• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଟେକ୍ ଛାତ୍ରଙ୍କ ବିରୋଧରେ ହାଇଟେକ୍ ମର୍ଡର୍ ଅଭିଯୋଗ । ସୁଚିନ୍ତିତ ଯୋଜନା କରି ବନ୍ଦ କୋଠରୀରେ ୨ କଅଁଳ ପିଲା ସହ ଦ୍ୱିତୀୟ ପତ୍ନୀଙ୍କୁ ନିଆଁରେ ଜାଳି ମାରିଦେଇଥିବାର ସଂଗୀନ ଅଭିଯୋଗ ଆସିଛି ମୟୁରଭଞ୍ଜ ଝାରୋପୋଖରିଆ ଅଞ୍ଚଳରୁ । ଗୋଟିଏ କୋଠରୀରେ ଶୋଇଥିବାବେଳେ ଗ୍ୟାସରୁ ନିଆଁ ଲାଗି ସମସ୍ତେ ପ୍ରାଣ ହରାଇଛନ୍ତି ବୋଲି ସ୍ୱାମୀ କହୁଛନ୍ତି । କିନ୍ତୁ ପାରିପାର୍ଶ୍ୱିକ ସ୍ଥିତି ଓ ସମ୍ପର୍କୀୟଙ୍କ ଅଭିଯୋଗ କିନ୍ତୁ ଭିନ୍ନ ଦର୍ଶାଉଛି । ତେବେ ଏହା ଦୁର୍ଘଟଣା ନା ହତ୍ୟାକାଣ୍ଡ, ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ଖୋଳତାଡ଼ କରୁଛି ।

ମୟୁରଭଞ୍ଜ ଜିଲ୍ଲା ଝାରୋପୋଖରିଆ ଥାନା ଅନ୍ତର୍ଗତ ଉଚ୍ଚ ଗାଁ । ଏଠାରେ ଜଳୁଥିଲା ମରଣର ନିଆଁ । ହେଲେ ଲିଭାଇପାରିଲେନି ସ୍ୱାମୀ । ନିଆଁର ଆଁର ପଡ଼ି ଛଟପଟ ହେଉଥିଲେ ୩ ମାସର କଅଁଳ ପିଲା, ପାଞ୍ଚ ବର୍ଷର ଟିକି ଝିଅ ସହ ପତ୍ନୀ । ତଥାପି ବଞ୍ଚାଇପାରିଲେନି ଗୃହକର୍ତ୍ତା । ସ୍ୱାମୀ ମଙ୍ଗଳ ମାରାଣ୍ଡିଙ୍କ କହିବା କଥା, ସବୁଦିନ ଭଳି ଗତରାତିରେ ସମସ୍ତେ ଖାଇପାଇ ଶୋଇଯାଇଥିଲେ ।

୩ ମାସର ପୁଅ ଜଗଦୀଶ ଶୋଇଥିଲା ପତ୍ନୀ ସୁରୁକୁନୀ ପାଖରେ । ୫ ବର୍ଷର ଝିଅ ସରିତ ଶୋଇଥିଲା ମଙ୍ଗଳଙ୍କ ପାଖରେ । ତାହାରି ଭିତରେ ଘରେ ଗ୍ୟାସରୁ ହଠାତ୍ ନିଆଁ ଲାଗିଗଲା । ଚାହୁଁ ଚାହୁଁ ବ୍ୟାପିଗଲା ଚାରିଆଡ଼େ । ଏସବୁ ଭିତରେ ଦମକଳବାହିନୀକୁ କୁଆଡ଼େ ଖବର ଦେଇଥିଲେ ମଙ୍ଗଳ । ଆଉ ଦମକଳବାହିନୀ ପହଞ୍ଚିବା ବେଳକୁ ଜଳିପୋଡ଼ି ପ୍ରାଣ ହରାଇ ସାରିଥିଲେ ପତ୍ନୀ ସହ ୨ ଛୁଆ, କିନ୍ତୁ ବର୍ତ୍ତିଯାଇଥିଲେ ମଙ୍ଗଳ ।

