• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭିଜିଲାନ୍ସ ଜାଲରେ ପଡ଼ିଥିବା କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦୁର୍ନୀତିର ଫିଟୁଛି ଗୁମର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି । ବର୍ଷା ଜଳ ସଂରକ୍ଷଣ ପାଇଁ ଉଦ୍ଧିଷ୍ଟ ସମାପଲ୍ଲୀ ଓ ପଥରା ଗାଁ ନିକଟରେ ଆନିକଟ ମରାମତି ପାଇଁ ଆସିଥିଲା ଅନୁଦାନ । କିନ୍ତୁ ଆନିକଟ ତିଆରି ନକରି ଅନୁଦାନ ଚଳୁ କରିଦେଇଥିବା ଅଭିଯୋଗ ହୋଇଛି ।

ଆରଟିଆଇ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ, ମରାମତି ବାବଦରେ ୨୦୨୦ ଡିସେମ୍ବରରେ ଆସିଥିଲା ୨୮ ଲକ୍ଷ ୪୬ ହଜାର ଟଙ୍କା । ଏହାର ୬ ମାସ ପୂର୍ବରୁ ୮ ଲକ୍ଷ ୮୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା । କିନ୍ତୁ ମରାମତି ନକରି ମଞ୍ଜୁର ଅର୍ଥକୁ ଚଳୁ କରିଦିଆଯାଇଥିବା ଅଭିଯୋଗ ହୋଇଛି । ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଅଧିନରେ ହେଉଥିବା ଅନେକ କାମରେ ଏଭଳି ମିଥ୍ୟା ବିଲ୍ କରି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି ।

ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଫିଟୁଛି କଳା ଟଙ୍କାର ମହାଗୁମର । ଦ୍ୱିତୀୟ ପତ୍ନୀ ଆଉ ଶାଳୀଙ୍କ ପଣତକାନିରେ କେମିତି ଲୁଚାଇ ରଖୁଥିଲେ ପାପ ସମ୍ପତ୍ତି, ସାମ୍ନାକୁ ଆସିଥିଲା ତାର ସାଂଘାତିକ ସତ । କିଛିଦିନ ତଳେ ଦ୍ୱିତୀୟ ପତ୍ନୀ ରହୁଥିବା ଫ୍ଲାଟରୁ ମିଳିଥିଲା ନଗଦ ୨ କୋଟି ୪୧ ହଜାର ଟଙ୍କା । ଏବଂ ବସ୍ତିରେ ରହୁଥିବା ଶାଳୀଙ୍କ ଘରୁ ଜବତ ହୋଇଥିଲା ଆହୁରି ୧ କୋଟି ୪୧ ଲକ୍ଷ ଟଙ୍କା । କେବଳ ଏତିକି ନୁହେଁ, ବିପୁଳ ସୁନା ରୂପା ମଧ୍ୟ ମିଳିଥିଲା ଶାଳୀଙ୍କ ଘରୁ । କାର୍ତ୍ତିକେଶ୍ୱରଙ୍କ କୁଆଡ଼େ ଇଚ୍ଛା ଥିଲା, ରାଜନୀତି କରିବାକୁ, ହେଲେ ସବୁ ସ୍ୱପ୍ନକୁ ଧୂଳିସାତ କରିଦେଇଛି ଭିଜିଲାନ୍ସ ।