• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବ୍ରାଣ୍ଡ୍ ଅସଲି କିନ୍ତୁ ମାଲ୍ ନକଲି । ଶସ୍ତା ବଜାରରୁ ବସ୍ତା ଦରିଆରେ ଆସୁଥିଲା ଦୋ-ନମ୍ବରୀ ମାଲ୍ । କର୍ମଚାରୀଙ୍କ ଭଡାଘରେ ଟ୍ୟାଗିଂ କରି ଛଡା ଯାଉଥିଲା ବଜାରକୁ । ବଡ଼ବଡ଼ ନାମୀଦାମୀ ବ୍ରାଣ୍ଡେଡ୍ ଗାର୍ମେଣ୍ଟ୍ କମ୍ପାନୀର ଟ୍ୟାଗ ଲଗାଇ ବଲାଙ୍ଗୀର ସହରରେ ଚଢା ଦରରେ ପ୍ୟାଣ୍ଟସାର୍ଟ୍ ବିକୁଥିବା ଜଣେ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଆସନ୍ତୁ ଜାଣିବା କର୍ମଚାରୀଙ୍କ ଭଡ଼ାଘର କେମିତି ପାଲଟିଥିଲା ଗୋଦାମ ୟୁନିଟ୍..

ଘର ଭର୍ତ୍ତି ପ୍ୟାଣ୍ଟ୍ ସାର୍ଟ । ପୁଳାପୁଳା ରେଡିମେଡ୍ ଗାର୍ମେଣ୍ଟ । ସବୁ ଛିନଛତ୍ର ଅବସ୍ଥାରେ ଖେଳେଇ ହୋଇପଡ଼ିଛି । ଏହା କୌଣସି ସୋରୁମ୍ ନୁହେଁ କି କପଡା ଦୋକାନ ନୁହେଁ । ଅସଲି ନାଁରେ ନକଲି ମାଲ୍ ବିକୁଥିବା କପଡା ଶୋରୁମର ଚୋରା ଗୋଦାମ । ଆଉ ଏହି ଗୋଦାମ ଉପରେ ଆଜି ଛାପା ମାରିଛି ବଲାଙ୍ଗିର୍ ପୋଲିସ୍ ।

ଏ ଘଟଣା ହେଉଛି ବଲାଙ୍ଗିର ସହର ଜଣାଶୁଣା ଗାର୍ମେଣ୍ଟ୍ ସୋରୁମ୍ ଲଖାନୀ ଗାର୍ମେଣ୍ଟସର ଭିତିରି ଗୋଦାମ । ସହର ଉପକଣ୍ଠ ଖଲିଆପାଳି ଗାଁ ଭିତରେ ଦୋକାନର ଜଣେ କର୍ମଚାରୀଙ୍କ ଭଡାଘର ହିଁ ବର୍ଷବର୍ଷ ଧରି ପାଲଟିଥିଲା ଗୋଦାମ ଘର । ଏଠି ଖାଲି ମାଲ୍ ଷ୍ଟକ୍ ରହୁ ନ ଥିଲା, ବରଂ ଶସ୍ତା ବଜାରରୁ ମାଲ୍ ଆସିଲା ପରେ ବଡ଼ବଡ଼ ନାମିଦାମୀ କମ୍ପାନୀର ଟ୍ୟାଗ ଲାଗି ରିପ୍ୟାକେଜିଙ୍ଗ ବି ହେଉଥିଲା ।

ଆଉ ତା’ପରେ ଶୋରୁମରେ ଗ୍ରାହକଙ୍କଠାରୁ ଜବରଦସ୍ତ ମୁନାଫା ଉଠାଉଥିଲେ ଶୋରୁମ୍ ମାଲିକ । ଏ ବାବଦରେ ବଲାଙ୍ଗିର ପୋଲିସକୁ ସୂଚନା ମିଳିବା ପରେ ଗତକାଲିଠାରୁ ଆଜି ଭିତରେ ମୋଟ୍ ୨ଟି ଶୋରୁମ୍ ଏବଂ ଦୁଇଟି ଗୋଦାମ ଉପରେ ଚଢ଼ାଉ ହୋଇଛି ।

ଖବର ଅନୁସାରେ ବଲାଙ୍ଗିର ସହରରେ ଲଖାନୀ କପଡା ଦୋକାନ ଏବଂ ଲଖାନୀ ନ୍ୟୁ ଗାରମେଣ୍ଟନ ନାଁରେ ଦୁଇଟି ଆଉଟଲେଟ୍ ରହିଛି । ଆଉ ଏହାର ମାଲିକ ହେଉଛନ୍ତି ଜଣାଶୁଣା କପଡା ବ୍ୟବସାୟୀ ରାଜେଶ କୁମାର ଲଖାନୀ । ୟାଙ୍କ ଶୋରୁମରେ ବ୍ରାଣ୍ଡେଡ୍ ଟ୍ୟାଗରେ ଡୁପ୍ଲିକେଟ୍ ମାଲ୍ ବିକ୍ରି ହେଉଥିବା ଖବର ପାଇ କମ୍ପାନୀ ମୁମ୍ବାଇରୁ ଛାନଭିନ୍ ପାଇଁ ତା ଟିମ୍ ପଠାଇଥିଲା । ଆଉ କମ୍ପାନୀର ଟିମ୍ ମେମ୍ବର ବଲାଙ୍ଗିର୍ ଥାନାରେ ଏତଲା ଦେବା ପରେ ପୋଲିସ୍ ଚଢ଼ାଉ କରି ଏ ଫୋରଟ୍ୟୋଣ୍ଟି କାରବାର ବାବଦରେ ସୁରାକ ପାଇଥିଲା ।

ପୋଲିସ୍ ଘଟଣାରେ ପାଖାପାଖି ୪୩ ଲକ୍ଷଟଙ୍କାର ମାଲ୍ ଜବତ କରିଥିବା ବେଳେ ରାଜେଶ ଲଖାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ଏ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇବା ସହିତ କୌଣସି ଜାଲିଆତି ହୋଇନାହିଁ ବୋଲି କହିଛନ୍ତି ରାଜେଶ କୁମାର । ପୂର୍ବରୁ ବଲାଙ୍ଗିରରେ ନକଲି ସାର୍ଟିଫିକେଟ୍ ଖବର ସାରା ରାଜ୍ୟରେ ବେଶ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଏ ଅସଲି ନାଁରେ ନକଲି ଗାର୍ମେଣ୍ଟକୁ ନେଇ ଅଧିକ ଖୋଳତାଡ଼ ଚଲାଇଛି ପୋଲିସ୍ ।

ରାଜେଶ ଲଖାନୀ କେଉଁଠୁ ମାଲ୍ ଉଠାଉଥିଲେ, କିଏ କିଏ ଏଥିରେ ସାମିଲ୍ ଆଉ କେତେ ବର୍ଷ ଧରି ସେ ଗ୍ରାହକଙ୍କୁ ଏମିତି ଠକି ଚାଲିଥିଲେ ସେ ନେଇ ପୋଲିସ୍ ଯାଞ୍ଚ୍ କରୁଛି ।

  • Reported by:
  • MANARANJAN JOSHI , Ghateswar Mishra