Advertisment

ପୁଣି ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସପ୍ତାହେ ମଧ୍ୟରେ ଗଲାଣି ୩ ଜୀବନ

ଚଳିତ ବର୍ଷ ଏହାକୁ ମିଶାଇ ଆମେରିକାରେ ୪ ଜଣ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହେଲାଣି । ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ତୃତୀୟ ମାମଲା।

author-image
Sonali Ojha
ଅଦ୍ୟତନ ହୋଇଛି
Indian Student Dead

Indian Student Dead

ଆମେରିକାରେ ସୁରକ୍ଷିତ ନୁହଁନ୍ତି ଭାରତୀୟ ଛାତ୍ର। କିଛିଦନ ଧରି ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମନାକୁ ଆସୁଛି। ପୁଣି ଥରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ଶ୍ରେୟାସ ରେଡ୍ଡୀ ବେନିଗେରି । ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Advertisment

ଶ୍ରେୟାସ ଆମେରିକା ଓହିଓର ଲିଣ୍ଡର ସ୍କୁଲ ଅଫ ବିଜନେସରେ ପାଠ ପଢ଼ୁଥିଲେ । ଶ୍ରେୟାସଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଇଣ୍ଡିଆନ୍ ମିଶନ ଇନ୍ ନ୍ୟୁୱର୍କ । ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଘଟଣାର ତଦନ୍ତ ଚଳାଇଛି ସ୍ଥାନୀୟ ପୋଲିସ । ଆମେରିକାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଶ୍ରେୟାସଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି ।

ଚଳିତବର୍ଷ ଏହାକୁ ମିଶାଇ ଆମେରିକାରେ ୪ ଜଣ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହେଲାଣି । ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ତୃତୀୟ ମାମଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୯ରେ ବିବେକ ସାଇନି ନାମକ ଜଣେ ଭାରତୀୟ ଛାତ୍ରଙ୍କୁ ଜର୍ଜିଆରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ବିବେକଙ୍କୁ ଛରି ଭୁଶିବା ସହ ହାତୁଡ଼ି ପଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଆକ୍ରମଣକାରୀ ସାଇନିଙ୍କୁ ଥରେ କିମ୍ବା ଦୁଇଥର ନୁହେଁ ବରଂ ୫୦ଥର ଛୁରିରେ ଆକ୍ରମଣ କରି ହତ୍ୟା କରିଥିଲେ। ସାଇନି ଆମେରିକାରେ ଏମବିଏ ପଢା ଶେଷ କରିଥିଲେ।

Advertisment

ଏହି ସପ୍ତାହରେ ନୀଲ ଆଚାର୍ଯ୍ୟ ନାମକ ଜଣେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ପରଡ୍ୟୁ ବିଶ୍ବବିଦ୍ୟାଳୟ ପରିସରରୁ ନୀଲ ଆଚାର୍ଯ୍ୟଙ୍କ ମୃତଦେହ ମିଳିଥିଲା । ନୀଲ ସେଠାରେ ଥିବା ଜନ୍ ମାର୍ଟିନ୍ସନ୍ କଲେଜରୁ କମ୍ପ୍ୟୁଟର ସାଇନ୍ସ ଏବଂ ଡାଟା ସାଇନ୍ସରେ ଡିଗ୍ରୀ ହାସଲ କରିଥିଲେ। ରବିବାର ସେ ନିଖୋଜ ହୋଇଯିବା ପରେ ସୋମବାର ଦିନ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଅକୁଲ ଧାୱନ ନାମକ ଭାରତୀୟ ଛାତ୍ରଙ୍କର ବି ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଇଲିନୋଇସ୍ ୟୁନିଭରସିଟିରୁ ବୈଦ୍ୟୁତିକ ଇଞ୍ଜିନିୟରିଂ ପଢୁଥିବା ୧୮ବର୍ଷୀୟ ଭାରତୀୟ ଛାତ୍ର ଅକୁଲ ଧାୱନଙ୍କ ମୃତଦେହ ଜାନୁଆରୀ ମାସରେ ମିଳିଥିଲା।

ଗତବର୍ଷ ନଭେମ୍ବରରେ, ସିନ୍ସିନାଟି ବିଶ୍ୱବିଦ୍ୟାଳୟର ଭାରତୀୟ ଡାକ୍ଟରୀ ଛାତ୍ର ଆଦିତ୍ୟ ଆଦଲଖା ଓହିଓରଙ୍କୁ କାର ଭିତରେ ଗୁଳି କରି ହତ୍ୟା କରାଯାଇଥିଲା। ଆଦଲଖା ମଲିକୁଲାର ଏବଂ ଡେଭଲପମେଣ୍ଟାଲ ବାୟୋଲୋଜିର ପିଏଚଡି ଛାତ୍ର ଥିଲେ।

Advertisment
Advertisment