Advertisment

Severed Head in Dog's Mouth: ବନ୍ଧୁତାରୁ ଆରମ୍ଭ ମୃତ୍ୟୁରେ ଶେଷ... ସାଙ୍ଗକୁ ୯ ଖଣ୍ଡ କରି କାଟିବା ପରେ ନାଇଟି ପିନ୍ଧି ବୁଲିଲା

ସେପଟେ ହତ୍ୟାକାଣ୍ଡର ସମସ୍ତ ପ୍ରମାଣନଷ୍ଟ ପାଇଁ ଶୈଳେନ୍ଦ୍ର ଏକ କରତ, ପ୍ଲାଷ୍ଟିକ ବ୍ୟାଗ ଓ ମହିଳା ପୋଷାକ କିଣି ଆଣିଥିଲା । ପରବର୍ତ୍ତୀ ତିନି ରାତିରେ ସେ ମୃତଶରୀରକୁ ନଅ ଖଣ୍ଡ କରି କାଟି, ଯେପରି ସନ୍ଦେହ ନହେବ ସେଥିପାଇଁ ଗାଉନ ପିନ୍ଧି ସଚିନ ସ୍କୁଟରରେ ହିଁ ବିଭିନ୍ନ ସ୍ଥାନରେ ମୃତଦେହ ଫିଙ୍ଗି ଆସିଥିଲା । ଏହାପରେ ପୋଲିସକୁ ଭ୍ରମିତ କରିବା ପାଇଁ ଶୈଳେନ୍ଦ୍ର ସଚିନଙ୍କ ଫୋନ ବ୍ୟବହାର କରୁଥିଲା ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
କୁକୁର ପାଟିରେ କଟାମୁଣ୍ଡ

କୁକୁର ପାଟିରେ କଟାମୁଣ୍ଡ

ଡ୍ରେନରେ କଟା ମୁଣ୍ଡ, ଗୋଡ଼ ହାତ ପଲିଥିନରେ ..ଲଗାତାର ତିନି ଧରି ଡ୍ରେନରୁ ଖଣ୍ଡ ଖଣ୍ଡ ମଣିଷ ଶରୀର ମିଳିବା ଘଟଣା ପୋଲିସର ମୁଣ୍ଡବିନ୍ଧାର କାରଣ ସାଜିଥିଲା । ମୃତକଙ୍କ ଖଣ୍ଡ ଖଣ୍ଡ ଶରୀର ଦେଖି ସମସ୍ତଙ୍କ ଲୋମ ଟାଙ୍କୁରି ଉଠୁଥିଲା । ହେଲେ ପୋଲିସ ହତ୍ୟାକାରୀକୁ ଖୋଜି ପାଇପାରୁ ନଥିଲା । ଏବେ ମୃତକ ସଚିନ ଚୌହାନଙ୍କ ଘନିଷ୍ଠ ବନ୍ଧୁ ଶୈଳେନ୍ଦ୍ର ଚୌହାନଙ୍କୁ ଗିରଫ କରିବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି, ଯିଏ ତାଙ୍କୁ ୯ ଖଣ୍ଡ କରି କାଟି ଦେଇଥିଲା । ମୃତକ ପାଖରେ ଶୈଳେନ୍ଦ୍ର ସ୍ତ୍ରୀର ବ୍ୟକ୍ତିଗତ ଫଟୋ ଓ ତା’ ନାମରେ ନିଆଯାଇଥିବା ଋଣ ଯୋଗୁଁ ଏହି ଛାତିଥରା ଘଟଣା ଘଟିଥିବା ତଦନ୍ତରୁ ଜଣାପଡ଼ିଛି ।

