• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମିରଟର ଲୋହିଆ ନଗର ଥାନା ଅଞ୍ଚଳରେ ବିଳମ୍ବିତ ରାତିରୁ ଜଣେ ନାବାଳିକା (୧୪) ନିଖୋଜ ଅଛନ୍ତି। ପରିବାର ଲୋକେ ଅନେକ ଖୋଜାଖୋଜି କଲେ । ବିଭିନ୍ନ ଲୋକଙ୍କୁ ଫୋନ୍‌ କରି ପଚରାଉଚରା କଲେ । ହେଲେ ଝିଅର କିଛି ପତ୍ତା ମିଳିଲା ନାହିଁ । ଶେଷରେ ଯେତେବେଳେ ଘର ବାହାରେ ଏବଂ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ, ସେତେବେଳେ ଜଣାପଡ଼ିଥିଲା ଯେ, ଗାଁ ରାସ୍ତାରେ ଅଧ ରାତିରେ ୩ ଜଣ ଯୁବକ ଉକ୍ତ ନାବାଳିକାଙ୍କୁ ଗୋଡ଼ାଉଛନ୍ତି । ନାବାଳିକା ଜଣକ ପ୍ରାଣ ବିକଳରେ ଦୌଡ଼ୁଥିବା ବେଳେ ପଛରେ ୩ ଜଣ ଯୁବକ ଦୌଡ଼ୁଥିବା ସିସିଟିଭିରୁ ଜଣାପଡ଼ିଛି । ତେବେ ପରିବାର ଲୋକ କୌଣସି ଅଘଟଣ ଘଟିବା ଆଶଙ୍କା କରି ଏନେଇ ଥାନାରେ ଏତଲା ଦେଇଛନ୍ତି ।

ପୋଲିସର ସୂଚନାନୁସାରେ, ବୁଧବାର ରାତିରେ ପରିବାର ସହିତ ନାବାଳିକା ଜଣକ ଘରେ ଖାଇ ପିଇ ଶୋଇଥିଲେ। ହେଲେ ଯେତେବେଳେ ତାଙ୍କ ବାପା ସକାଳ ପ୍ରାୟ ୩ଟା ସମୟରେ ଉଠିଲେ, ଦେଖିଲେ ତାଙ୍କର ୧୪ ବର୍ଷର ଝିଅ ଘରେ ନାହିଁ । ତାପରେ ଖୋଜା ଖୋଜି ଆରମ୍ଭ କରିଥିଲେ ।

ଏହି ସମୟରେ ଗାଁରେ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସିସିଟିଭି କ୍ୟାମେରାର ଫୁଟେଜକୁ ଯାଞ୍ଚ କରାଯାଇଥିଲା । ସେଥିରୁ ଜଣାପଡ଼ିଥିଲା ଯେ, ରାତି ପ୍ରାୟ ୨ଟା ସମୟରେ ଝିଅ ଗାଁ ରାସ୍ତାରେ ନିଜ ଜୀବନ ବଞ୍ଚାଇ ଦୌଡୁଛି । ଏଥିସହିତ ଉକ୍ତ ଗାଁର ୩ ଜଣ ଯୁବକ ତାଙ୍କ ପଛରେ ଦୌଡ଼ୁଛନ୍ତି । ଏହା ଦେଖି ପରିବାର ଲୋକଙ୍କ ହୋସ ଉଡ଼ିଗଲା ।

ପରିବାର ସଦସ୍ୟ ସିସିଟିଭି ଫୁଟେଜକୁ ପୋଲିସକୁ ହସ୍ତାନ୍ତର କରି ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ୩ ଯୁବକଙ୍କ ବିରୋଧରେ ଅପହରଣ ମାମାଲା ରୁଜୁ କରାଯାଇଛି । ସେହି ଯୁବକମାନେ ଅନ୍ୟ ସମ୍ପ୍ରଦାୟର ସିକନ୍ଦର, ମୋହିତ ଓ ନିକ୍କି ବୋଲି ଚିହ୍ନଟ କରିସାରିଛି ପୋଲିସ । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି । ଏହାସହ ନାବାଳିକାଙ୍କୁ ମଧ୍ୟ ଶୀଘ୍ର ଉଦ୍ଧାର କରାଯିବ ବୋଲି ମଧ୍ୟ ପୋଲିସ କହିଛି ।