ଏମାନେ ସବୁବେଳେ ବିଦ୍ୟୁତ ସହ ଖେଳୁଥିଲେ । ବିଦ୍ୟୁତ ତାର କାଟି ଚୋରି କରିବା ଏମାନଙ୍କ ନିଶା ପାଲଟି ଯାଇଥିଲା । ଏମାନେ ବିଦ୍ୟୁତ ତାର କାଟି ଘରେ ଚୋରି କରୁନଥିଲେ । ଏମାନେ ବିଦ୍ୟୁତ ତାର ହିଁ ଚୋରି କରି ନେଉଥିଲେ । ଲୋକଙ୍କୁ ମାସ ମାସ ଧରି ଅନ୍ଧାରରେ ରଖୁଥିଲେ । କେହି କିଛି ଟେର୍ ପାଉନଥିଲେ । କିନ୍ତୁ ଏବେ ପୋଲିସ ହାତରେ ଧରାପଡିଛି ଏହି ଗ୍ୟାଙ୍ଗ ।
ଇଲେଭେନ କେଭି ବିଦ୍ୟୁତ ତାର କାଟି ନେଉଥିଲେ । ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି କରି ତେଲ ଓ କଏଲ୍ ନେଇଯାଉଥିଲେ । ଲୋକମାନେ ବେଳେ ବେଳେ ଜଗି ରହୁଥିଲେ ମଧ୍ୟ ଲୋକଙ୍କ ଆଖିରେ ଧୂଳି ଦେବାରେ ଏମାନେ ମାହିର୍ ଥିଲେ ।
ଚୋରି କରିବା ପରେ ଏମାନେ କାଁ ଭାଁ ସ୍ଥାନୀୟ ଅଞ୍ଚଳରେ ଚୋରି ଜିନିଷ ବିକୁଥିଲେ । ଅଧିକାଂଶ ସମୟରେ ପଡୋଶୀ ପଶ୍ଚମବଙ୍ଗ ଓ ଝାଡ଼ଖଣ୍ଡରେ ବିକ୍ରି କରିଦେଉଥିଲେ । ତେଣୁ କେହି ସହଜରେ ଜାଣିପାରୁନଥିଲେ ।
ଅଧିକ ପଢ଼ନ୍ତୁ : ରାଜଧାନୀରେ ହୁଗୁଳି ଗଲାଣି ପୋଲିସିଂ ବ୍ୟବସ୍ଥା; ବଢୁଛି ଅପରାଧ, ମିଳୁନି ଅପରାଧୀଙ୍କ ପତ୍ତା
ବାରିପଦା ସଦର ଥାନା ପୋଲିସ୍ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରି ବଡ ସଫଳତା ପାଇଛି । ଜିଲ୍ଲା ପୋଲିସ୍ ପାଇଁ ଏମାନେ ଥିଲେ ମୋଷ୍ଟ ୱାଣ୍ଟେଡ୍ । ଗିରଫ ହୋଇଥିବା ଏହି ଗ୍ୟାଙ୍ଗର ଚୋରମାନେ କେବଳ ବାରିପଦା ନୁହେଁ ବରଂ ଉଦଳା, ବେତନଟୀ, ମୋରଡା, ବଡ଼ସାହି ପ୍ରଭୃତି ଅଞ୍ଚଳରୁ ଚୋରି କରୁଥିଲେ ବୋଲି ଡିଏସପି ସୁଜିତ ପ୍ରଧାନ କହିଛନ୍ତି । ଏମାନଙ୍କ ଅପରାଧର ତାଲିକା ବହୁତ ଲମ୍ୱିପାରେ ବୋଲି କହିଛି ପୋଲିସ୍ ।
ଏହି ଗ୍ୟାଙ୍ଗ ନିସ୍ତବ୍ଧ ରାତିରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିଚ୍ଛିନ୍ନ କରି ତାର, ଟ୍ରାନଫର୍ମର କଏଲ୍ ଓ ତେଲ ନେଇଯାଉଥିଲେ । ଏଥିରେ ଏକ ରାକେଟ୍ କାମ କରୁଥିଲା ।
ଅନେକ ଦିନରୁ ଏହି ଗ୍ୟାଙ୍ଗ ଉପରେ ନଜର ରଖିଥିଲା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବେତନଟୀ ଥାନା ଅଞ୍ଚଳର ସୈାରଭ ମହାନ୍ତ, ରଂଜନ ସିଂ, ବିଶେଶ୍ୱର ମହାନ୍ତ ଏବଂ ଜୟନ୍ତ କୁମାର ମହାନ୍ତ । ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ଗୋପିବହ୍ଲବପୁର ଅଞ୍ଚଳର ଦୁଇଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ଗ୍ୟାଙ୍ଗର ଅନ୍ୟ ଦୁଇଜଣଙ୍କୁ ପୋଲିସ୍ ଧରିପାରି ନାହିଁ ।
ଏମାନଙ୍କ ଠାରୁ ୧୭୦୦ ମିଟରର ତାର, ୫୦ କିଲୋଗ୍ରାମର କପର୍ ଓ ଚୋରିରେ ବ୍ୟବହୃତ ପିକଅପ୍ ଭ୍ୟାନ ଜବତ କରାଯାଇଛି । ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏମାନେ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗ ବୋଲି ପୋଲିସ୍ କହିଛି । ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।