ମଙ୍ଗଳ ମାରାଣ୍ଡି , ଭୁବନେଶ୍ୱରର ଏକ ଅନୁଷ୍ଠାନର ବି.ଟେକ୍ ଛାତ୍ର । କୁହାଯାଉଛି, ମନୋମାଳିନ୍ୟ ଯୋଗୁ ମଙ୍ଗଳଙ୍କୁ ଛାଡ଼ି ପଳାଇଲେ ପ୍ରଥମ ସ୍ତ୍ରୀ । କିଛିଦିନ ପରେ ଅର୍ଥାତ ୨୦୧୧ରେ ପ୍ରେମ ବିବାହ କରି ଦ୍ୱିତୀୟ ସ୍ତ୍ରୀ ଭାବେ ସୁରୁକୁନିଙ୍କୁ ଘରକୁ ଅଆଣିଥିଲେ । ଇତିମଧ୍ୟରେ ୨ଟି ସନ୍ତାନର ବାପା, ମାହୋଇସାରିଛନ୍ତି ମଙ୍ଗଳ ଓ ସୁରୁକୁନି ।ତେବେ ଏହି ହସିଲା ପୁରିଲା ସଂସାରକୁ କେମିତି ଜାଳିପୋଡ଼ି ପାଉଁଶ କରିଦେଲା ସର୍ବଗିଳା ନିଆଁ ? ନିଆଁ ଦାଉରୁ ନିଜକୁ ବଞ୍ଚାଇ ନେଇଥିବା ମଙ୍ଗଳ, କାହିଁକି ଅନ୍ୟମାନଙ୍କୁ ଉଦ୍ଧାର କରିପାରିଲେନି ?

ପାଖରେ ଶୋଇଥିବା ୫ବର୍ଷର ଝିଅ ନିଆଁରେ ଜଳିଯିବା ସତ୍ତ୍ୱେ ମଙ୍ଗଳଙ୍କ ଦେହରେ କେମିତି ଟିକେ ବି ଦାଗ ନାହିଁ ? ଯଦି ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଲା, ତେବେ ଗ୍ୟାସ୍ ସିଲିଣ୍ଡର କିମ୍ବା ଚୁଲାରେ କାହିଁକି କୌଣସି ଚିହ୍ନବର୍ଣ୍ଣ ନାହିଁ ? ପାଖରେ ଆଉ ଏକ ଘରେ ଶୋଇଥିବା ମଙ୍ଗଳଙ୍କ ବାପା, ମା, ଭଉଣୀ ଜାଣିପାରିଲେନି କେମିତି ? ଏଭଳି ନାନା ପ୍ରଶ୍ନ ଭିତରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କହିଛନ୍ତି ମୃତ ସୁରୁକୁନିଙ୍କ ଭାଇ । କହିଛନ୍ତି, ପତି-ପତ୍ନୀ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା ।

ସେପଟେ ମୟୁରଭଞ୍ଜ ଏସପି ଓ ସାଇଣ୍ଟିଫିକ୍ ଟିମ୍ ପାରିପାଶର୍ବିକ ସ୍ଥିତିକୁ ଅନୁଧ୍ୟାନ କରିଥିବାବେଳେ ଅଭିଯୁକ୍ତ ମଙ୍ଗଳକୁ ଝାରୋପୋଖରିଆ ପୋଲିସ ଅଟକ ରଖି ପଚରାଉଚରା କରୁଛି । ତେବେ ଘଟଣାପଛରେ ସତ୍ୟତା ଯାହା ବି ଥାଉନା କାହିଁକି, ଜଣେ ଉଚ୍ଚଶିକ୍ଷିତ ସ୍ୱାମୀର ଉପସ୍ଥିତିରେ ୨ ନିରୀହ ଶିଶୁ ଓ ପତ୍ନୀଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁକୁ ସହଜରେ କେହି ଗ୍ରହଣ କରିପାରୁନାହାଁନ୍ତି ।