• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ । ସାଙ୍ଗ ମାନେ ଖୋଲିଲେ ଗୁମର । କହିଲେ XIMBରେ ଏମ୍‌ବିଏ କରିବାକୁ ଯିବା ପରେ ବଦଳିଯାଇଥିଲା ସୌମ୍ୟଜିତ୍‌ଙ୍କ ରୁବାବ୍‌ । ଶ୍ୱେତାଙ୍କୁ ଆଭୋଏଡ୍‌ କରିବା ସହ ବିବାହ କରିବାକୁ ମନା କରୁଥିଲେ । ଓଟିଭିକୁ କିଛି ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମୃତ ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତାଙ୍କ ବନ୍ଧୁ ପ୍ରୀତୀଶ ନାୟକ ।

ପ୍ରତୀଶ କହିଛନ୍ତି, ଗତ ୬ ମାସ ହେଲା ସୌମ୍ୟଜିତଙ୍କ ସହ ଶ୍ୱେତାଙ୍କର ସମ୍ପର୍କ ଖରାପ ହୋଇଥିଲା । ସୌମ୍ୟଜିତ XIMBକୁ MBA ପାଇଁ ଗଲା ପରେ ଶ୍ୱେତାଙ୍କୁ ଅଣଦେଖା କରୁଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ହେଲେ ବିବାହ ପାଇଁ ଅଡ଼ି ବସିଥିଲେ ଶ୍ୱେତା । କାରଣ ସୌମ୍ୟଜିତ ପୂର୍ବରୁ ୩ ଜଣ ଝିଅଙ୍କୁ ଧୋକ୍କା ଦେଇଥିବା ଜାଣିପାରିଥିଲେ ଶ୍ୱେତା । 

ରିଲେସନସିପ୍ ଆରମ୍ଭରୁ ବିବାହ ପାଇଁ ସୌମ୍ୟ ରାଜି ହୋଇ ବି ପରେ ମନା କରିଥିଲେ । ଏନେଇ ଶ୍ୱେତାଙ୍କ ପରିବାର ସୌମ୍ୟଙ୍କ ସମ୍ବଲପୁର ଘରକୁ ଯାଇ କଥାବାର୍ତ୍ତା ବି କରିଥିଲେ । ସେଠାରେ ସୌମ୍ୟଙ୍କ ଷ୍ଟଡି ଲୋନ୍ ୩୦ ଲକ୍ଷ ଟଙ୍କା ସୁଝିବାକୁ ସୌମ୍ୟଙ୍କ ପରିବାର ଲୋକେ କହିଥିଲେ । ହେଲେ ଏଥିରେ ରାଜି ହୋଇନଥିଲେ ଶ୍ୱେତାଙ୍କ ବାପା । କିନ୍ତୁ ବିବାହ ପରେ କିଛିଟା ଅର୍ଥ ଦେବାକୁ ରାଜିଥିଲେ ବୋଲି ପ୍ରୀତୀଶ ସୂଚନା ଦେଇଛନ୍ତି ।

 

ହେଲେ ବାରମ୍ବାର ସୌମ୍ୟଙ୍କ ପ୍ରତ୍ୟାଖାନ ଓ ପୂର୍ବରୁ କିଛି ଝିଅଙ୍କ ସହ ସୌମ୍ୟଙ୍କ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିଥିଲା । ଏହାସହ ଶ୍ୱେତାଙ୍କ କିଛି ଫଟୋ ସୌମ୍ୟଙ୍କ ପାଖରେ ଥିଲା ବୋଲି ପ୍ରୀତୀଶ କହିଛନ୍ତି । ଏହାସହ ଏବେ ପୋଲିସ୍ ତଦନ୍ତରେ ସହଯୋଗ କରିବା ସହ ସବୁ କଥା କହିବେ ବୋଲି ପ୍ରୀତୀଶ କହିଛନ୍ତି । 

 

ଅନ୍ୟପଟେ ଶ୍ୱେତା ମୃତ୍ୟୁ ମାମଲାର ତଦନ୍ତ ଭିତରେ ଏବେ ସାମ୍ନାକୁ ଆସିଛି ତାଙ୍କର ଏକ ଡାଇରୀର କିଛି ଅଂଶ । ସୌମ୍ୟଜିତଙ୍କ ସହ ସମ୍ପର୍କକୁ ନେଇ ଏଥିରେ ଅନେକ କିଛି ଲେଖିଛନ୍ତି ଶ୍ୱେତା । ଦିନକୁ ଦିନ ଉଭୟଙ୍କ ସମ୍ପର୍କ ମଜଭୂତ ହେଉଥିବା କଥା ଡାଇରୀରେ ଉଲ୍ଲେଖ କରିଛନ୍ତି । ଖାଲି ଏତିକି ନୁହେଁ, ଶ୍ୱେତାଙ୍କୁ ସୌମ୍ୟ ନିଜ ସ୍ତ୍ରୀ ଭାବେ ଗ୍ରହଣ କରିଥିବା ଡାଇରୀରେ ସେ ଲେଖିଛନ୍ତି । ଭଗବାନ ଆମର ସବୁ ସମସ୍ୟା ଦୂର କରାନ୍ତୁ ଲେଖିବା ସହ ଶେଷରେ ସୌମ୍ୟଜିତ ଲଭ୍‌ସ ଶ୍ୱେତା ବୋଲି ଲେଖା ରହିଛି । ଏହା କେବେ ଓ କେଉଁ ପରିସ୍ଥତିରେ ଲେଖା ଯାଇଛି ତାହା ଜଣାପଡ଼ିନି ।

ସେହିଭଳି ଶ୍ୱେତାଙ୍କ ପରିବାର ଲୋକ ଝିଅର ମୃତ୍ୟୁ ପାଇଁ ସୌମ୍ୟଜିତଙ୍କୁ ଦାୟୀ କରିଛନ୍ତି । ଏନେଇ ଗଣମାଧ୍ୟମଠୁ ଆରମ୍ଭ କରି ଭୁବନେଶ୍ୱର ଡିସିପିଙ୍କ ନିକଟରେ ଫେରାଦ ହୋଇଛନ୍ତି ପରିବାର । ହେଲେ ଏବେ ଯାଏଁ କିନ୍ତୁ ସୌମ୍ୟଜିତଙ୍କ ପରିବାର ଲୋକେ ଅଭିଯୋଗକୁ ନେଇ ମୁହଁ ଖୋଲିନାହିନ୍ତି । ସୌମ୍ୟଜିତ କିମ୍ବା ତାଙ୍କ ପରିବାର ଲୋକେ ଏନେଇ ପ୍ରତିକ୍ରିୟା ଦେଇନାହାନ୍ତି । ଘଟଣା ପରେ ବାରମ୍ବାର ଓଟିଭି ଟିମ୍ ସୌମ୍ୟଜିତଙ୍କ ସମ୍ବଲପୁର ଘର ଓ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି । କିନ୍ତୁ ଏହା ସମ୍ଭବପର ହୋଇପାରିନି ।