• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପତ୍ନୀଙ୍କୁ ଡାକି ନେଇ ହତ୍ୟା । ପ୍ରଥମେ ଛୁରି ଭୁସି ଜୀବନ ନେବା ପରେ ଗଣ୍ଡିରୁ ମୁଣ୍ଡକୁ ଅଲଗା କଲା ସ୍ୱାମୀ । ଆଉ ତାପରେ ମୁଣ୍ଡ ନିଜ ଘରେ ସାଇତି ରଖିଲା । ଏଭଳି ଏକ ଘଟଣା ହାଇଦ୍ରାବଦରୁ ସାମ୍ନାକୁ ଆସିଛି ।

ମିଳିଥିବା ଖବର ଅନୁସାରେ ଜଣେ ୪୧ ବର୍ଷିୟ ମହିଳା ପୁଷ୍ପଲତାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଛି । କିଛି ଦିନ ଧରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ହଠାତ୍ ଦିନେ ସ୍ୱାମୀ, ପତ୍ନୀଙ୍କୁ ଏକ ନୂଆ 2BHK ଫ୍ଲାଟ୍‌କୁ ନେଇଥିଲେ । ଯାହାକି ତାଙ୍କ ଭଉଣୀକୁ ସରକାରଙ୍କ ପକ୍ଷରୁ ଦିଆଯାଇଥିଲା । ଏହି ଫ୍ଲାଟ୍‌ରେ ସ୍ୱାମୀ ପ୍ରଥମେ ତାଙ୍କୁ ଛୁରି ଭୁସି ହତ୍ୟା କରିଥିଲେ । ପରେ ସେହି ଛୁରିରେ ବେକ କାଟି ମୁଣ୍ଡରୁ ଗଣ୍ଡି ଅଲଗା କରିଥିଲେ ।

ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ପୁରା ଘଟଣା ମଙ୍ଗଳବାର ଘଟିଥିବା ପୋଲିସ କହିଛି । ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରକୁ ମଧ୍ୟ ପୋଲିସ ଜବତ କରିଛି। ଅଭିଯୁକ୍ତ ଜଣକ ନାଁ ବିଜୟ ବୋଲି ପୋଲିସ ସୂଚନା ଦେଇଥିବା ବେଳେ ସେ ଜଣେ ଅଟୋ ଡ୍ରାଇଭର ବୋଲି ଜଣାପଡ଼ିଛି । ସେ ସବୁବେଳେ ନିଜ ପତ୍ନୀକୁ ମାରପିଟ୍ କରେ ବୋଲି ପାଖ ପଡ଼ୋଶୀ ବି ଅଭିଯୋଗ କରିଛନ୍ତି ।

ତେବେ ଘଟଣା ଦିନ ସକାଳୁ ସକାଳୁ ପତ୍ନୀ ପୁଷ୍ପଲତାଙ୍କୁ ନେଇ ଭଉଣୀଙ୍କ ନୂଆ ଫ୍ଲାଟ୍‌କୁ ଯାଇଥିଲା ବିଜୟ । ଘର ସଫା ସୁତୁରା କରିବା ଉଦ୍ଦେଶ୍ୟରେ ପତ୍ନୀଙ୍କୁ ନେଇ ଯାଇଥିଲା ବିଜୟ । କିନ୍ତୁ ସେ ପୂର୍ବରୁ ଯୋଜନା କରି ରଖିଥିଲା ଯେ, ପତ୍ନୀଙ୍କୁ ହତ୍ୟା କରିବ । ତେଣୁ ସେ ସାଙ୍ଗ ଏକ ଧାରୁଆ ଛୁରି ନେଇ ଆସିଥିଲା । ପତ୍ନୀଙ୍କୁ ହତ୍ୟା କରିବା ପରେ ମୁଣ୍ଡରୁ ଗଣ୍ଡି ଅଲଗା କରିଥିଲା ତାପରେ ବିଜୟ ସେହି ରକ୍ତ ଲଗା ଛୁରି ଧରି ବାହାରକୁ ଆସିଥିଲା। ଯାହାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ । ଆଉ ସମସ୍ତେ ଭୟଭୀତ ହୋଇଥିଲେ ।

ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ କିଛି ଜଣ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଜୟକୁ ଗିରଫ କରିଛି । ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଉଭୟଙ୍କ ଦୁଇଟି ସନ୍ତାନ ରହିଛନ୍ତି । ଦୀର୍ଘ ୧୫ ବର୍ଷ ହେବ ସେମାନେ ବିବାହ କରି ଏକାଠି ରହି ଆସୁଥିଲେ । ପୁଷ୍ପଲତା ଜଣେ ବ୍ୟୁଟିସିଆନ୍‌ ଭାବେ କାମ କରୁଥିଲେ । ତେବେ ବିଜୟ ତାଙ୍କୁ କାହିଁକି ହତ୍ୟା କଲା, ସେନେଇ ସ୍ପଷ୍ଟ ସୂଚନା ନାହିଁ । ପୋଲିସର ପଚରାଉଚରା ପରେ ପୁରା ଘଟଣାର ସତ ସାମ୍ନାକୁ ଆସିବ ।