• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାସିଗଲା ସଂସାର । ବୁଡ଼ିଗଲା ପରିବାରର ଭେଳା ।  ରାଜଧାନୀର ଛାତି ଉପରେ ହାଜତ ମୃତ୍ୟୁ ବିବାଦ । ସାଇକେଲ୍ ଚୋରି ମାମଲାରେ ଯାହାଙ୍କୁ ପୋଲିସ ଗିରଫ କରିଥିଲା, ପୋଲିସ ହେପାଜତରେ ସଂପୃକ୍ତ ବ୍ୟକ୍ତିଙ୍କ ଆକସ୍ମିକ ମୃତ୍ୟୁ ପରେ ବିବାଦ ଛିଡ଼ା ହୋଇଛି । କାରଣ ପୋଲିସ ଫାଇଲ୍‌ରେ ମୃତକଙ୍କ ନାଁ ପ୍ରଦୀପ ସାହୁ ଏବଂ ସେ ଜଣେ ଅଭ୍ୟାସଗତ ଚୋର ବୋଲି ଦର୍ଶାଯାଇଥିବା ବେଳେ ପରିବାର ଲୋକେ କହୁଛନ୍ତି ତାଙ୍କ ନାଁ ଦେବେନ୍ଦ୍ର ଚୌଧୁରୀ । ଜୀବନରେ ସେ କେବେ ଚୋରି କରିନାହାଁନ୍ତି । ତେବେ କିଏ ସତ କହୁଛନ୍ତି ? ପୋଲିସ ନା ପରିବାର ? ଏଭଳି ନାନା ପ୍ରଶ୍ନ ଭିତରେ ହାଜତ ମୃତ୍ୟୁ ଅଭିଯୋଗ ଅନୁଯାୟୀ, ତଦନ୍ତ କରାଯାଉଥିବା ଡିସିପି କହିଛନ୍ତି ।

ପରିବାରକୁ ଦାନା ଯୋଗାଉଥିବା ରୋଜଗାରିଆ ମଣିଷର ପୋଲିସ ହାଜତରେ ମୃତ୍ୟୁ ଅଭିଯୋଗ । ସୁନ୍ଦରପଦା କପିଳପ୍ରସାଦର ଦେବେନ୍ଦ୍ର ଚୌଧୁରୀଙ୍କ ପତ୍ନୀ ଓ ପରିବାର ଆଖିରେ ଗତ ରାତିଠୁ ନିଦ ନାହିଁ, ପେଟକୁ ଭୋକ ନାହିଁ । ସେମାନଙ୍କ ଅଭିଯୋଗ, ଦେବେନ୍ଦ୍ରଙ୍କୁ ପୋଲିସ ପିଟି ପିଟି ମାରିଦେଇଛି । ପତ୍ନୀଙ୍କ କହିବା କଥା, ତାଙ୍କ ଭଡ଼ାଘର ମାଲିକଙ୍କୁ ରାତି ପ୍ରାୟ ୧୧ଟାରେ ପୋଲିସ ଆସି ଏକ ଫଟୋ ଦେଖାଇବା ସହ ଚିହ୍ନିଛନ୍ତି ନା ନାହିଁ, ପଚାରିଥିଲା ।

ଏହାପରେ ରାତି ପ୍ରାୟ ଗୋଟାଏରେ ପୁଣି ପୋଲିସ ଆସି ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା କହିବା ସହ କ୍ୟାପିଟାଲ ହସପିଟାଲ ଫାଣ୍ଡିରେ ପହଞ୍ଚିବାକୁ କହିଥିଲା । ସ୍ୱାମୀଙ୍କୁ ଦେଖିବାକୁ ଦେବେନ୍ଦ୍ରଙ୍କ ପତ୍ନୀ ନେହୁରା ହୋଇଥିଲେ ବି ସମ୍ଭବ ହୋଇନଥିଲା । ଏବେ ପତ୍ନୀଙ୍କ ଅଭିଯୋଗ, ପୋଲିସ ପିଟିପିଟି ମାରିଦେବା ପରେ ଦେବେନ୍ଦ୍ର ଚୌଧୁରୀଙ୍କୁ ପ୍ରଦୀପ ସାହୁ ବୋଲି କହୁଛି । ଏପରିକି କେବେ ଚୋରି କରିନଥିବା ବ୍ୟକ୍ତିଙ୍କୁ ଚୋରି ଅଭିଯୋଗରେ ଥାନାକୁ ନେଇ ମାରିଦେଇଛି ।