Advertisment

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମହିଳା ପୋଷାକ ପିନ୍ଧି ପୋଲିସ ଆଖିରୁ ଖସିଯିବାକୁ ଷଡ଼ଯନ୍ତ୍ର ରଚିଥିଲା । ଶୈଳେନ୍ଦ୍ର ନାଇଟ ଗାଉନ୍ ପିନ୍ଧି, ଦୁପଟ୍ଟାରେ ମୁହଁ ଘୋଡ଼ାଇ ଏବଂ କହୁଣୀ ପର୍ଯ୍ୟନ୍ତ ଗ୍ଲୋଭସ୍ ବ୍ୟବହାର କରି ପୋଲିସକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲା। ସାଙ୍ଗ ସଚିନକୁ ହତ୍ୟା କରି ଭରୁଚର ଭୋଲାଭ ଜିଆଇଡିସି ଅଞ୍ଚଳର ବିଭିନ୍ନ ସ୍ଥାନରେ ଶରୀରର ଅଂଶ ଗୁଡ଼ିକୁ ଫିଙ୍ଗି ଦେଇଥିଲା । ହେଲେ ୨୯ ମାର୍ଚ୍ଚରେ ଏକ ବୁଲା କୁକୁର ଡ୍ରେନରୁ ମଣିଷ ମୁଣ୍ଡ ବାହାର କରି ଆଣିବା ପରେ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା। ପରବର୍ତ୍ତୀ ତିନି ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଶରୀରର ଭିନ୍ନ ଭିନ୍ନ ଅଂଶ ମିଳିଥିଲା । ମଣିଷର କଟା ଅଙ୍ଗ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ଓ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା।

ଫରେନସିକ ଯାଂଚ ସମୟରେ କଟା ହାତରେ ଥିବା ଟାଟୁ ଓ ଦାନ୍ତରୁ ଜଣାପଡ଼ିଥିଲା, ମୃତକ ଜଣକ ହେଲେ ସଚିନ ଚୌହାନ । ପରିବାର ଲୋକେ ପୂର୍ବରୁ ମୃତକ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ ପରେ ଘନିଷ୍ଠ ବନ୍ଧୁ ଶୈଳେନ୍ଦ୍ର ସନ୍ଦେହ ଘେରକୁ ଆସିଥିଲା,ଯିଏ ସଚିନର ମୃତ୍ୟୁ ପରଠାରୁ ଫେରାର ଥିଲା । ମାନବ ଏବଂ ବୈଷୟିକ ବୁଦ୍ଧି ବ୍ୟବହାର କରି ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ଶୈଳେନ୍ଦ୍ରଙ୍କ ଗତିବିଧିକୁ ଠାବ କରିଥିଲା ପୋଲିସ ଏବଂ ଶେଷରେ ତାଙ୍କୁ ବିଜନୌରରେ ଗିରଫ କରିଥିଲା। ପଚରାଉଚରା ସମୟରେ ସେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଥିଲା।

Advertisment

ସଚିନ ଏବଂ ଶୈଳେନ୍ଦ୍ର କଲେଜ ସମୟରୁ ବହୁତ ଘନିଷ୍ଠ ବନ୍ଧୁ ଥିଲେ । ସବୁ କିଛି ସାଙ୍ଗ ହୋଇ କରୁଥିଲେ। ଜଣେ ଅନ୍ୟ ଜଣକୁ ଘଡ଼ିଏ ନଦେଖି ରହିପାରୁ ନଥିଲେ । ସେମାନେ ବିଜନୌରରୁ ବିଏସସି କରିଥିଲେ ଏବଂ ଉଭୟ ଉଭୟଙ୍କର ମୋବାଇଲ୍ ପାସୱାର୍ଡ ଏବଂ ଡେବିଟ୍ କାର୍ଡ ପିନ୍ ମଧ୍ୟ ଜାଣିଥିଲେ । ହେଲେ ଏ ଗଭୀର ବନ୍ଧୁତାରେ ବିଷ ଦେଇଥିଲା ମୃତକ ସଚିନ । ପାସୱାର୍ଡ ଜାଣିଥିବାରୁ ସଚିନ, ଶୈଳେନ୍ଦ୍ରଙ୍କ ମୋବାଇଲରୁ ତାଙ୍କ ପତ୍ନୀଙ୍କ ବ୍ୟକ୍ତିଗତ ଫଟୋ ସ୍ଥାନାନ୍ତର କରି ନେଇଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ବ୍ଲାକମେଲ କରି ତାଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଶୈଳେନ୍ଦ୍ର, ସଚିନ ନାମରେ ୪ ଲକ୍ଷ ଟଙ୍କା ଋଣ ନେଇଥିଲା, ଯାହା ବିବାଦର ଅନ୍ୟ ଏକ କାରଣ ବୋଲି ମଧ୍ୟ କୁହାଯାଉଛି ।

