• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଟିଳ ହେଉଛି ସୁମିତ-ତପସ୍ୱିନୀଙ୍କ ଦାମ୍ପତ୍ୟ କଳି । ବିବାଦ ଘନଉଛି ଘଡିକେ ଘୋଡ଼ା ଛୁଟୁଛି । ସ୍ୱାମୀ ସୁମିତଙ୍କୁ ନିଖୋଜ ଦର୍ଶାଇ ଥାନା ଯାଇଥିଲେ ତପସ୍ୱିନୀ, ଏବେ ସୁମିତ୍ ଅଡ଼ିଓ ମେସେଜ୍ ଜାରି କରି ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି ତାଙ୍କ ନାଁରେ ଆବ୍‌ସ୍କଣ୍ଡିଂ, କିଡ୍‌ନାପିଂ, ମିସିିଂ, ଯାହାବି ଅଭିଯୋଗ ଆସୁଛି, ସମ୍ପୂର୍ଣ୍ଣ ମିଛ । ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିବାରୁ ଡାକ୍ତରଙ୍କ ପରାମର୍ଶ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ରେଷ୍ଟରେ ଅଛନ୍ତି । ଅସୁସ୍ଥତା ସତ୍ତ୍ୱେ ସାଙ୍ଗ ଓ ସଂପର୍କୀୟଙ୍କୁ କହି ଭଡ଼ା ଘର ଖୋଜା ଚାଲିଛି । କେବଳ ଏତିକି ନୁହେଁ, ଆସିକା ଗେଷ୍ଟହାଉସରେ ସପ୍ତାହକର ରହଣୀ ଭିତରେ ତପସ୍ୱିନୀଙ୍କ ସହ କୌଣସି ସଂପର୍କ ସ୍ଥାପନ ହୋଇନି ବୋଲି କହିଛନ୍ତି ସୁମିତ୍ ।

ଏମିତିରେ ତ ତପସ୍ୱିନୀ ଲାଇଫ୍ ବର୍ବାଦ୍ କଲେଣି, ଆହୁରି କରିଚାଲିଛନ୍ତି । ଏହାସତ୍ତ୍ୱେ ବି କାହିଁକି ସେ ମୋ ସହ ରହିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ମୋର ବି ମୌଳିକ ଅଧିକାର ଅଛି, ସ୍ୱାଧୀନତା ଅଛି । ମୁଁ ତପସ୍ୱିନୀ ଦ୍ୱାରା ପରିଚାଳିତ ନୁହେଁ ଯେ, ତାଙ୍କୁ ପଚାରି ସବୁକିଛି କରିବି ବୋଲି ସୁମିତ୍ କହିଛନ୍ତି ।

୩ ଡିସେମ୍ବର, ୨୦୨୧ । ଦୀର୍ଘଦିନ ଧରି ନିଜକୁ ବୋହୂ ଦାବି କରି ଶ୍ୱଶୁର ଘର ଆଗରେ ଧାରଣା ଦେଇଥିବାବେଳେ ଉଭୟଙ୍କୁ ପ୍ରଥମେ ୭ ଦିନ ଲାଗି ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ ବ୍ରହ୍ମପୁର SDJM କୋର୍ଟ । ଡିସେମ୍ବର ୮ରେ ଘରଭଡ଼ା ନେଇ ପୁଣି ଏକାଠି ରହିବାକୁ କହିଥିଲେ । ଏହାପରେ ତପସ୍ୱିନୀ ଓ ସୁମିତ୍ ପୁଣି ସେହି ଗେଷ୍ଟହାଉସ୍‌କୁ ଗଲେ । କିନ୍ତୁ ଦିନକର ରହଣୀ ଭିତରେ ଗେଷ୍ଟ ହାଉସ୍ ଛାଡ଼ି ଚାଲି ଯାଇଥିଲେ ସୁମିତ୍ ।

 

ଏନେଇ ତପସ୍ୱିନୀ ଆସିକା ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ସୁମିତ ଅସୁସ୍ଥତା ଯୋଗୁ ବାଲିସିରାରେ ଜଣେ ବନ୍ଧୁଙ୍କ ଘରେ ଥିବା କହିଥିଲେ ତାଙ୍କ ଓକିଲ । ଏସବୁ ଭିତରେ ଓକିଲ ସୁରେନ୍ଦ୍ର ବେହେରାଙ୍କ ଜରିଆରେ ଜାରି କରିଛନ୍ତି ଅଡ଼ିଓ । ଯାହାକୁ ନେଇ ବର୍ଷିଛନ୍ତି ତପସ୍ୱିନୀ । ସେ କହିଛନ୍ତି ଭଲ ପାଇଲେ, ପରିବାର ଲୋକଙ୍କ ବିନା ସମ୍ମତିରେ କୋର୍ଟରେ ବିବାହ କଲେ । ଆଉ ଗର୍ଭପାତ ବି କରାଇଲେ । ଆସନ୍ତାକାଲି କୋର୍ଟରେ ହେବାକୁ ଥିବା ଶୁଣାଣି ପୂର୍ବରୁ ଏଭଳି ଅଡ଼ିଓ ଜାରି ପଛର ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ ।

ସେପଟେ ଡାକ୍ତର ସୁମିତଙ୍କ ଦରମା ବନ୍ଦ କରିଛନ୍ତି ସିଡିଏମ୍ଓ । ଏକାଦି କ୍ରମେ ୧୦ଦିନରୁ ଅଧିକ ଛୁଟିରେ ଥିବାରୁ ଦରମା ବନ୍ଦ କରାଯାଇଥିବା ସିଡିଏମ୍ଓଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।