• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବେଆଇନ ବାଲି ଚୋରା ଚାଲାଣ ମାମଲାରେ ତହସିଲ୍‌ଦାର ନିଲମ୍ୱିତ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ହସିଲଦାର ମମତାଜ୍ ମହାରଣାଙ୍କୁ ବେଆଇନ ବାଲି ଚୋରା ଚାଲାଣ ମାମଲାରେ ରାଜ୍ୟ ସରକାର ନିଲମ୍ୱିତ କରିଛନ୍ତି । ହେଲେ ମମତାଜ୍ ଏଯାଏଁ କେଉଁଠି ଅଛନ୍ତି ସେନେଇ କୌଣସି ସୂଚନା ମିଳିପାରୁନାହିଁ ।

ସୂଚନା ଅନୁସାରେ, ଗତ ଏପ୍ରିଲ ମାସରେ ବଡ଼ସାହି ତହସିଲ ଅଧିନରେ ଥିବା ବୁଢାବଳଙ୍ଗ ନଦୀର ଆରପଟା ଓ ଡିଙ୍ଗିରା ବାଲିଘାଟରେ ବ୍ୟାପକ ବାଲି ଚୋରାଚାଲାଣ ନେଇ ନ୍ୟାସନାଲ୍ ଗ୍ରୀନ ଟ୍ରିବୁନାଲ୍ ତଦନ୍ତ କରି ଏକ ରିପୋର୍ଟ ଦେଇଥିଲେ । ଯେଉଁଥିରେ ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କ ସମ୍ପୃକ୍ତି ନେଇ ଏନ୍‌ଜିଟି ଉଲ୍ଲେଖ କରିଥିଲେ । ମମତାଜଙ୍କ ବିରୋଧରେ କାହିଁକି ଫୌଜଦାରୀ ମାମଲା ରୁଜୁ ହେବ ନାହିଁ ବୋଲି କହି ଜିଲ୍ଲାପାଳଙ୍କୁ ରିପୋର୍ଟ ବି ତଲବ କରିଥିଲେ ଏନ୍‌ଜିଟି ।

ଏଭଳି କଠୋର ଆଭିମୁଖ୍ୟ ପରଠାରୁ ତହସିଲଦାର ମମତାଜ ମହାରଣାଙ୍କ ପତ୍ତା ମିଳୁନାହିଁ । ପ୍ରଦୀପ ବିନ୍ଧାଣୀ ଗିରଫ ହେବାର ପୂର୍ବଦିନ ଅର୍ଥାତ, ଗତ ୨୯ରେ ତହସିଲ ଅଫିସରୁ କିଛି କାଗଜପତ୍ର ନେଇ କୁଆଡ଼େ ଯାଇଛନ୍ତି ତାହା କେହି କହିପାରୁନାହାନ୍ତି । ଏପରିକି ଉପ ଜିଲ୍ଲାପାଳଙ୍କୁ ନିଜର ଛୁଟି ଦରଖାସ୍ତ ମଧ୍ୟ ଦେଇନାହାନ୍ତି । ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଥିବାରୁ ତାଙ୍କ ଅବସ୍ଥିତି ସମ୍ପର୍କରେ ବି କୌଣସି ସୂଚନା ମିଳୁନାହିଁ ।

ତେବେ ଏନ୍‌ଜିଟିଙ୍କ ତଦନ୍ତ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାର ମମତାଜ ମହାରଣାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା । ତାଙ୍କୁ ନିଲମ୍ବନ କରାଯିବା ସହ ତହସିଲଦାର ଜିଲ୍ଲା ମୁଖ୍ୟାଳୟରେ ଯୋଗଦେବେ ଏବଂ ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲା ବାହାରକୁ ଯାଇପାରିବେ ନାହିଁ ବୋଲି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି ।

ଅନ୍ୟପକ୍ଷେ, କେବଳ ମୟୁରଭଞ୍ଜ ନୁହେଁ, ବାଲେଶ୍ୱର ଜିଲ୍ଲା ସୁବର୍ଣ୍ଣରେଖା ନଦୀରେ ବି ଚାଲିଛି ବେଆଇନ ବାଲି ଉଠାଣ । ଜଳେଶ୍ୱର ବ୍ଲକର ଦକ୍ଷିଣ ପ୍ରହରାଜପୁର, କୁଅଁରପୁର, ସେକସରାଇ ଓ ରାଜଘାଟରୁ ଲକ୍ଷ ଲକ୍ଷ ଟଙ୍କାର ବାଲି ଉଠାଉଛନ୍ତି ମାଫିଆ । ଏ ସମ୍ପର୍କରେ ତହସିଲଦାରଙ୍କୁ ଗାଁ ଲୋକେ ଲିଖିତ ଅଭିଯୋଗ ବି କରିଛନ୍ତି ।