• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ATM ଭ୍ୟାନ୍ ଅପହରଣ ଓ ୨୪ ଲକ୍ଷ ଟଙ୍କା ଲୁଟ୍‌ର ହୋଇଛି ଖୁଲାସା ।

  • ଘଟଣା ପଛରେ ଭ୍ୟାନ୍‌ର ଡ୍ରାଇଭର ହିଁ ମାଷ୍ଟରମାଇଣ୍ଡ ।

ବ୍ରହ୍ମପୁର: ATM ଭ୍ୟାନ୍ ଅପହରଣ ଓ ୨୪ ଲକ୍ଷ ଟଙ୍କା ଲୁଟ୍‌ର ହୋଇଛି ଖୁଲାସା । ଘଟଣା ପଛରେ ଭ୍ୟାନ୍‌ର ଡ୍ରାଇଭର ହିଁ ମାଷ୍ଟରମାଇଣ୍ଡ । କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ର ଦୁଇ ସହଯୋଗୀଙ୍କ ସହାୟତାରେ ନିଜେ ଟଙ୍କା ଧରି ଖସିଯିବା ସହ ଧରାପଡ଼ିବା ଭୟରେ ନିଜକୁ ନିଜେ କେମିକାଲ୍ ସ୍ପ୍ରେ କରି ଅଚେତ ହୋଇଥିଲା ଡ୍ରାଇଭର୍ । ତେବେ ୩ ଦିନ ଧରି ତଦନ୍ତ ପରେ ସବୁ ମିଛର ପର୍ଦ୍ଦାଫାସ୍ କରିଛି ପୋଲିସ । ଏହାସହ ମାଟି ତଳୁ ଲୁଟ୍ ଟଙ୍କାକୁ ଉଦ୍ଧାର କରିଛି ।

ସତ ଟଙ୍କା, ମିଛ ଲୁଟ୍ । ନା କେହି ନିଶା ଦେଇଥିଲେ ନା କେହି ଅପହରଣ କରିଥିଲେ । ଭ୍ୟାନ୍‌ରେ ଥିବା ବିଡ଼ା ବିଡ଼ା ନୋଟ୍‌ର ଲୋଭରେ ପଡ଼ି ଡ୍ରାଇଭର୍ ରଚିଥିଲା ଅପହରଣର ଚମତ୍କାର ନାଟକ । ଡ୍ରାଇଭର ଆଶିଷ ଦିଗାଲ । ଆଉ ତାର ଦୁଇ ସହଯୋଗୀ ହେଉଛନ୍ତି ମାନ୍ୟବର ନାୟକ ଓ କାର୍ତ୍ତିକ । ଯେଉଁମାନେ ବ୍ରହ୍ମପୁର ଏଟିଏମ୍ ଭ୍ୟାନ୍ ଅପହରଣ ଏବଂ ୨୪ ଲକ୍ଷ ଲୁଟ୍ ନାଟକର ରଚନା କରିଥିଲେ । ଯାହାର ପର୍ଦ୍ଦାଫାସ୍ କରିଛି ବ୍ରହ୍ମପୁର ପୋଲିସ ।

ତାସହ ୨୦ ଲକ୍ଷ ୯୦ ହଜାର ଟଙ୍କା ଜବତ କରିଛି । ଏସବୁ ଟଙ୍କାକୁ କନ୍ଧମାଳ ସାରଙ୍ଗଗଡ଼ରୁ ମାଟିତଳୁ ଉଦ୍ଧାର କରିଛି ପୋଲିସ । ଏକ ପ୍ଲାଷ୍ଟିକ୍ ଡବାରେ ବିଡ଼ା ବିଡ଼ା ଟଙ୍କାକୁ ଭର୍ତ୍ତି କରି ମାଟି ତଳେ ପୋତି ଦିଆଯାଇଥିଲା । ଅନ୍ୟ ୩ ଲକ୍ଷ ଟଙ୍କାକୁ ଅଭିଯୁକ୍ତମାନେ ଖର୍ଚ୍ଚ କରିଦେଇଥିବା ପୋଲିସ କହିଛି ।