ଅନ୍ୟପକ୍ଷରେ ନିତିଦିନିଆର ବ୍ଲାକମେଲରୁ ରକ୍ଷା ପାଇବା ପାଇଁ ଶୈଳେନ୍ଦ୍ର ଏକ ପ୍ଲାନ ତିଆରି କରିଥିଲା । ମାର୍ଚ୍ଚ ୨୪ ତାରିଖରେ ଶୈଳେନ୍ଦ୍ର ସଚିନଙ୍କୁ ଏକ ପାର୍ଟି ପାଇଁ ଘରକୁ ନିମନ୍ତ୍ରଣ କରିଥିଲେ। ସଚିନ ଶୋଇପଡ଼ିବା ପରେ ଶୈଳେନ୍ଦ୍ର ତା ଫୋନ୍‌ରୁ ଆପତ୍ତିଜନକ ଫଟୋ ଗୁଡ଼ିକୁ ଡିଲିଟ୍ କରିବାକୁ ଚେଷ୍ଟା କରିଥିଲା। ହେଲେ ସେତେବେଳେ ସଚିନ ଉଠିପଡ଼ି ମୋବାଇଲ ଛଡ଼ାଇ ନେଇଥିଲା, ସେଥିପାଇଁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା । ଶେଷରେ ଶୈଳେନ୍ଦ୍ର ରୋଷେଇ ଘରର ଛୁରୀରେ ସଚିନର ଗଳା କାଟି ଦେଇଥିଲା ।

ସେପଟେ ହତ୍ୟାକାଣ୍ଡର ସମସ୍ତ ପ୍ରମାଣନଷ୍ଟ ପାଇଁ ଶୈଳେନ୍ଦ୍ର ଏକ କରତ, ପ୍ଲାଷ୍ଟିକ ବ୍ୟାଗ ଓ ମହିଳା ପୋଷାକ କିଣି ଆଣିଥିଲା । ପରବର୍ତ୍ତୀ ତିନି ରାତିରେ ସେ ମୃତଶରୀରକୁ ନଅ ଖଣ୍ଡ କରି କାଟି, ଯେପରି ସନ୍ଦେହ ନହେବ ସେଥିପାଇଁ ଗାଉନ ପିନ୍ଧି ସଚିନ ସ୍କୁଟରରେ ହିଁ ବିଭିନ୍ନ ସ୍ଥାନରେ ମୃତଦେହ ଫିଙ୍ଗି ଆସିଥିଲା । ଏହାପରେ ପୋଲିସକୁ ଭ୍ରମିତ କରିବା ପାଇଁ ଶୈଳେନ୍ଦ୍ର ସଚିନଙ୍କ ଫୋନ ବ୍ୟବହାର କରୁଥିଲା ।

ସଚିନ ବେଙ୍ଗାଲୁରୁରେ ଥିବା ଛଳନା କରି ତାଙ୍କ ପରିବାରକୁ ମେସେଜ୍ ମଧ୍ୟ ପଠାଉଥିଲା । ଏହାସହ ସଚିନର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ତାଙ୍କ ATM କାର୍ଡକୁ ଜାଣିଶୁଣି ଟ୍ରେନରେ ଛାଡ଼ି ଦେଇଥିଲା । ଏହି ହତ୍ୟାକାଣ୍ଡକୁ ଯଦିଓ ବ୍ଲାକମେଲ୍ ଏବଂ ଆର୍ଥିକ ବିବାଦ ସହିତ ଯୋଡ଼ାଯାଉଛି, ତଥାପି ସଚିନ ଏବଂ ଶୈଳେନ୍ଦ୍ରଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି ସମ୍ପର୍କ ଥିଲା କି ନାହିଁ ସେ ଦିଗରେ ମଧ୍ୟ ତଦନ୍ତ ଚାଲିଛି । ଏହାରି ମଧ୍ୟରେ ପୋଲିସ ଏବେ ବି ସଚିନଙ୍କ ନିଖୋଜ ଅଙ୍ଗ ଗୁଡ଼ିକ ଖୋଜିବା ଜାରି ରଖିଛି।

Murder Man Kills Friend Blackmail
Advertisment
Advertisment