ରାଜଧାନୀର ଛାତି ଉପରେ ହାଜତ ମୃତ୍ୟୁ ବିବାଦ । ଛନ୍ଦିହୋଇଛି କମିଶନରେଟ୍ ପୋଲିସ । ପରିଚୟ ଦ୍ୱନ୍ଦ୍ୱ ବଢ଼ାଉଛି ବଡ଼ଗଡ଼ ଥାନା । ପୋଲିସ କହୁଛି, ମୃତକଙ୍କ ନାଁ ପ୍ରଦୀପ ସାହୁ । ପରିବାର ଲୋକେ କିନ୍ତୁ କହୁଛନ୍ତି ଦେବେନ୍ଦ୍ର ଚୌଧୁରୀ । ସମୟ ରାତି ପ୍ରାୟ ୮ଟା । ଯାହାଙ୍କୁ ପ୍ରଦୀପ ସାହୁ ବୋଲି ପୋଲିସ କହୁଛି, ତାଙ୍କ ସହ ବ୍ରହ୍ମେଶ୍ୱରପାଟଣାରେ ପୋଲିସ ମୁହାଁମୁହିଁ ହୋଇଥିଲା । ଦୌଡ଼ି ପଳାଇବା ବେଳେ ପୋଲିସ ଗୋଡ଼ାଇ ଧରିବା ସହ ବଡ଼ଗଡ଼ ଥାନାକୁ ଆଣି ହାଜତରେ ରଖିଥିଲା । କାରଣ ସେ ଜଣେ ସାଇକେଲ ଚୋର ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

ଏଠି ପ୍ରଶ୍ନ ପୋଲିସ ହାଜତରେ ଥିବାବେଳେ କଣ ଘଟିଲା, ଯେ ସଂପୃକ୍ତ ବ୍ୟକ୍ତିଙ୍କ ପ୍ରାଣ ଚାଲିଗଲା ? ଗିରଫ ପୂର୍ବରୁ ସୁସ୍ଥ ଥିବା ବ୍ୟକ୍ତି କାହିଁକି ଥାନା ହାଜତରେ ହଠାତ୍ ଗୁରୁତର ହେଲେ ? ଯେଉଁ ବ୍ୟକ୍ତିଙ୍କୁ ପରିବାର ଲୋକେ ଆଧାରକାର୍ଡ ଦେଖାଇ ଦେବେନ୍ଦ୍ର ବୋଲି ପ୍ରମାଣ ଦେଖାଉଛନ୍ତି, ପୋଲିସ ଫାଇଲ୍‌ରେ ସେ କେମିତି ବନିଗଲେ ପ୍ରଦୀପ ସାହୁ ? ମୃତଦେହଟି ଦେବେନ୍ଦ୍ରଙ୍କର ବୋଲି ପରିବାର ଲୋକେ ଚିହ୍ନି ସାରିଥିବାବେଳେ ପୋଲିସ କେଉଁ ତଥ୍ୟ ପ୍ରମାଣ ଆଧାରରେ କହୁଛି ୟେ ପ୍ରଦୀପ ସାହୁ ? କିଏ କହୁଛନ୍ତି ସତ, ପୋଲିସ ନା ପରିବାର ଲୋକେ ?

ଏମିତି ନାନା ପ୍ରଶ୍ନ ଭିତରେ ବିଜେପି ମୃତକଙ୍କ ପରିବାରକୁ ଭେଟିବା ସହ ନିରପେକ୍ଷ ତଦନ୍ତ କରି ପରିବାରକୁ ନ୍ୟାୟ ଦେବାକୁ ଦାବି କରିଛି । ସେପଟେ କମିଶନରେଟ୍ ପୋଲିସ କିନ୍ତୁ କହିଛି, ଯେହେତୁ ଏହା ହାଜତ ମୃତ୍ୟୁ ଅଭିଯୋଗ ଏନ୍ଏଚ୍‌ଆର୍‌ସିର ଗାଇଡଲାଇନ୍ ଅନୁଯାୟୀ, ତଦନ୍ତ କରାଯାଉଛି । ମୃତକ ପ୍ରଦୀପ ହୁଅନ୍ତୁ କି ଦେବେନ୍ଦ୍ର, ତାହା ତ ପରବର୍ତ୍ତୀ ତଦନ୍ତ ପରେ ସତ ସାମ୍ନାକୁ ଆସିବ । କିନ୍ତୁ ହାଜତ ମୃତ୍ୟୁ ଅଭିଯୋଗ ପାଇଁ ଦାୟୀ ହେବ କିଏ ? ତାହା ସବୁଠୁ ବଡ଼ ପ୍ରଶ୍ନ ।