ସୂଚନାଯୋଗ୍ୟ, ୧୮ ଅଗଷ୍ଟ, ଦିନ ପ୍ରାୟ ୧୧ଟା । ଟଙ୍କା ପରିବହନକାରୀ ସିକ୍ୟୋର ଭ୍ୟାଲୁ ନାମକ ଏକ ସଂସ୍ଥାର ଗାଡ଼ିରେ ବାହାରିଥିଲେ ଡ୍ରାଇଭର ଓ ଜଣେ ଗନ୍‌ମ୍ୟାନ୍ ସହ ୩ କର୍ମଚାରୀ । ପ୍ରଥମେ ବଡ଼ବଜାର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରୁ ଉଠାଇଥିଲେ ୨୬ ଲକ୍ଷ ଟଙ୍କା । ତାମଧ୍ୟରୁ ନିକଟସ୍ଥ ଏଟିଏମ୍‌ରେ ଭର୍ତ୍ତି କରିଥିଲେ ୨ ଲକ୍ଷ । ସେଠାରୁ ୨୪ ଲକ୍ଷ ଟଙ୍କା ଧରି ବାହାରିବା ସହ କୌଣସି ଏକ କାମ ପାଇଁ ଆସ୍କା ରୋଡ୍ ସ୍ଥିତ ଆକ୍ସିସ ବ୍ୟାଙ୍କକୁ ଯାଇଥିଲେ ଗନ୍‌ମ୍ୟାନ୍ ସହ ୩ କର୍ମଚାରୀ ।

ଏହି ମଉକା ଦେଖି ପୂର୍ବ ଯୋଜନା ମୁତାବକ ଟଙ୍କା ଭର୍ତ୍ତି ଭ୍ୟାନ୍‌କୁ ଧରି ଆନ୍ଧ୍ର ମୁହାଁ ହୋଇଥିଲା ଡ୍ରାଇଭର । ପଛେ ପଛେ ବାଇକ୍‌ରେ ଯାଉଥିଲେ ମାନ୍ୟବର ଓ କାର୍ତ୍ତିକ । ତେବେ ସେକ୍ୟୋର ଭ୍ୟାଲୁ ସଂସ୍ଥା ପକ୍ଷରୁ GPRSକୁ ବନ୍ଦ କରିଦିଆଯିବା ପରେ ଭ୍ୟାନ୍‌ଟି ଅଚଳ ହୋଇଯାଇଥିଲା ସୋରଳ ନିକଟରେ । ସେହି ସ୍ଥାନରେ ଏକ ରସାୟନିକ ଦ୍ରବ୍ୟକୁ ନିଜ ଉପରେ ସ୍ପ୍ରେ କରି ଅଚେତ ହୋଇଯାଇଥିଲା ଡ୍ରାଇଭର୍ । ଏହାପରେ ଅନ୍ୟ ୨ ସହଯୋଗୀ ସାରଙ୍ଗଗଡ଼ ଅଭିମୁଖେ ୨୪ ଲକ୍ଷ ଧରି ଛୁ ମାରିଥିଲେ । ଏଣେ ଗାଡ଼ିକୁ ପିଛା କରୁଥିବା ପୋଲିସ ସୋରଳରୁ ଗାଡ଼ି ସହ ଡ୍ରାଇଭରକୁ ଠାବ କରିଥିଲା । କିନ୍ତୁ ଡ୍ରାଇଭର ଅଚେତ ଅବସ୍ଥାରେ ଥିବାରୁ ତାକୁ ଆଣି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା ପୋଲିସ । ଆଉ ହୋସ୍ ଆସିବା ପରେ ମିଡ଼ିଆକୁ ଡାହା ମିଛ କହିଥିଲା ଡ୍ରାଇଭର ।

ଏଠି ପ୍ରଶ୍ନ ଉଠୁଛି, ଗାଡ଼ିରେ ୨୪ ଲକ୍ଷ ଟଙ୍କା ଥିବା ସତ୍ତ୍ୱେ କାହିଁକି ଗାଡ଼ିକୁ ଛାଡ଼ି ଗନମ୍ୟାନ୍‌କୁ ସାଙ୍ଗରେ ନେଇଥିଲେ କର୍ମଚାରୀ ? କେଉଁ ଆଧାରରେ ଜଣେ ଡ୍ରାଇଭରଙ୍କୁ ୨୪ ଲକ୍ଷ ଟଙ୍କାର ସୁରକ୍ଷା ଦାୟିତ୍ୱ ଦେଇଥିଲେ ଡ୍ୟୁଟିରେ ଥିବା ସଂପୃକ୍ତ ସଂସ୍ଥାର କର୍ମଚାରୀ ?