• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଆମେରିକାରେ ଫୁଟିଲା ଗୁଳି । ଆମେରିକାରେ ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ପୁଣି ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଅନ୍ଧାଧୂନ୍‌ ଗୁଳିମାଡ଼ରେ ୮ ଜଣଙ୍କୁ ଗୁଳି ଲାଗିଥିବା ବେଳେ ସେଥି ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ଏହି ଅଘଟଣ ଘଟିଛି । ଆହତଙ୍କ ମଧ୍ୟରେ ଦୁଇ ଶିଶୁ ମଧ୍ୟ ଅଛନ୍ତି । ଏହି ଘଟଣା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ସେ କାହିଁକି ଗୁଳିମାଡ଼ କରିଛନ୍ତି ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ଆମେରିକାର ଫିଲାଡେଲଫିଆ ସହରରେ ଘଟିଥିବା ଏହି ଗୁଳିକାଣ୍ଡରେ ୮ ଜଣଙ୍କ ଶରୀରରେ ଗୁଳି ବାଜିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଜନଗହଳିପୂର୍ଣ୍ଣ ରାସ୍ତାରେ ହ୍ୟାଣ୍ଡଗନ୍, ରାଇଫଲ୍ ସହ ଅଚାନକ୍‌ ଜଣେ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲା । ଦୁର୍ବୃତ୍ତ ଜଣକ ବୁଲେଟ ପ୍ରୁଫ୍ ଜ୍ୟାକେଟ ପିନ୍ଧିଥିବା ସୂଚନା ମିଳିଛି ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲା । ଏଥିସହ ତାଙ୍କ ନିକଟରେ ଥିବା ମାରଣାସ୍ତ୍ର ଜବତ କରିଛି । ଏହାପରେ ପୁଲିସ୍ ତୁରନ୍ତ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ଆକ୍ରମଣର କାରଣ ଜଣାପଡ଼ିନି ।

ୟୁଏସ୍‌ରେ ଗୁଳିକାଣ୍ଡର ୩ ହୃଦୟ ବିଦାରକ ଘଟଣା

୧. ଆମେରିକାର ଇଣ୍ଡିଆନାରେ ୧୮ ଜୁଲାଇ ୨୦୨୨ରେ ଗ୍ରୀନଉଡ୍ ପାର୍କ ମଲରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ ୧୦ ଜଣ ଗୁଳିମାଡ଼ର ଶିକାର ହୋଇଥିଲେ । ସେଥିମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

୨. ୧୧ ଜୁଲାଇ ୨୦୨୨ରେ କାଲିଫର୍ନିଆର ଦକ୍ଷିଣୀ ଅଞ୍ଚଳର ଏକ ହାଉସ୍‌ପାର୍ଟିରେ ଜଣେ ଦୁର୍ବୃତ୍ତ ଅଚାନକ୍‌ ପଶି ଆସି ଗୁଳି ଚଳାଇଥିଲେ । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କୁ ଗୁଳି ବାଜିଥିଲା, ସେଥି ମଧ୍ୟରୁ ୩ ଜଣ ପ୍ରାଣ ହରାଇଥିଲେ।

୩. ଆମେରିକାରେ ୪ ଜୁଲାଇ ୨୦୨୨ରେ ୨୪୬ତମ ସ୍ୱାଧୀନତା ଦିବସ ପାଳନ କରାଯାଉଥିଲା । ଏହି ସମୟରେ ହାଇଲାଣ୍ଡ ପାର୍କରେ ପରେଡ ଆୟୋଜିତ ହୋଇଥିଲା । ଆଉ ସେଠାରେ ହଠାତ୍ ଗୁଳିମାଡ଼ ହୋଇଥିଲା, ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ।