୫ ଦିନର ଅପରେସନ ପରେ ଅମ୍ରିତ ଅପହରଣ ଘଟଣାର ଖୁଲାସା କଲା ପୋଲିସ, ୩ ଗିରଫ

ସମସ୍ତ ଅଭିଯୁକ୍ତଙ୍କୁ ଧରି ପୋଲିସ ସିନ ରିକ୍ରିଏସନ କରିବ ବୋଲି ଜଣାପଡ଼ିଛି ।

Amrit

ନୟାଗଡ଼ର ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ଅପହରଣ ଘଟଣାରେ ୩ ଗିରଫ । କୁରାଳ ଗାଁର ୩ ଜଣଙ୍କୁ ଗିରଫ କଲା ଓଡ଼ଗାଁ ପୋଲିସ । ଗାଡ଼ି ଲୋନ୍ ଶୁଝିବାକୁ ଅପହରଣ ହୋଇଥିବା କହିଲେ ଏଏସ୍‌ପି। ଅପହରଣ କରି ଅମ୍ରିତ ବାପାଙ୍କଠୁ ଟଙ୍କା ଦାବି କରିବା ପାଇଁ ସେମାନେ ଯୋଜନା କରିଥିଲେ । ଲୋନରେ ଆଣିଥିବା ବୋଲେରୋ ଗାଡ଼ିରେ ହିଁ ଅମ୍ରିତକୁ ଅପହରଣ କରାଯାଇଥିବା ପୋଲିସ କହିଛି । ଅପହରଣ ଘଟଣାର ପରଦିନ, ଲୋନ୍‌ ନସୁଝିଥିବାରୁ ବ୍ୟାଙ୍କ ପକ୍ଷରୁ ଗାଡ଼ିକୁ ଛଡାଇ ନିଆଯାଇଥିଲା । ତେଣୁ ଅପହରଣ ପରେ ଗାଁରେ ଅମ୍ରିତକୁ ଲୁଚାଇ ରଖିଥିଲେ ଅଭିଯୁକ୍ତ । ଆଜି ସମସ୍ତ ଅଭିଯୁକ୍ତଙ୍କୁ ଧରି ପୋଲିସ ସିନ ରିକ୍ରିଏସନ କରିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ୫ଦିନର ଅପରେସନ୍ । ୧୨୦ ଘଣ୍ଟା ଧରି ବଛା ବଛା ୧୨ ପୋଲିସ କର୍ମଚାରୀଙ୍କ ଦ୍ୱାରା ହୋଇଥିଲା ଛାନ୍‌ଭିନ୍ । ପ୍ରାୟ ୫ଶହ କିଲୋମିଟର ବ୍ୟାପି ସର୍ଚ୍ଚ ଅପରେସନ୍ କରିଥିଲା ପୋଲିସ । ଏମିତିକି ଡଗ୍ ସ୍କ୍ୱାର୍ଡ ବି ଅମ୍ରିତକୁ ଖୋଜିଥିଲା । ହେଲେ ନା କେହି ପତ୍ତା ପାଇଥିଲେ ନା କାହା ହାତରେ ଲାଗିଥିଲା ସୁରାଗ । ଶେଷରେ ରହସ୍ୟଜନକ ଭାବେ ଉଦ୍ଧାର ହୋଇଥିଲା ନୟାଗଡ଼ ଓଡ଼ଗାଁ ସ୍ଥିତ କୁରାଳ ନେଳିଆ ସାହିର ସେହି ୧୨ ବର୍ଷିୟ ପୁଅ ଅମ୍ରିତ ପାତ୍ର ।

ସମୟ ସକାଳ ପ୍ରାୟ ୮ଟା । ନେଳିଆସାହିଠୁ ମାତ୍ର ୧ କିଲୋମିଟର ଦୂର ପଣ୍ଡିତସାହିର ଏକ ଘର ସାମ୍ନାକୁ କାବେରୀ ଦୋରା ନାମକ ମହିଳା ଜଣକ ଟ୍ୟାପ୍‌ରୁ ପାଣି ଆଣିବାକୁ ଯାଇଥିଲେ । ଠିକ୍ ଏତିକି ବେଳେ ଶୁଣିବାକୁ ପାଇଥିଲେ ନିରୀହ ଅମ୍ରିତ ପାତ୍ରର ଡାକ । ବାସ୍, ତାପରେ ଆଖପାଖରେ ଥିବା ସମସ୍ତ ଲୋକ ଦୌଡ଼ି ଆସିଥିଲେ  । ଆଉ ସ୍ଥାନୀୟ ସରପଞ୍ଚ ସମେତ ପୋଲିସକୁ ଖବର ଦେଇଥିଲେ । ସେତିକିବେଳକୁ ଅମ୍ରିତ ଦୁର୍ବଳ ଦେଖାଯିବ ସହ ଭୟଭୀତ ଅବସ୍ଥାରେ ଥିଲା । ପୋଲିସ ପହଞ୍ଚି ଅମ୍ରିତକୁ ତୁରନ୍ତ ଉଦ୍ଧାର କରି ନୟାଗଡ଼ ମେଡ଼ିକାଲ୍‌କୁ ନେଇଥିଲା ।

ଡିସେମ୍ବର ୧୫ ତାରିଖ । ସମୟ ସଂଧ୍ୟା ପ୍ରାୟ ୭ଟା । ଟ୍ୟୁସନ୍ ସାରି ସାଇକେଲ୍‌ରେ ଫେରିବା ବେଳେ ଘରଠୁ ମାତ୍ର ୫୦ ଫୁଟ୍ ଦୂରରୁ କିଡନ୍ୟାପ୍ କରାଯାଇଥିଲା ଅମ୍ରିତକୁ । ଅପହରଣ ପରେ ତାକୁ ଖାଇବାକୁ ଦେଉଥିଲେ ପକୋଡ଼ି, ବିସ୍କୁଟ୍ ଓ ପାଣି ।