• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାଷ୍ଟିଂ କାଉଚକୁ ନେଇ ବର୍ତ୍ତମାନ ଓଲିଉଡ୍‌ରେ ହଇଚଇ ସୃଷ୍ଟି ହୋଇଛି । ଜଣେ ପରେ ଜଣେ ଅଭିନେତ୍ରୀ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣୁଛନ୍ତି । ଆଜି ପୁଣି ଥରେ କାଷ୍ଟିଂ କାଉଚକୁ ନେଇ ଆଉ ଜଣେ ଓଡ଼ିଆ ଅଭିନେତ୍ରୀ ମୁହଁ ଖୋଲିଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରିବା ସମୟରେ ସେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସେ ସମ୍ପର୍କରେ କହିଛନ୍ତି ରୂପଶ୍ରୀ ପଣ୍ଡା ।

ତାଙ୍କ କହିବା ଅନୁସାରେ, ନିଆଁ ନଥିଲେ କେବେ ଧୂଆଁ ଉଠେନି । ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିହାତି ଭାବରେ କାଷ୍ଟିଂ କାଉଚ୍ ରୋଗ ରହିଛି । ହେଲେ କେବଳ ଯେ ଝିଅମାନେ କାଷ୍ଟିଂ କାଉଚ୍‌ର ଶିକାର ହେଉଛନ୍ତି ତା’ ନୁହେଁ, ପ୍ରଯୋଜକ ମାନଙ୍କୁ ମଧ୍ୟ ଜାଣିଶୁଣି ଫସେଇବାକୁ ଚେଷ୍ଟା କରାଯାଏ । ଏପରି କିଛି ଚାଲାକ୍‌ ଝିଅ ଅଛନ୍ତି, ଯେଉଁମାନେ ମିଛରେ ଫଟୋ ନେଇ ତାକୁ ଅସ୍ତ୍ର ରୂପରେ ବ୍ୟବହାର କରନ୍ତି । ଝିଅମାନେ ବି କାଷ୍ଟିଂ କାଉଚ୍‌ ପାଇଁ ଦାୟୀ ।

ଅନ୍ୟପଟେ କିଛି ଦିନ ପୂର୍ବରୁ ଯେଉଁମାନେ କାଷ୍ଟିଂ କାଉଚ୍‌ର ଅଭିଯୋଗ ଆଣିଛନ୍ତି ତାଙ୍କୁ ମଧ୍ୟ କାଠଗଡ଼ାକୁ ଟାଣିଛନ୍ତି ଅଭିନେତ୍ରୀ ରୂପଶ୍ରୀ । ଇଚ୍ଛା ଥିଲେ ହିଁ ଭୁଲ ହେବ, ଇଚ୍ଛା ନଥିଲେ କେହି ଦେହରେ ହାତ ଦେଇପାରିବେନି ବୋଲି ସେ କହିଛନ୍ତି । କେହି ଜୋରଜବରଦସ୍ତି କଲେ ମାଡ଼ ମାରି ଗାଳି କରି ଥାନାକୁ ଯାଅ । ଖାଲିଟାରେ କାହାକୁ ବଦନାମ୍‌ କରିବା ଆଦୌ ଠିକ୍‌ ନୁହେଁ ।

ସେହିପରି ରୂପଶ୍ରୀ ନିଜ ସହ ହୋଇଥିବା କିଛି ଘଟଣା ବଖାଣିଛନ୍ତି । ତାଙ୍କୁ ମଧ୍ୟ ଅନେକ ସମୟରେ ଏପରି କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ରୂପଶ୍ରୀ କହିଛନ୍ତି, ତାଙ୍କୁ କୁହାଯାଇଛି, ତୁମେ କ’ଣ ଏତେ ସୁନ୍ଦର ହିରୋଇନ୍‌ ଯେ ତୁମକୁ ଡକାଯିବ । ତୁମେ ନିଜ ଆଡ଼ୁ ଆସି କମ୍ପ୍ରମାଇଜ୍ କରିବା କଥା । ତୁମେ ଆମକୁ ଖୁସି କଲେ, ଆମେ ତୁମକୁ ଖୁସି କରିବୁ । ବଡ଼ ବଡ଼ ହିରୋଇନ୍‌ମାନେ ନିଜେ ଆସି ଏଥିପାଇଁ ଆପ୍ରୋଚ୍‌ କରୁଛନ୍ତି । ଦଶ ମିନିଟ୍‌ର କାମ ପାଇଁ ତୁମେ ଦଶ ବର୍ଷ ଭଲରେ ବଞ୍ଚିଯିବ । ସକାଳ ହେବାମାତ୍ରେ ସହରର ବଡ଼ ବଡ଼ ଛକରେ ବଡ଼ ବଡ଼ ପୋଷ୍ଟର ମରାହୋଇଥିବ । ଏପରି ଅନେକ ସ୍ୱପ୍ନ ଦେଖାଇ ସେମାନେ ନବାଗତାଙ୍କୁ ଖରାପ ବାଟରେ ନେବା ପାଇଁ ଚେଷ୍ଟା କରନ୍ତି । ତେବେ ସିନେ ଦୁନିଆକୁ ଆସିଥିବା ନବାଗତମାନେ ସଠିକ୍‌ ସମୟରେ ସଠିକ୍‌ ନିଷ୍ପତ୍ତି ନେବା ଉଚିତ ବୋଲି ରୂପଶ୍ରୀ କହିଛନ୍ତି ।

  • Reported by:
  • ATULYA BOUT