• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏକୁଟିଆ ଦେଖି ପାଖକୁ ଡାକୁଥିଲେ ପ୍ରିନ୍ସିପାଲ । ଏବେ ଛାତ୍ରୀ ଅଣ୍ଟାରେ ହାତ ମାରି ଅକଳରେ ପଡ଼ିଲେ । ସୁଯୋଗ ଦେଖି ଏକୁଟିଆ ଡାକିବା ସହ ବିଭିନ୍ନ ସମୟରେ ଜୋର ଜବରଦସ୍ତି ହାତ ଧରୁଥିବା ନେଇ ଜଣେ ପ୍ରିନ୍ସିପାଲଙ୍କ ବିରୋଧରେ ଅଭିଯୋଗ ହୋଇଛି । ମଧ୍ୟପ୍ରଦେଶର ପନ୍ନା ଜିଲ୍ଲା ସ୍ଥିତ ଏକ ସ୍କୁଲ ପ୍ରିନ୍ସିପାଲଙ୍କ ବିରୋଧରେ ଏପରି ସଙ୍ଗୀନ୍‌ ଅଭିଯୋଗ ଆସିଛି । ଦୁଇଜଣ ଛାତ୍ରୀ ପ୍ରିନ୍ସିପାଲଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି ।

ପୋଲିସ ନିକଟରେ ଏକ ଲିଖିତ ଆବେଦନ କରିଛନ୍ତି ଉଭୟ ପୀଡ଼ିତା । ଏଥି ସହିତ ଘଟଣା ସାମ୍ନାକୁ ଆସିବା ପରେ ଶିକ୍ଷା ବିଭାଗରେ ମଧ୍ୟ ହଇଚଇ ସୃଷ୍ଟି ହୋଇଥିଲା । ପ୍ରିନ୍ସିପାଲଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: ରସିକିଆ ହେଡ୍‌ ସାର୍‌ : ୧୨ ବର୍ଷର ଝିଅ ଥାଉ ଥାଉ ପୁଣି ବିବାହ କଲେ

ପନ୍ନା ଜିଲ୍ଲା ମୁଖ୍ୟାଳୟଠାରୁ ୧୦୦ କିଲୋମିଟର ଦୂରରେ ଥିବା ଶାହାନଗରରେ ସ୍ଥିତ ଏକ ସ୍କୁଲରେ ଏହି ଘଟଣା ଘଟିଛି । ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଦୁଇ ନାବାଳିକା ସ୍କୁଲ ପ୍ରିନ୍ସିପାଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ପ୍ରିନ୍ସପାଲ ବିରେନ୍ଦ୍ର ସିଂ ରାଜପୁତ ତାଙ୍କୁ ଖରାପ ଭାବରେ ଛୁଉଁଥିବା ଅଭିଯୋଗ କରିଛନ୍ତି । ପ୍ରିନ୍ସିପାଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଉଭୟ ପୋଲିସକୁ ଏକ ଲିଖିତ ଆବେଦନ କରିଛନ୍ତି।

ଆବେଦନରେ ପୀଡିତା ଛାତ୍ରୀମାନେ ଲେଖିଛନ୍ତି, ସ୍କୁଲରେ ବାର୍ଷିକ ଉତ୍ସବ ଚାଲିଥିଲା । କାର୍ଯ୍ୟକ୍ରମ ଶେଷ ପରେ ପ୍ରିନ୍ସିପାଲ ଉଭୟଙ୍କୁ ଅଟକାଇଥିଲେ । ଏକାକୀ ଦେଖି ଖରାପ ଭାବରେ ସ୍ପର୍ଶ କରିଥିଲେ । ତେବେ ଏହି ଘଟଣା ପୂର୍ବରୁ ସେ ଅନେକ ଥର ଏକୁଟିଆ ଥିବାବେଳେ କୋଠରୀକୁ ମଧ୍ୟ ଡକାନ୍ତି । ଜୋର ଜବରଦସ୍ତ ହାତ ଧରିବା ସହ ଅଣ୍ଟାରେ ହାତ ମାରୁଥିଲେ । କାଳେ ପରୀକ୍ଷାରେ ସାର୍‌ ଫେଲ୍‌ କରାଇ ଦେବେ, ସେଥିପାଇଁ ଉଭୟେ ଚୁପ୍‌ ରହୁଥିଲେ । ଏବେ ପରୀକ୍ଷା ଶେଷ ହୋଇଥିବା ବେଳେ ପ୍ରିନ୍ସିପାଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଭୟ ଦାବି କରିଛନ୍ତି ।

ପ୍ରିନ୍ସପାଲ ବିରେନ୍ଦ୍ର ସିଂ ରାଜପୁତ ଅତୀତରେ ଅନେକ ସମୟ ଏପରି ବିବାଦରେ ଛନ୍ଦି ହୋଇଛନ୍ତି । ତାଙ୍କ ବିରୋଧରେ ଅର୍ଥ ହଡ଼ପ ଅଭିଯୋଗ ମଧ୍ୟ ରହିଛି । ଏହା ବ୍ୟତୀତ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଛାତ୍ରମାନଙ୍କ ସହ ନାଚିବା ଏବଂ ଶିକ୍ଷୟିତ୍ରୀଙ୍କୁ ଜୋରଜବରଦସ୍ତ କେକ୍ ଖୁଆଇବାର ଭିଡିଓ ଭାଇରାଲ ହୋଇଥିଲା ।

ଦେଖନ୍ତୁ ଭିଡିଓ | ରସିକିଆ ସ୍କୁଲ ସାର୍‌...ପାଠ କମ୍‌, ଅଧିକ ପଢାଉଛନ୍ତି ପ୍ରେମପାଠ