• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗୋଟିଏ ପଟେ ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ସ୍ୱପ୍ନ, ଅନ୍ୟପଟେ ନବଜାତଙ୍କ ଅକାଳ ବିୟୋଗ । ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଯୁକ୍ତ ଚିକିତ୍ସା ଅଭାବ ଓ ଡାକ୍ତରଙ୍କ ଅଣଦେଖା ମନୋଭାବରୁ ଦିନକରେ ଛଅ ଶିଶୁଙ୍କର ମୃତ୍ୟୁ ଅଭିଯୋଗ । ଏହାକୁ ନେଇ ଆଜି ମେଡ଼ିକାଲ୍ ପରିସରରେ ଉପୁଜିଥିଲା ତୁମୁଳକାଣ୍ଡ । ମେଡିକାଲ୍ କର୍ତ୍ତୃପକ୍ଷ କିନ୍ତୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି । ସେହିଭଳି ଗଲା ୧୮ ଦିନ ମଧ୍ୟରେ ଏଠାରେ ୧୩ ଶିଶୁଙ୍କ ଜୀବନ ଯାଇଛି । ଚିକିତ୍ସାରେ ଅବହେଳା ନେଇ ଯେଉଁ ଅଭିଯୋଗ ଆସିଛି, ତା ଉପରେ ତଦନ୍ତ ଆରମ୍ଭ ହୋଇଛି ।

୨୪ ଘଣ୍ଟା ଭିତରେ ଛଅ ଜଣ । ଆଗ ପଛ ହୋଇ ଜଣଙ୍କ ପରେ ଜଣେ ଶିଶୁଙ୍କ ପ୍ରାଣହାନୀ । ମୃତ ଶିଶୁଙ୍କ ସଂପର୍କୀୟମାନଙ୍କ ଅଭିଯୋଗ, ପିଲାଙ୍କ ମୃତ୍ୟୁ ପାଇଁ ଡାକ୍ତରଙ୍କ ଅବହେଳା ଦାୟୀ । ନବଜାତଙ୍କ ମୃତ୍ୟୁର ଏଭଳି ସଂଗୀନ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ । ସଂପର୍କୀୟଙ୍କ ଅଭିଯୋଗ ଅନୁଯାୟୀ, ଗତକାଲିଠାରୁ ନିଜ ପିଲାଙ୍କୁ ଆଣି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ ା ହେଲେ ଏସ୍ଏନ୍‌ସିୟୁରେ ଡାକ୍ତର ଉପସ୍ଥିତ ନଥିଲେ । ନେହୁରା ହେବା ପରେ ବି ନା ତ କେହି ଡାକ୍ତର କିମ୍ବା ନର୍ସ ଆସିଲେ । ଶିଶୁଙ୍କୁ ଅକ୍ସିଜେନ୍ ଦେବା ପାଇଁ ବାପା, ମା’ ମାନେ ମେଡ଼ିକାଲ୍ କର୍ମଚାରୀଙ୍କୁ ଗୁହାରି କରିଥିଲେ ବି କେହି ଶୁଣିଲେନି । ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ ଏହି ମେଡ଼ିକାଲ୍‌ରେ ୬ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ନିଜର ଅସନ୍ତୋଷ ଜାହିର କରିଥିଲେ ମୃତ ଶିଶୁଙ୍କ ସଂପର୍କୀୟ । ଫଳରେ ଆଜି ଦିନ ତମାମ ଉତ୍ତେଜନା ଲାଗିରହିଥିଲା ।

 

ମେଡ଼ିକାଲ୍‌ରେ ଉତ୍ତେଜନା ଖବର ପାଇ ପହଞ୍ଚିଥିଲା ପୋଲିସ ଫୋର୍ସ । ଜିଲ୍ଲାପାଳ ଆଶିଷ ଠାକରେଙ୍କ ସମେତ ଉପ ଜିଲ୍ଲାପାଳ, ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚିଥିଲେ । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଶିଶୁ ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ କରିଥିଲେ ।

ତେବେ ଏଡିଏମ୍ଓଙ୍କ କହିବା କଥା, ଗତ ୨୪ ଘଣ୍ଟାରେ ୬ ନୁହଁ, ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି ଏସ୍ଏନ୍‌ସିୟୁରେ । କର୍ତ୍ତବ୍ୟରେ ଡାକ୍ତରଙ୍କ ଅବହେଳା ହୋଇଛି କି ନାହିଁ, ସେନେଇ ତଦନ୍ତ କରାଯିବ ବୋଲି ଏଡିଏମ୍ଓ ଡାକ୍ତର କିଶୋର ପୃଷ୍ଟି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ମେଡ଼ିକାଲ୍‌ରେ ଗତ ୧୮ ଦିନ ମଧ୍ୟରେ ୧୩ ଜଣ ପିଲାଙ୍କ ପ୍ରାଣହାନୀ ହୋଇଛି । ତେବେ କେଉଁ ପରିସ୍ଥିତିରେ କ୍ରମାଗତ ଭାବେ ପ୍ରାଣ ହରାଉଛନ୍ତି କଅଁଳ ଛୁଆଗୁଡ଼ିକ ? ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମି ସହ ଅଭାବ ରହୁଛି କି ଡାକ୍ତର ଏବଂ ନର୍ସଙ୍କ ସଂଖ୍ୟା ? ଏଭଳି ପ୍ରଶ୍ନ ଭିତରେ ଶିଶୁମୃତ୍ୟୁର ନ୍ୟାୟିକ ତଦନ୍ତ ଦାବି ଉଠାଇଛନ୍ତି ବିଭିନ୍ନ ବର୍ଗର ଲୋକେ ।

(ରିପୋର୍ଟର- କେନ୍ଦୁଝରରୁ ପ୍ରଣୟ ପାଣି)