• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

କୁଳଡିହା ଜଙ୍ଗଲରେ ଭଡ଼ାରେ ମିଳୁଛି ବନ୍ଧୁକ । ଏଥିପାଇଁ ଜଙ୍ଗଲରେ ରହିଛି ଦେଶୀ ବନ୍ଧୁକ କାରଖାନା । ବେଧଡ଼କ ବିକ୍ରି ହେଉଛି, ଭଡ଼ାରେ ବି ମିଳୁଛି । କୁଳଡିହା ରେଂଜରେ ବନ ବିଭାଗର ଅପରେସନରେ ୧୧ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଗିରଫ ହୋଇଛନ୍ତି ୭ ଶିକାରୀ । ଅଭୟାରଣ୍ୟରେ ଶିକାରୀଙ୍କ ଦୌରାତ୍ମ୍ୟ ବଢୁଥିବାରୁ ବନ କର୍ମଚାରୀଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଦେବାକୁ ଯୋଜନା ରହିଥିବା କହିଛନ୍ତି ଆରସିସିଏଫ୍।

କୁଳଡିହାକୁ ଶିକାରୀ ଶୂନ୍ୟ କରିବାକୁ ବନ ବିଭାଗର ଅପରେସନ ବେଳେ ସାମ୍ନାକୁ ଆସିଛି ଚିନ୍ତାଜନକ ଖବର । ବୁଧବାର ସକାଳେ ନୀଳଗିରି ଥାନା ମଲିବଣିଆ ଗାଁରେ କୁଳଡିହା ବନ ବିଭାଗ ଓ ନୀଳଗିରି ପୋଲିସ ମିଳିତ ଭାବେ ଏକ ବନ୍ଧୁକ ତିଆରି କାରଖାନାରେ ଚଢ଼ାଉ କରିଥିଲେ । ସେଠାରୁ ୫ଟି ଦେଶୀ ବନ୍ଧୁକ ସହ ଜଣକୁ ଗିରଫ କରାଯାଇଥିଲା । ପୁଣି ରାତିରେ ଅଭୟାରଣ୍ୟର ଡେଉଁଚଖାଲ ଗାଁରେ ଧରପଗଡ କରିଥିଲା କୁଳଡିହା ବନବିଭାଗ, ନୀଳଗିରି ପୋଲିସ ଓ ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସର ମିଳିତ ଟିମ୍ । ଗାଁରୁ ୬ଟି ଦେଶୀବନ୍ଧୁକ ସହ ୬ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । 

ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ବର ବିଟ୍ ଅଞ୍ଚଳରେ ଶିକାରୀଙ୍କ ଗୁଳିରେ ୩ କର୍ମଚାରୀ ଆହତ ହେବା ପରେ ଆକ୍ସନ ମୋଡକୁ ଆସିଛି ବନ ବିଭାଗ । ଆଜି ଆରସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନି ଟିମ ସହ ଗୁଳିକାଣ୍ଡ ସ୍ଥଳରେ ପହଁଚି ତଦନ୍ତ କରିଛନ୍ତି । ସେପଟେ ଡେଉଁଚଖାଲ ଗାଁର କିଛି ଲୋକ ନୀଳଗିରି ଥାନା ଆଗରେ ପ୍ରତିବାଦ ଜଣାଇବା ସହ ପୋଲିସ ନୀରିହଙ୍କୁ ଗିରଫ କରିଥିବା ଅଭିଯୋଗ କରିଛନ୍ତି । 

ସେପଟେ ଶିମିଳିପାଳ ଅଭୟାରଣ୍ୟରୁ ଏଯାଏ ୮ ଶହରୁ ଅଧିକ ଦେଶୀ ବନ୍ଧୁକ ଜବତ ହେଲାଣି । ଗତ ଦୁଇ ବର୍ଷ ମଧ୍ୟରେ ବନ ବିଭାଗ ୪୫୦ଟି ଏବଂ ମୟୂରଭଂଜ ପୋଲିସ ୨୩୦ଟି ଦେଶୀ ବନ୍ଧୁକ ଜବତ କରିବା ସହ ୪୮ ଜଣ ଶିକାରୀଙ୍କୁ ଗିରଫ କରିଛି। ଶିମିଳିପାଳ ଓ କୁଳଡିହାରେ ଶିକାରୀଙ୍କ ଦୌରାତ୍ମ୍ୟ ବଢୁଥିବା ବେଳେ ସେମାନଙ୍କୁ ସାମ୍ନା କରିବାକୁ ବନ କର୍ମଚାରୀଙ୍କୁ ଖୁବଶୀଘ୍ର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ ଏବଂ ହେଲମେଟ୍ ଯୋଗାଇ ଦିଆଯିବ। ଅତ୍ୟାଧୁନିକ ରାଇଫଲ୍ ମଧ୍ୟ ଦେବାକୁ ଯୋଜନା ରହିଛି । ଏଥିସହ ଅଧିକ କର୍ମଚାରୀ ନିଯୁକ୍ତି, ସ୍ବତନ୍ତ୍ର ୟୁନିଟ୍ 

ଗଠନ, ଏବଂ ସ୍ପେଶାଲ ଟ୍ରେନିଂ ଦେବାକୁ ଯୋଜନା ରହିଥିବା କହିଛନ୍ତି ଆରସିସଏଫ୍ । 
 

  • Reported by:
  • MANIK Lal PANI , Biswambar Das