• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଟଙ୍କା ଦିଅ, ଆବାସ ଘର ନିଅ । ୩୦ ହଜାର ଟଙ୍କାରୁ କମ୍‌ ହେଲେ ତାଲିକାରୁ ନାଁ କାଟିଦେବୁ । ଆଉ ମିଳିବନି ଘର । ଏମିତି ଶୁଣିବା ପରେ ଆପଣ ବି କହିବେ ଘର କିଏ ମାଗୁଛି? ଆଉ ଟଙ୍କା ବି ମାଗୁଛି କିଏ? ଗରିବ ହିତାଧିକାରୀଙ୍କ ଲାଗି ଆବାସ ଯୋଜନା କରିଛି କେନ୍ଦ୍ର ସରକାର । ଏଥିଲାଗି ଟଙ୍କା ତ ଦେବାକୁ ପଡ଼ିବ ନାହିଁ । ହେଲେ ୩୦ ହଜାର ମାଗୁଛି କିଏ?

ଆବାସ ଯୋଜନାରେ ବଡ଼ କେଳଙ୍କାରୀ । ଟଙ୍କା ନଦେଲେ ଘର ମିଳୁନି । ଏମିତିକି ଆଗେ ଟଙ୍କା ଦେଲେ ପରେ ଖାତାରେ ନାଁ ଚଢିବ ବୋଲି ରୋକଠୋକ କହୁଛନ୍ତି ଗାଁର କୁଜିନେତା । ହେଲେ ଏତେ ଗୁଡ଼ାଏ ଟଙ୍କା ଦେଇନପାରୁଥିବାରୁ ଏମିତି ଘର ମିଳୁନି । ମୋଟ୍‌ ଉପରେ ଏମାନଙ୍କ ଲାଗି ଆବାସ ଯୋଜନା ଏବେ ସାତସପନ ହୋଇ ରହିଛି । ନୟାଗଡ଼ ଦଶପଲ୍ଲା ଡିହଗାଁ ପଞ୍ଚାୟତ ମଧୁପୁର ଗାଁର ନମିତା ମୁଦୁଲି । ତାଙ୍କ ଘର ଦେଖିବା ପରେ ବୁଝିପାରିବେ ସେମାନେ ଆବାସ ଯୋଜନାରେ ଘର ପାଇବା ଲାଗି ଯୋଗ୍ୟ କି ନୁହେଁ । ଘରର ଅବସ୍ଥା ଏମିତି ହେଲାଣି ଯେ କେତେବେଳେ ଭୁଶୁଡ଼ି ପଡ଼ିବ ତାହା କହିବା କଷ୍ଟ । ନମିତାଙ୍କ ସ୍ୱାମୀ ଦିନ ମଜୁରିଆ ଭାବରେ କାମ କରୁଥିବା ବେଳେ ୭ ପ୍ରାଣୀ କୁଟୁମ୍ବ ମୁହଁରେ ଦାନା ଯୋଗାଡ଼ କରିବା କଷ୍ଟ । ସେଇଠି ଘର ସଜାଡ଼ିବାକୁ ସେ ଟଙ୍କା ଆଣିବେ ବା କେଉଁଠୁ?

ଅଧିକ ପଢ଼ନ୍ତୁ: ୬ ଫୁଟିଆ ଘରେ ୩ ଜଣ...ଆବାସ ଘର ଲାଗି ଏମାନେ କାଳେ ଯୋଗ୍ୟ ନୁହଁନ୍ତି ?

ଏତେ ଦୟନୀୟ ଅବସ୍ଥାରେ ରହୁଥିବା କାରଣରୁ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାକୁ ପ୍ରଶାସନକୁ ବାରମ୍ବାର ଅନୁରୋଧ କରିଛନ୍ତି, ଗାଁ ନେତାଙ୍କୁ ଗୁହାରି ବି କରିଛନ୍ତି । ହେଲେ ତାଙ୍କ ଦୁଃଖ ଶୁଣିବାକୁ ଯେମିତି କାହା ପାଖରେ ସମୟ ହିଁ ନାହିଁ । ଏମିତିକି ଘର ଲାଗି ଆଗେ ୩୦ ହଜାର ଟଙ୍କା ଗାଁର କୁଜିନେତା ମାଗୁଥିବ ନମିତା ଅଭିଯୋଗ ବି କରିଛନ୍ତି ।

ଖାଲି ନମିତା କାହିଁକି? ସ୍ଥାନୀୟ ଅଂଚଳର ତେଣ୍ଡା ବାଡି ଗାଁର ଗୋଲାପ ବେହେରାଙ୍କ ମଧ୍ୟ ସମାନ ଅବସ୍ଥା । ସ୍ବାମୀ ଅଧା ରାସ୍ତାରେ ଛାଡ଼ି ଦେଇଯିବା ପରେ ଗୋଲାପ ମୂଲ ମଜୁରୀ କରି ଚଳୁଛନ୍ତି । କେତେବେଳେ କାହା ପିଣ୍ଡାରେ ବସି ରାତି କାଟୁଛନ୍ତି ତାହା କେବଳ ଭଗବାନଙ୍କୁ ହିଁ ଜଣା । ଘର ଖଣ୍ଡିଏ ଲାଗି ବାରମ୍ବାର ଗୁହାରି କରିଛନ୍ତି ହେଲେ ଘର ମିଳିନି ।ତେବେ ନମିତା ଓ ଗୋଲାପଙ୍କ ଅଭିଯୋଗକୁ ନେଇ ଉଭୟ ପଂଚାୟତର ସରପଂଚ ପ୍ରତିକ୍ରିୟା ରଖି କହିଛନ୍ତି ଖୁବଶୀଘ୍ର ଉଭୟଙ୍କୁ ଘର ମିଳିବ । ଲାଞ୍ଚ କାହାକୁ ବି ଦିଆଯିବ ନାହିଁ । ସେପଟେ ବିଡ଼ିଓ କହିଛନ୍ତି, ଏ ସମ୍ପର୍କରେ ପ୍ରଶାସନ ଅବଗତ ନଥିଲା । ଉଭୟଙ୍କୁ ଖୁବଶୀଘ୍ର ମିଳିବ ଘର ।

ଖାଲି ସେମାନେ ନୁହନ୍ତି ବରଂ ରାଜ୍ୟର ଅନେକ ସ୍ଥାନରେ ଆବାସ ଘର ନାଁରେ ଭୟଙ୍କର କେଳଙ୍କାରୀ ଚାଲିଛି । ଥିଲା ବାଲାଙ୍କୁ ଘର ମିଳୁଥିବା ବେଳେ ନଥିଲା ବାଲାଙ୍କୁ କିଛି ମିଳୁନି । ଯାହାକୁ ନେଇ ପୂରା ରାଜ୍ୟରେ ତୁମ୍ବିତୋଫାନ ବି ହୋଇଛି । ସମୟ କହିବ ବିଡିଓ କେତେ ପ୍ରତିଶ୍ରୁତି ରଖୁଛନ୍ତି, ଆଉ କେବେ ଏ ଦୁଇଜଣଙ୍କୁ ମିଳୁଛି ଘର ।

(ଦଶପଲ୍ଲାରୁ ସଂଜୀବ ସାହୁଙ୍କ ରିପୋର୍ଟ, ଓଟିଭି)

ଦେଖନ୍ତୁ ଭିଡିଓ | ମାଲକାନଗିରି ଜିଲ୍ଲା ଗୌଡ଼ଗୋଡ଼ା ପଞ୍ଚାୟତରେ ଆବାସ ଯୋଜନାରେ ହେରଫେର୍