• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଗଞ୍ଜେଇ ମାମଲାରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ୍

  • ପ୍ରତିଦିନ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ଭୁବନେଶ୍ୱର: ଓଡିଶାରେ ବିଭିନ୍ନ ସ୍ଥାନରୁ ଜବତ ହେଉଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ । ଯେଉଁଠି ବି ଜବତ ହେଉଛି ଗଞ୍ଜେଇ, ଓଡିଶା ନାଁ ବାହାରୁଛି । କୋରାପୁଟଜିଲ୍ଲାରୁ ୩୯୯ କ୍ୱିଣ୍ଟାଲ, ମାଲକାନଗିରିରୁ ୧୬୯ କ୍ୱିଣ୍ଟାଲ, କନ୍ଧମାଳରୁ ୧୪୩ କ୍ୱିଣ୍ଟାଲ, ରାୟଗଡାରୁ ୧୩୧ କ୍ୱିଣ୍ଟାଲ, ଗଜପତିରୁ ୧୦୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏ ହିସାବ ହେଉଛି ଗତ ୮ ମାସରେ ଜବତ ହୋଇଥିବା ବେଆଇନ ଗଞ୍ଜେଇ ଚାଲାଣର । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୫ ଜିଲ୍ଲାରୁ ଜବତ ହେଲାଣି ୧୨ଶହ ୪୯ କ୍ୱିଣ୍ଟାଲ ଗଞ୍ଜେଇ । ଏହି ସଂଖ୍ୟା ହିଁ ବୟାନ କରୁଛି କିଭଳି ଗଞ୍ଜେଇ ଚାଷ ଓ ଚୋରା ଚାଲାଣର ଭୁସ୍ବର୍ଗ ପାଲଟିଛି ଓଡ଼ିଶା ।

ଗତ ୫ ବର୍ଷର ତଥ୍ୟ ଆହୁରି ଉଦ୍ବେଗଜନକ ହୋଇଛି କାରଣ ଗଞ୍ଜେଇ ଚାଷୀ ଓ ବେଆଇନ ଚାଲାଣକାରୀଙ୍କ ବିରୁଦ୍ଧରେ ପୋଲିସ ଓ ଅବକାରୀ ବିଭାଗ ଜୋରଦାର କାଯର୍ୟାନୁଷ୍ଠାନ କରୁଥିବା କହୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାର ଫଳ ଦେଖିବାକୁ ମିଳୁନାହିଁ । ୨୦୧୭ରେ ରାଜ୍ୟରୁ ୩୦୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ, ୨୦୧୮ ରେ ୫୨୩ କ୍ୱିଣ୍ଟାଲ , ୨୦୧୯ରେ ୬୧୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା । ତେବେ ଗତବର୍ଷ ରାଜ୍ୟରୁ ରେକର୍ଡ ୧୫ଶହ ୪୯ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହେବା ସ୍ପଷ୍ଟ କରାଯାଇଛି । ଗଞ୍ଜେଇ ମାଫିଆଙ୍କ ଉପରେ ପୋଲିସ ଓ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନର କୌଣସି ବି ପ୍ରଭାବ ପଡୁନଥିବା ଦେଖିବାକୁ ମିଳୁଛି । କେବଳ ଚାଲାଣକାରୀଙ୍କୁ ଧରି ପୋଲିସ ଚୁପ ବସୁଥିବାରୁ ଆଶାନୁରୂପ ସଫଳତା ମିଳୁନଥିବା କଥା କୋରାପୁଟ ବାସିନ୍ଧାଙ୍କ ତରଫରୁ କୁହାଯାଉଛି । ତେବେ ମାଓବାଦୀଙ୍କ ଉପଦ୍ରବ ଓ ଅଗମ୍ୟ ଘଞ୍ଚ ଜଙ୍ଗଲ ହେତୁ ବେଆଇନ ଗ଼ଞ୍ଜେଇ ଚାଷକୁ ରୋକି ହେଉନଥିବା ଜିଲ୍ଲା ଅବକାରୀ ଅଧିକାରୀ ମଧୁସ୍ମିତା ନାୟକ କହିଛନ୍ତି ।

ରାଜ୍ୟରେ ପ୍ରତିବର୍ଷ ମାମଲା ଆଉ ଗିରଫଦାରୀ ବି ବଢୁଛି କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇ ପାରୁନାହିଁ । ପୋଲିସ ତଥ୍ୟ ଅନୁସାରେ ଚଳିତ ବର୍ଷ ନିଶା ଚୋରା କାରବାର ସଂପର୍କିତ ୭୮୬ଟି ମାମଲା ରୁଜୁ ହୋଇଥିବା ବେଳେ ଗିରଫ ହେଲେଣି ୧୩ଶହ ୪୩ ଅଭିଯୁକ୍ତ । ସେହିପରି ଗତ ୧୦ ମାସରେ ୨୩ ହଜାର ୫୩୭ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଏହାସତ୍ତ୍ୱେ ଦେଶର ଯେଉଁଠୁ ବି ଗଞ୍ଜେଇ ଜବତ ହେଉଛି ସେଥିରୁ ଓଡ଼ିଶା ଲିଙ୍କ ବାହାରୁଛି । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ଓ ବଲିଉଡ୍ ନିଶା କାରବାର ଲିଙ୍କ୍‌ରେ ଓଡିଶାର ନାମ ସାମ୍ନାକୁ ଆସୁଛି । ଗତ ଶୁକ୍ରବାର ଛତିଶଗଡ଼ରେ ଗଞ୍ଜେଇ ମାଫିଆ ଭିଡ଼ ଉପରେ କାର୍ ମଡାଇ ଦେବା ଆଦି ଘଟଣାରେ ଓଡ଼ିଶାର ନାଁ ଆସିବା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ପୋଲିସ ଉଦ୍ୟମ ଜାରି ରଖିଥିବା କହିଛନ୍ତି ପୋଲିସ ଡିଜି ଅଭୟ ।

ଛତିଶଗଡ଼ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଭୁପେଶ ଓ୍ୱାଘେଲ ଓଡ଼ିଶା ଉପରେ ଦୋଷ ଲଦିଛନ୍ତି । ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ରୋକିବାକୁ ସେ ସୀମା ଚେକ୍‌ପୋଷ୍ଟରେ ସିସିଟିଭି ଲଗାଇବା ସହ ୨୪ ଘଣ୍ଟିଆ ଯାଞ୍ଚ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଓଡିଶା ପୋଲିସ ସହ ସମନ୍ୱୟ ବୈଠକ ଲାଗି ସେ ରାଜ୍ୟ ପୋଲିସ ବିଭାଗକୁ କହିଛନ୍ତି ।