/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691856802.jpg)
Bar in Bhubaneswar
ଶୁଭଲକ୍ଷ୍ମୀ ଆତ୍ମହତ୍ୟା ଘଟଣା ପରେ ପୋଲିସଠୁ ଆରମ୍ଭ କରି ଅବକାରୀ ବିଭାଗ, ମହିଳା କମିଶନଙ୍କ ଠାରୁ ଶିଶୁ କମିଶନ- ସମସ୍ତେ ତତ୍ପର। ବାରରେ କିଭଳି ନାବାଳିକାମାନଙ୍କୁ କାମରେ ଲଗାଯାଉଛି ସାମ୍ନାକୁ ଆସିବା ପରେ ଏବେ ଫୋକସରେ ରାଜଧାନୀର ସବୁ ବାର। ତେଣୁ ଖୁବଶୀଘ୍ର ରାଜଧାନୀର ସବୁ ବାର ଉପରେ ରେଡ୍ କରି ନାବାଳିକାଙ୍କୁ ବାର ଗାର୍ଲ ଭାବେ ନିୟୋଜିତ କରିଥିବା ବାର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କମର କଷିଛନ୍ତି ଅବକାରୀ ବିଭାଗ।
ବାରର ଅନ୍ଧାର ଗଳିରେ ହଜି ଯାଉଛନ୍ତି କଅଁଳ କନ୍ୟା। ଦଲାଲଙ୍କ ରଙ୍ଗୀନ ସ୍ୱପ୍ନରେ ଭାସିଯାଉଛି କି କୋମଳମତି ନାବାଳିକାଙ୍କ ମନ ? ଟଙ୍କା ଦେଖି ଅଫେରା ରାଇଜରେ ପାଦ ଦେଉଛନ୍ତି କି ଚପଳମତି ? ସବୁ ନିୟମକୁ ଫୁ କରି ସୁରା ଆଉ ସୁନ୍ଦରୀକୁ ଏକାଠି କରୁଛନ୍ତି କି ବାର୍ ମାଲିକ ? ଶୁଭଲକ୍ଷ୍ମୀ ଆତ୍ମହତ୍ୟା ଘଟଣା ପରେ ଏବେ ଉଙ୍କି ମାରିଛି କିଛି ଏଭଳି ପ୍ରଶ୍ନ। ଯାହାକୁ ଆଧାର କରି ରାଜ୍ୟ ଅବକାରୀ ବିଭାଗ ସହୁ ଡ୍ୟାନ୍ସ ବାର ଉପରେ ଚଢାଉ କରିବା ପାଇଁ ପ୍ରସ୍ତୁତ କରିଛି ଟିମ୍।
୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ ବାରରେ କୌଣସି କାମରେ ନିୟୋଜିତ କରାଯାଇଥିଲେ ସଂପୃକ୍ତ ବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ବାରର ସିସିଟିଭି ସହ ସମସ୍ତ ତଥ୍ୟ ଯାଞ୍ଚ ହେବ। ଏପରିକି ଅବକାରୀ ବିଭାଗକୁ ବାର ପକ୍ଷରୁ ଦିଆଯାଇଥିବା ଯୁବତୀଙ୍କ ତାଲିକା ବାହାରେ ଅନ୍ୟଯୁବତୀ କାମ କରୁଥିବା ଜଣାପଡ଼ିଲେ ସେନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ରାଜଧାନୀରେ ଥିବା ୧୮ଟି ଡ୍ୟାନ୍ସ ବାର ଉପରେ ଖୁବଶୀଘ୍ର ଚଢ଼ାଉ ପାଇଁ ଯୋଜନା କରିଛି ଅବକାରୀ ବିଭାଗ।
ସେପଟେ ଶୁଭଲକ୍ଷ୍ମୀ ଆତ୍ମହତ୍ୟା ମାମଲାରେ ମହିଳା କମିଶନଙ୍କ ପରେ ଉଦବେଗ ପ୍ରକାଶ କରିଛନ୍ତି ଶିଶୁ କମିଶନ। ଶୁଭଲକ୍ଷ୍ମୀଙ୍କ ଭଳି ଅସହାୟ ନାବାଳିକାଙ୍କୁ ବିଭିନ୍ନ ବାରରେ କାମ କରାଉଥିବା ଦଲାଲଙ୍କୁ ବାନ୍ଧିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାର ଗୁଡ଼ିକୁ ଯାଞ୍ଚ କରି କେଉଁଠି କେତେ ନାବାଳିକା କାମ କରୁଛନ୍ତି ତାହାର ତଥ୍ୟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶିଶୁ କମିଶନ୍। ଏଥିସହ ଶୁଭଲକ୍ଷ୍ମୀ ମାମଲାରେ ଦୋଷୀ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ଚିଠି କରାଯାଇଥିବା କମିଶନ୍ ଅଧ୍ୟକ୍ଷା କହିଛନ୍ତି।
ଏପଟେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ତାଙ୍କ ଇନ୍ଷ୍ଟାଗ୍ରାମ ଆଇଡିକୁ ପ୍ରାଇଭେଟ କିଏ କରିଛି ? କିଏ ଚଳାଉଛି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ? ତାର ତଦନ୍ତ ପାଇଁ ସାଇବର ପୋଲିସର ସହାୟତା ଲୋଡିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଶୁଭଲକ୍ଷ୍ମୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ପୁରୁଷ ବନ୍ଧୁ ସଂଜୟ ଅବା ଅନିଲ ଚଳାଇବା ସହ ସମସ୍ତ ପ୍ରମାଣ ଡିଲିଟ କରିଦେଇଥିବା ନେଇ ପୋଲିସ ସନ୍ଦେହ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)