• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ୟାଙ୍କରେ ମହିଳାଙ୍କ ବାଥ୍‌ରୁମ୍‌ରେ ଲାଗିଥିଲା ସ୍ପାଏ କ୍ୟାମେରା । ଧରା ହେଲେ ବ୍ୟାଙ୍କର ଜଣେ ସିନିୟର ଅଫିସର । ଏଭଳି ଏକ ଅସଭ୍ୟ କାଣ୍ଡ ଘଟିଛି ରାଜକୋଟ ଜାମନଗର ଅଞ୍ଚଳରେ । ତେବେ ଏଭଳି କ୍ୟାମେରା ଲାଗିଥିବା ଖବର ପ୍ରଚାର ହେବା ପରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । 

ତେବେ ମହିଳାଙ୍କ ବାଥ୍‌ରୁମ୍‌ରେ କ୍ୟାମେରା ଲାଗିଥିବା କଥା ସେତେବେଳେ ସାମ୍ନାକୁ ଆସିଥିଲ ଯେତେବେଳେ ଉକ୍ତ ବ୍ୟାଙ୍କର ଜଣେ ମହିଳା କର୍ମଚାରୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଉ ସେହି ବ୍ୟାଙ୍କର ଜଣେ ସିନିଅର ଅଧିକାରୀ ଅଖିଳେଶ ସାଇନିଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ମହିଳା କର୍ମଚାରୀଙ୍କ ଅଭିଯୋଗ ପାଇବା ପରେ ପୋଲିସ ଅଧିକାରୀ ବ୍ୟାଙ୍କରେ ପହଞ୍ଚିଥିଲେ ଓ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । 

ମହିଳା କର୍ମଚାରୀ ନିଜ ଅଭିଯୋଗରେ ଦର୍ଶାଇଥିଲେ, ଗତ ସପ୍ତାହରେ ଯେତେବେଳେ ସେ ବାଥ୍‌ରୁମ୍‌କୁ ଯାଇଥିଲେ ସେ କାନ୍ଥରେ ଏକ ଛୋଟିଆ ଗର୍ତ୍ତ ହୋଇଥିବା ଦେଖିଥିଲେ । ଆଉ ସେହି ଗର୍ତ୍ତ କାହିଁକି ଓ କେମିତି ହେଲା ବୋଲି ଜାଣିବାକୁ ଚାହିଁଥିଲେ । ସେତେବେଳେ ସେ ସେହି ଗର୍ତ୍ତ ଭିତରୁ ଏକ ସ୍ପାଏ କ୍ୟାମେରା ପାଇଥିଲେ ।

ମହିଳା ଜଣକ ଆହୁରି କହିଛନ୍ତି ଯେ, କ୍ୟାମେରା ପାଇବା ପରେ ସେ ତୁରନ୍ତ ମ୍ୟାନେଜର ଦାୟିତ୍ୱରେ ଥିବା ଶ୍ରୀ ସାଇନିଙ୍କୁ ଏନେଇ ଅବଗତ କରାଇଥିଲେ । କାରଣ କିଛି ଦିନ ହେବ ବ୍ୟାଙ୍କ ମ୍ୟାନେଜର ଛୁଟିରେ ଅଛନ୍ତି । ତେଣୁ ତାଙ୍କର ସନ୍ଦେହ ହୋଇଥିଲା ମ୍ୟାନେଜର ଦାୟିତ୍ୱରେ ଥିବା ସିନିଅର ଅଧିକାରୀ ସାଇନିଙ୍କ ଉପରେ ।

ହେଲେ ଅଭିଯୋଗ ଶୁଣି ଶ୍ରୀ ସାଇନି, ମହିଳା କର୍ମଚାରୀଙ୍କୁ ଚୁପ ରହିବା ପାଇଁ କହିଥିଲେ । ଏହାସହ ଥାନା ପର୍ଯ୍ୟନ୍ତ କଥା ନନେବାକୁ ବି ଅନୁରୋଧ କରିଥିଲେ । ଖାଲି ସେତିକି ନୁହେଁ ସେ ଉକ୍ତ ମହିଳା କର୍ମଚାରୀଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ହେଲେ ମହିଳା ଜଣକ କିଛି ଶୁଣିନଥିଲେ ।

ସେ ଅନ୍ୟ ବ୍ରାଞ୍ଚର ଦୁଇ ଜଣ ସିନିଅର ଅଧିକାରୀଙ୍କୁ ସେଠାକୁ ଡକାଇଥିଲେ । ସେମାନେ ଆସିବା ପରେ ପୁଣା ଘଟଣା ଶୁଣିଥିଲେ । ଏହାସହ ସ୍ପାଏ କ୍ୟାମେରା ଓ ଏହାର ମେମୋରି କାର୍ଡକୁ ନଷ୍ଟ କରିଥିଲେ । ପରେ ଘଟଣା ରଫା ଦଫା କରିଥିଲେ । ହେଲେ ସେତେବେଳେ ମହିଳା ଜଣକ କିଛି ସମୟ ପାଇଁ ବୁଝିଯାଇଥିଲେ । ଆଉ ଚୁପ୍‌ ରହିବେ ବୋଲି ଭାବିଥିଲେ । କିନ୍ତୁ କିଛିଦିନ ପରେ ମହିଳା ଜଣକ ଜାଣିବାକୁ ପାଇଲେ ଯେ, ଶ୍ରୀ ସାଇନି ପୂର୍ବରୁ ମଧ୍ୟ ଏଭଳି କାର୍ଯ୍ୟ କରିଛନ୍ତି । ମହିଳାଙ୍କ ବାଥ୍‌ରୁମ୍‌ରେ କ୍ୟାମେରା ଲଗାଇବା ତାଙ୍କର ଅଭ୍ୟାସ ।

ଏହି ସବୁ କଥା ଜାଣିବା ପରେ ମହିଳା କର୍ମଚାରୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହା ସହ ଶ୍ରୀ ସାଇନିଙ୍କ ବିରୋଧରେ ଏତଲା ଦେଇଥିଲେ । ପୋଲିସର କହିବାନୁଯାୟୀ ଅଭିଯୁକ୍ତ ଏବେ ଛୁଟିରେ ଅଛି, ସେ ବ୍ୟାଙ୍କରେ ଜଏନ କରିବା ମାତ୍ରେ ତାଙ୍କୁ ଗିରଫ କରାଯିବ ।