• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଗିଂ ରୋକିବା ପାଇଁ କଡ଼ା ଆଇନ ପ୍ରଣୟନ ହୋଇଛି, ତଥାପି କୌଣସି ସୁଫଳ ମିଳୁନି । କିଛି ଦିନ ହେବ ସାରା ଦେଶରେ ରାଗିଂ ମାମଲା ବଢ଼ୁଥିବା ଦେଖିବାକୁ ମିଳୁଛି । ଏବେ ଆସାମର ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟରେ ଏପରି ଏକ ଭୟଙ୍କର ଘଟଣା ଘଟିଛି । ସିନିୟରଙ୍କ ରାଗିଂରେ ଅତିଷ୍ଠ ହୋଇ ଜଣେ ଛାତ୍ର କଲେଜ୍‌ ହଷ୍ଟେଲର ଦ୍ୱିତୀୟ ମହଲା କୋଠାରୁ ଡେଇଁ ପଡ଼ିଛନ୍ତି । ତାଙ୍କୁ ତୁରନ୍ତ ହଷ୍ଟେଲ କର୍ତ୍ତୃପକ୍ଷ ଓ କିଛି ଛାତ୍ର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।

କମର୍ସ ବିଭାଗର ଛାତ୍ର ଆନନ୍ଦ ଶର୍ମାଙ୍କୁ ସିନିୟର୍‌ମାନେ ଲଗାତାର ରାଗିଂ କରୁଥିଲେ । ରାଗିଂ ନିର୍ଯାତନା ସହି ନପାରି ଆନନ୍ଦ ରବିବାର ରାତିରେ ପିଏନଜିବି ହଷ୍ଟେଲ ବିଲଡିଂ ଉପରୁ ତଳକୁ ଡେଇଁ ପଡ଼ିଛନ୍ତି । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏନେଇ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍‌ । ଏହି ଘଟଣାରେ ବିଶ୍ୱବିଦ୍ୟାଳୟର ୩ ଛାତ୍ର ପ୍ରଣଜିତ ବାରୁହ, ନିରଞ୍ଜନ ଠାକୁର ଓ ସିମାନ୍ତ ହାଜାରିକାଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ ରାହୁଲ ଛେତ୍ରୀ ଏବେ ବି ଫେରାର ଅଛନ୍ତି ।

ଅଧିକ ପଢ଼ନ୍ତୁ: କଲେଜ ପରେ ଏବେ ସ୍କୁଲ୍‌ରେ ରାଗିଂ, ଅଶ୍ଲୀଳ ଭିଡିଓ ନଦେଖିବାରୁ ମାଡ଼ ମାରି ପିଆଇଲେ ପରିଶ୍ରା !

ସେହିପରି ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରାଗିଂରେ ସାମିଲ ଥିବା ୧୮ ଜଣ ଶିକ୍ଷାର୍ଥୀଙ୍କୁ ବହିଷ୍କାର କରିଛନ୍ତି । ସେହିପରି ନ୍ୟାୟ ପାଇଁ ଅନେକ ଶିକ୍ଷାର୍ଥୀ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛନ୍ତି । ଘଟଣା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ କରି ପିଲାଙ୍କୁ ରାଗିଂରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଘଟଣାର ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଅପରାଧୀଙ୍କ ବିରୋଧରେ ଦିବ୍ରୁଗଡ଼ ଥାନାରେ ଅଭିଯୋଗ କରିଥିବା ପୀଡ଼ିତଙ୍କ ମା’ ସରିତା ଶର୍ମା କହିଛନ୍ତି,  ମୋ ପୁଅକୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯିବା ସହ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି । ପୂର୍ବରୁ ତା’ ଠାରୁ ଟଙ୍କା ଲୁଟି ନେଇଛନ୍ତି ସିନିୟର୍‌ । ଏପରିକି ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନେଇଥିଲେ । କେବଳ ଏତିକି ନୁହେଁ ପୁଅକୁ ଜୋର ଜବରଦସ୍ତ ମଦ ପିଆଇ ଆପତ୍ତିଜନକ ଫଟୋ ନେଇଥିବା ସେ ଅଭିଯୋଗ କରିଛନ୍ତି।