/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694174614.jpg)
Anupras Mohanty
ବ୍ୟାଙ୍କ ଋଣ ସୁଝି ନ ପାରିବାରୁ ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ଜମି ଦଖଲ କଲା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ । କଟକ ସେଲଟର ଛକ ସ୍ଥିତ ନେତାଜୀ ନଗରରେ ଥିବା ଏକ ଜମିକୁ ନିଜ ଅକ୍ତିଆରକୁ ନେଇଛି ବ୍ୟାଙ୍କ । ତେବେ ଏହି ଜମି ଦଖଲ ସମୟରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।
ସ୍ଥାନୀୟ ଅଞ୍ଚଳର ନେତାଜୀ ସଂଘ ନାମକ ଏକ ଅନୁଷ୍ଠାନ ନାଁରେ ଏହି ଜମି ଥିବା ଦାବି କରି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଘେରିଥିଲେ ସ୍ଥାନୀୟ ଲୋକେ । ଏହାକୁ ବ୍ୟାଙ୍କ ଦଖଲ କରିପାରିବ ନାହିଁ ବୋଲି ଅଡି ବସିଥିଲେ ସ୍ଥାନୀୟ ଲୋକେ । ପରିସ୍ଥିତି ଏମିତି ହୋଇଥିଲା ଯେ ପୋଲିସ ଉପସ୍ଥିତିରେ ସ୍ଥାନୀୟ ଲୋକେ ଏବଂ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।
ଏହି ଜମିକୁ ଅନୁପ୍ରାସ ମହାନ୍ତି ଚଞ୍ଚକତା କରି କିଣିଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା । ଏ ବାବଦରେ ସଂଘ ପକ୍ଷରୁ ଅନୁପ୍ରାସଙ୍କ ନାଁରେ କୋର୍ଟରେ ମାମଲା ଦାୟର କରିଥିବାବେଳେ ତାହା ବିଚାରାଧିନ ଥିବା କହିଥିଲେ । ହେଲେ ଆବଶ୍ୟକୀୟ କାଗଜପତ୍ର ନ ଦେଖାଇ ପାରିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ପୋଲିସ ଉପସ୍ଥିତିରେ ଜମିକୁ ଦଖଲ କରିଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ୨୦୧୩ ମସିହା ସେପ୍ଟେମ୍ବର 8 ତାରିଖରେ ସଂପୃକ୍ତ ଜମିକୁ ବନ୍ଧକ ରଖି ଗଣ୍ଡରପୁର ଅର୍ବାନ ବ୍ୟାଙ୍କରୁ ଅନୁପ୍ରାସ ମହାନ୍ତି ୫୬ ଲକ୍ଷ ଟଙ୍କାର ଲୋନ ନେଇଥିଲେ ।
ଲୋନର କିଛି ଟଙ୍କା ପୈଠ କରିବା ପରେ ଆଉ ଟଙ୍କା ସୁଝିନଥିଲେ । ଏହାପରେ ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ କରାଯାଇଥିଲା । ତେବେ ଟଙ୍କ ପୈଠ ନକରିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ସଂପୃକ୍ତ ଜମିକୁ ଦଖଲକୁ ନେଇଛି । ତେବେ ଏ ସମ୍ପର୍କରେ ଅନୁପ୍ରାସ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)