• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣଙ୍କର ବ୍ୟାଙ୍କ୍ ଆକାଉଣ୍ଟ ନାହିଁ କି ? ଆପଣଙ୍କ ପାଖରେ ରୋଜଗାର ନାହିଁ ବୋଲି ଆପଣ ବ୍ୟାଙ୍କ ଆକାଉଣ୍ଟ ଖୋଲି ପାରିନାହାନ୍ତି କି ? ତେବେ ଚିନ୍ତା କରନ୍ତୁ ନାହିଁ । ଏବେ ବଜାରରେ ଏମିତି ଲୋକ ଆସିଲେଣି, ଯିଏ ଆପଣଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲେଇଦେବେ । ପରେ ସେହି ବ୍ୟାଙ୍କ ଆକାଉଣ୍ଟ ଯୋଗୁଁ ଆପଣଙ୍କୁ ମାସିକିଆ କମିଶନ ବି ଦେବେ । ଆଶ୍ଚର୍ଯ୍ୟ ହୋଇପଡ଼ିଲେ କି ? ଜମା ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ...

ଏସବୁ କାମ କେବଳ ସାଇବର ଠକଙ୍କର । ଏମିତି ଅଫର ଆପଣଙ୍କୁ ଯିଏ ବି ଦେଉଛି, ତାଙ୍କଠାରୁ ଦୂରେଇ ରୁହନ୍ତୁ । ଆଉ ପୋଲିସକୁ ଏନେ ମଧ୍ୟ ଖବର ଦିଅନ୍ତୁ । କାରଣ ଏହା ହେଉଛି ଏବେ ସାଇବର ଠକଙ୍କ ନୂଆ ଚାଲ । ଗରିବ ଲୋକଙ୍କ ପାଇଁ ସେମାନେ ଜରୁରୀ ଡକ୍ୟୁମେଣ୍ଟ ନେଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଦେଇଥାନ୍ତି । ତାପରେ ସେହି ଆକାଉଣ୍ଟକୁ ବିଭିନ୍ନ ପ୍ରକାର ସାଇବର ଠକେଇରେ ଉପଯୋଗ କରିଥାନ୍ତି ।

ସୋସିଆଲ ମିଡିଆରେ ସାଇବର ଠକଙ୍କ ଏଭଳି ନୂଆ ପ୍ରୟାସକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ଏଭଳି ସାଇବର ଠକଙ୍କ ଏକ ବଡ଼ ଗ୍ୟାଙ୍ଗ ବା ରାକେଟ ରହିଛି । ଦିଲ୍ଲୀ ପୋଲିସ ଏଭଳି ଏକ ରାକେଟର ଦୁଇ ଜଣଙ୍କୁ ଗିରଫ କରିଛି । ଏଥିରୁ ପୋଲିସ ଜାଣିବାକୁ ପାଇଛି ଯେ, ସାଇବର ଠକମାନେ ସେଭଳି ଆକାଉଣ୍ଟ ଖୋଲିବା ପରେ ସେଥିରେ ଯାହା ବି ନେଣ ଦେଣ ହେବ ବା କାରବାର ହେବ ତାର ୧୦ ପ୍ରତିଶତ କମିଶନ ସେମାନେ ଉକ୍ତ ବ୍ୟକ୍ତିଙ୍କୁ ଦେଇଥାନ୍ତି ।

ତେବେ ଦିଲ୍ଲୀ ପୋଲିସ ଯେଉଁ ୨ ଜଣଙ୍କୁ ଗିରଫ କରିଛି, ସେମାନେ ହେଲେ ମୁକୁଲ ଶର୍ମା । ବୟସ ମାତ୍ର ୨୩ । ସେ ଜଣେ ବି.କମ୍‌ ଗ୍ରାଜୁଏଟ୍ । ଅନ୍ୟ ଜଣେ ହେଲେ ଲଲିତ କୁମାର । ତାଙ୍କର ବୟସ ମାତ୍ର ୨୪ । ସେ ଜଣେ ବି.ଟେକ୍‌ ଗ୍ରାଜୁଏଟ୍ । ଉଭୟ ୟୁପି ବୁଲନ୍ଦସହରର ବୋଲି ଜଣାପଡ଼ିଛି ।

ପୋଲିସ କହିଛି ଯେ, ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ମହିଳା ୪୨ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣା ୨୦୨୩ ମାର୍ଚ୍ଚ ୨୦ ତାରିଖରେ ଘଟିଥିଲା । ମହିଳାଙ୍କ ମୋବାଇଲକୁ ଦୁଇଟି ମେସେଜ୍‌ ଆସିଲା, ଯାହାକି ତାଙ୍କର ଦୁଇଟି ଭିନ୍ନ ଆକାଉଣ୍ଟରୁ ବିନା କାରଣରେ ଟଙ୍କା କଟିଥିଲା । ଏହି ଠକେଇ ଘଟଣାର ତଦନ୍ତ ସମୟରେ ପୋଲିସ ଆଇଟି ଟିମ୍‌ର ସହାୟତା ନେଇଥିଲା ।

ସେଥିରୁ ବ୍ୟାଙ୍କର ତଥ୍ୟ ସାମ୍ନାକୁ ଆସିଥିଲା । ଜଣାପଡ଼ିଥିଲା ଯେ, ଖାତା ବୁକ୍‌ ଆପ୍‌କୁ ମହିଳାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ହୋଇଛି । ତାପରେ ଖାତାବୁକ୍‌ ଆକାଉଣ୍ଟରୁ ବୁଲନ୍ଦସହରରେ ଥିବା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି । ସେହି ଆକାଉଣ୍ଟରେ ଅନେକ ସନ୍ଦେହଜନକ ନେଣଦେଣ ବା ଟଙ୍କା କାରବାର ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା ।

ସେହି ବୁଲନ୍ଦସହରର ଆକାଉଣ୍ଟକୁ ଟ୍ରେସ୍‌ କରାଯିବା ପରେ ମୁକୁଲ ଶର୍ମା ନାମକ ବ୍ୟକ୍ତିକୁ ୨୦୨୪ ଜାନୁଆରୀ ୫ ତାରିଖରେ ପୋଲିସ ଗିରଫ କରିଥିଲା । ପରେ ଅନ୍ୟ ଜଣେ ଅଭିଯୁକ୍ତ ଲଲିତ କୁମାରକୁ ମଧ୍ୟ ପୋଲିସ ଖୋଜି ପାଇଥିଲା । ଏହାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଆଉ ବୁଲନ୍ଦସହରରେ ଗିରବ ଲୋକଙ୍କର ଆକାଉଣ୍ଟ ଖୋଲେଇ ସେଥିରେ ବେଆଇନ୍ କାରବାର କରାଯାଉଥିବା ଓ ତାଙ୍କୁ କମିଶନ ଦେଉଥିବା କଥା ଜାଣିବାକୁ ପାଇଥିଲା ପୋଲିସ ।