର ଜଣେ ଆହତ ହୋଇଥିବା ଜଣାପଡିଛି । ଆକ୍ରମଣ ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)